ସୀମା ବାହାର ଆପାର୍ଟମେଣ୍ଟ ଉପରେ ନଜର

ଭୁବନେଶ୍ବର : ରାଜଧାନୀ ଅପେକ୍ଷା ଉପାନ୍ତ ଅଞ୍ଚଳରେ ରହିବାକୁ ଅପରାଧୀମାନେ ସୁରକ୍ଷିତ ମନେ କରୁଛନ୍ତି। ସେଠାରେ ଅପରାଧର ନୀଳନକ୍ସା ପ୍ରସ୍ତୁତ କରୁଛନ୍ତି ଓ ରାଜଧାନୀରେ ତାହାକୁ ସାକାର ରୂପ ଦେଇ ପୁଣି ଆସି ଆତ୍ମଗୋପନ କରୁଛନ୍ତି। ବଡ଼ଗଡ଼ ଥାନା ଚିଲ୍ଲିପୋଖରୀରେ ଗତକାଲି ସିପୁନ୍‌ ଓ ହରେକୃଷ୍ଣକୁ ଏନ୍‌କାଉଣ୍ଟର୍‌ କରାଯିବା ପରେ ଏହି ତଥ୍ୟ ପଦାକୁ ଆସିଛି। ଏହି ଅପରାଧୀଦ୍ବୟ ଧଉଳି ଥାନା ସରଦେଇପୁରସ୍ଥିତ ବାପୁଜୀ ହାଇଟସ୍‌ରେ ଆତ୍ମ‌ଗୋପନ କରିଥିଲେ। ଖାଲି ସେତିକି ନୁହେଁ, ସେଠାରେ ଏକ ନକଲି ବିଦେଶୀ ତିଆରି କାରଖାନା ମଧ୍ୟ ଖୋଲି ବେଶ୍‌ ଆରାମରେ ବେପାର ଚଳାଇଥିଲେ। ତେଣୁ ରାଜଧାନୀ ଉପକଣ୍ଠ ସମେତ କମିସନରେଟ୍‌ ପୁଲିସ ସୀମା ବାହାରେ ଥିବା ଆପାର୍ଟମେଣ୍ଟଗୁଡ଼ିକ ଉପରେ ନଜର ପକାଇବାକୁ ଯୋଜନା ହୋଇଛି। କେଉଁ ଆପାର୍ଟମେଣ୍ଟରେ କିଏ ରହୁଛନ୍ତି, ତାଙ୍କର ବୃତ୍ତି କ’ଣ, କାହାର କାହାର ଯିବା ଆସିବା ଲାଗି ରହିଛି ଓ ସେମାନଙ୍କର ଆର୍ଥିକ ସ୍ଥିତି ଉପରେ କଡ଼ା ନଜର ରଖାଯିବ। ଏଥିପାଇଁ ସମ୍ପୃକ୍ତ ଥାନାମାନଙ୍କୁ ନିର୍ଦ୍ଦେଶ ଦିଆଯିବାକୁ ଯୋଜନା ହୋଇଛି ବୋଲି ଡିସିପି ଅନୁପ କୁମାର ସାହୁ ଆଜି କହିଛନ୍ତି। ଆବଶ୍ୟକ ପଡ଼ିଲେ, ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କୁ ନେଇ ଗଠିତ ରେସିଡେଣ୍ଟ ୱେଲ୍‌ଫେୟାର କମିଟିର ବି ସହାୟତା ଲୋଡ଼ାଯିବ ବୋଲି ସେ କହିଛନ୍ତି।
ଲଗାତାର ୨ ଦିନ‌ରେ ତିନି ତିନିଟି ଏନ୍‌କାଉଣ୍ଟର୍‌ ଅପରାଧୀଙ୍କ ନିଦ ହଜାଇ ଦେଇଛି। ପୁଲିସର ଏପରି ଆକ୍ସନ-ମୁଡ୍‌ ଦେଖି ଅପରାଧୀମାନେ ଏବେ ଆତ୍ମଗୋପନ କରିଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ଗତ ରାତି ଓ ଆଜି ସାରା ଦିନ କମିସନରେଟ୍‌ ପୁଲିସ ଚଢ଼ଉ କରିଥିଲା। କିନ୍ତୁ କୌଣସି ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ। ଆଜି ଭୁବନେଶ୍ବର ସମେତ ବାଲିଅନ୍ତା, ବାଲିପାଟଣା, ଉତ୍ତରା-ପିପିଲି ରାସ୍ତାରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ‌‌ରେ ଚଢ଼ଉ ହୋଇଛି। ଏକ ସମୟରେ ୪ଟି ଟିମ୍‌ ଏହି ସବୁ ସ୍ଥାନ‌ରେ ଚଢ଼ଉ କରିଥିଲେ।

ଅପରପକ୍ଷେ ଗତକାଲି ଏନ୍‌କାଉଣ୍ଟର୍‌ରେ ଆହତ ସିପୁନ ଓ ହରେକୃଷ୍ଣ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ ହୋଇନଥିବାରୁ ସେମାନଙ୍କୁ ପଚରାଉଚରା କରାଯାଇନାହିଁ। ଏନେଇ ବଡ଼ଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତକୁ ଗତିଶୀଳ କରିଛି। ଉଭୟଙ୍କ ନାମରେ ଥିବା ମାମଲା ପାଇଁ କାମାକ୍ଷା ନଗର,‌ ଢେଙ୍କାନାଳ, କଟକ, ଆଠଗଡ଼ ପ୍ରଭୃତି ଥାନାକୁ ସୂଚନା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧ‌ା କୌଣସି ସୂଚନା ଆସିନଥିବା ବଡ଼ଗଡ଼ ଥାନା ଇନ୍‌ସ୍‌ପେକ୍ଟର ଦଲ୍ଲୀପ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର