ଶିକ୍ଷକଙ୍କୁ ଲଣ୍ଡା କରିବା ମାମଲା: ଗିରଫଦାରୀକୁ ନେଇ ଦ୍ବନ୍ଦ୍ବରେ ପୁଲିସ

ଭୁବନେଶ୍ବର: ଛାତ୍ରୀଙ୍କୁ ଅସଦାଚରଣ କରିବା‌ ଅଭିଯୋଗରେ ଜେଲ୍‌ ଯାଇଥିବା ଶିକ୍ଷକଙ୍କର ଜାମିନ୍‌ ଆବେଦନର ଶୁଣାଣି ହୋଇଛି। ପୋକ୍ସୋ ସ୍ବତନ୍ତ୍ର କୋର୍ଟ ଜଜ୍‌ ଏସ୍‌.ଆର ପ୍ରଧାନ ମାମଲାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରହିଛି। ଫଳରେ ଅଭିଯୁକ୍ତ ଶିକ୍ଷକ ଆଜି ମୁକୁଳିପାରି ନାହାନ୍ତି। ଅନ୍ୟପଟେ ଗତକାଲି ଗିରଫ ହୋଇଥିବା ଛାତ୍ରୀଙ୍କ ପରିବାର ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହେବାରୁ ସେ ଜେଲ୍‌ ହାଜତ୍‌କୁ ଯାଇଛନ୍ତି। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଗିରଫ କରିବା ପରେ ସୋମବାର ରାତିରେ ମହିଳାମ‌ାନେ ଥାନା ଘେରାଓ କରିବାରୁ ଅନ୍ୟ ୨୦ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ମଞ୍ଚେଶ୍ବର ଥାନା ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। ଆଜି କାହାରିକୁ ଗିରଫ କରାଯାଇ ନାହିଁ।

ସୂଚନାଯୋଗ୍ୟ ଯେ, ଧୀରିକୁଟି ସାହିରେ ରହିଥିବା ଏକ କୋଚିଂ ସେଣ୍ଟର୍‌ର ଶିକ୍ଷକ ନାରାୟଣ ଖୁଣ୍ଟିଆ ଗତ ୨୮ ତାରିଖ ରାତିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା। ଲୋକମାନେ ଶିକ୍ଷକଙ୍କୁ ଲଣ୍ଡା କରିବା ସହ ଚୁନ କାଳି ବୋଲି ସାହି ବୁଲାଇଥିଲେ। ଏହାର ଭିଡିଓ ରେକର୍ଡିଂ କରି ଭାଇରାଲ କରିଥିଲେ। ମଞ୍ଚେଶ୍ବର ଥାନାରେ ପୀଡ଼ିତାଙ୍କ ପରିବାରବର୍ଗ ଅଭିଯୋଗ କରିବାରୁ ଶିକ୍ଷକ ବନ୍ଧା ହୋଇ ଜେଲ୍‌ ଯାଇଥିଲେ। ଏହା ପରେ ଶିକ୍ଷକଙ୍କ ପତ୍ନୀ ଅନ୍ୟ ଏକ ଅଭିଯୋଗ ଆଣିଥିଲେ। ଳଣ୍ଡା କରିଥିବାରୁ ମାନବାଧିକାର କ୍ଷୁର୍ଣ୍ଣ ହେବା ସହ ଶିକ୍ଷକଙ୍କର ସମ୍ମାନ ହାନି ହୋଇଥିବାରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୁଲିସ ପାଖାପାଖି ୨୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ହେଲେ ଗିରଫ କରିବାକୁ ବିଳମ୍ବ କରିଥିଲା। ଦୁଇଦିନ ପରେ ପୁଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଦର୍ଶାଇଥିଲା। ମହିଳାମାନେ ଥାନା ଘେରାଉ କରିବାରୁ ଭୟରେ ପୁଲିସ ଆଉ କାହାରିକୁ ଗିରଫ କରୁ ନଥିବା ଶିକ୍ଷକଙ୍କ ପତ୍ନୀ ଅଭିଯୋଗ କରିଥିଲେ। ନ୍ୟାୟ ନ ମିଳିଲେ ସେ ପୁଲିସ ବିରୋଧରେ କୋର୍ଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର