କୁକୁର ଶବ ପାଇଁ ପୁଲିସ ନୟାନ୍ତ

ଭୁବନେଶ୍ବର: ସମୟ ସନ୍ଧ୍ୟା ପ୍ରାୟ ୭ଟା। ୟୁନିଟ-୯ ଅଞ୍ଚଳରେ ଥିବା ଏକ ଇଂଲିଶ ମିଡିୟମ ସ୍କୁଲ ନିକଟରେ ଖେଳିଗଲା ଚାଞ୍ଚଲ୍ୟ। ଏକ ଧଳା ବେଡସିଟ୍‌ରେ ଗୁଡ଼ା ହୋଇ ପଡ଼ିଥିବା ପଚା ମୃତଦେହ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା ଅଞ୍ଚଳ। ଖାରବେଳନଗର ଥାନାକୁ ଖବର ଗଲା। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୃତଦେହ କୁଆଡୁ ଆସିଲା ବୋଲି ପୁଲିସ ମୁଣ୍ଡ ବି ଘୂରାଇ ଦେଇଥିଲା। ଖାରବେଳନଗର ଥାନାଧିକାରୀଙ୍କ ସହ ପୁଲିସ ଟିମ୍ ଛୁଟିଥିଲା ଘଟଣାସ୍ଥଳକୁ। କିଏ କହୁଥିଲା ଯୁବତୀଙ୍କ ମୃତଦେହ ତ ଆଉ କିଏ କହୁଥିଲା ଅନ୍ୟ ଜାଗାରେ ହତ୍ୟା କରିବା ପରେ ହତ୍ୟାକାରୀ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଏଠାରେ ଆଣି ଫିଙ୍ଗି ଦେଇଛି। ସୁଇପରଙ୍କ ପାଖକୁ ଖବର ପଠାଗଲା। ପୁଲିସ ଉପସ୍ଥିତିରେ ମୃତଦେହରେ ଗୁଡା ଯାଇଥିବା ବେଡସିଟ୍ ଖୋଲାଗଲା। ତା’ ଭିତରେ ଯାହା ଦେଖିବାକୁ ମିଳିଥିବା ପୁଲିସ ବି ବିଶ୍ବାସ କରି ପାରି ନ ଥିଲା। ବେଡସିଟ୍ ଖୋଲିବା ପରେ ଏକ ବଡ଼ ଆଲସିସିଆନ୍ କୁକୁର ମୃତଦେହ ମିଳିଥିଲା। କୁକୁର ଶବ ପଚି ଯାଇଥିବାରୁ ଏହା ଦୁଇ ତିନି ଦିନ ତଳର ବୋଲି ଜଣା ପଡ଼ିଥିଲା। ଶେଷରେ କୁକୁର ଶବକୁ ପୁଲିସ ଡିସପୋଜ୍ କରିଥିଲା। କିନ୍ତୁ କୁକୁର କାହାର, କିଏ ଆଣି ପକାଇଥିଲା ସେ ସମ୍ପର୍କରେ ପୁଲିସକୁ କିଛି ଟେର୍ ମିଳି ନ ଥିଲା।

ସମ୍ବନ୍ଧିତ ଖବର