୬ଶହ ଅପରାଧୀଙ୍କୁ ଖୋଜୁଛି ପୁଲିସ

କମିସନରେଟ୍‌ ପୁଲିସର ଅପରେସନ୍‌  କ୍ଲିନ ସ୍ୱିପ୍‌ ଆରମ୍ଭ

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ କମିସନରେଟ୍‌ ପୁଲିସର ଅପରେସନ୍‌ କ୍ଲିନ୍‌ ସ୍ୱିପ୍‌ ଆରମ୍ଭ ହୋଇଛି। କଟକ ଓ ଭୁବନେଶ୍ୱରରେ ଥିବା ୬ଶହ ଅପରାଧୀଙ୍କୁ ଏବେ କମିସନରେଟ୍‌ ପୁଲିସ ଖୋଜିବା ଆରମ୍ଭ କରିଛି। ଯେକୌଣସି ପ୍ରକାରେ ସେମାନଙ୍କୁ ଗିରଫ କରି ପୁଣି ଥରେ ଜେଲ୍‌ରେ ଭର୍ତି କରିବାକୁ ପଣ ନେଇଛନ୍ତି ଖୋଦ ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ। ଭୁବନେଶ୍ୱର ଓ କଟକର ୩୭ଟି ଥାନାର ଥାନାବାବୁ ଓ ଏସିପିମାନଙ୍କୁ ନିର୍ଦେଶ ଦେଇଛନ୍ତି,  ଅପରାଧୀମାନଙ୍କୁ ୧୧୦ ଦଫା, ଏନ୍‌ବିଡବ୍ଲ୍ୟୁ ବଳରେ ଗିରଫ କର। ଏପରିକି ଯେଉଁମାନେ ଜାମିନ୍‌ରେ ଆସିଛନ୍ତି ସେମାନଙ୍କ ଗତବିଧିକୁ ଲକ୍ଷ୍ୟ ରଖି ପୁଣି ଥରେ ଗିରଫ କରିବାକୁ କୁହାଯାଇଛି। ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅପରେସନ୍‌ କ୍ଲିନ୍‌ ସୁଇପ ଆସନ୍ତା ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମାତ୍ର ୪ ଦିନ ମଧ୍ୟରେ  ଉଭୟ ଭୁବନେଶ୍ୱର ଓ କଟକ ପୁଲିସ ପାଖାପାଖି ୫୩ ଜଣଙ୍କୁ  ଗିରଫ କରି ସାରିଲାଣି। ଗିରଫ ସଂଖ୍ୟା ଆହୁରି ବଢ଼ିବ ବୋଲି ସୂଚନା ଦେଇଛନ୍ତି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ। କଟକ ଓ ଭୁବନେଶ୍ୱରରେ କିଛି ଅପରାଧୀ ଜାମିନ୍‌ରେ ଆସି ଅପରାଧ ଆରମ୍ଭ କରିଛନ୍ତି। ସେମାନଙ୍କୁ ଗିରଫ କରିବାକୁ ସ୍ପେସାଲ୍‌ସ୍କ୍ଵାଡ୍‌ ଓ କ୍ୟୁଏଟି ସହିତ ଥାନା ପୁଲିସକୁ ମଧ୍ୟ କୁହାଯାଇଛି। ପ୍ରତ୍ୟେକ ଥାନାଧିକାରୀଙ୍କୁ ଟାର୍ଗେଟ ମଧ୍ୟ ଦିଆଯାଇଛି। କୁହାଯାଇଛି ଯେମିତି ହେଲେ ଅପରାଧୀ ଦମନ କର।  ଏହାକୁ ଆଳ କରି ନୂଆକରି ବିଭିନ୍ନ ଥାନାରେ ଯୋଗ ଦେଇଥିବା ଇନ୍ସପେକ୍ଟରମାନଙ୍କର ଦକ୍ଷତା ମଧ୍ୟ ପୁଲିସ କମିସନର ମାପିବେ।

ପୁଲିସ କମିସନର୍‌ଙ୍କ ଏଭଳି ଅପରାଧ ଦମନ ନୀତି ଖବର ପାଇବା ପରେ ଅପରାଧୀଙ୍କ ମହଲରେ ଛନକା ପଶି ଯାଇଛି। ଗତ ଦୁଇ ଦିନ ହେବ କମିସନରେଟ୍‌ ପୁଲିସର ଏଭଳି ଧରପଗଡ଼ ପରେ ଏବେ ଅନେକ ଅପରାଧୀ ଅଣ୍ଡରଗ୍ରାଉଣ୍ଡ ହୋଇ ଯିବାକୁ ବସିଛନ୍ତି।  ପୁଲିସ କମିସନର୍‌ ଶ୍ରୀ ଖୁରାନିଆ କହିଛନ୍ତି, ଆଗକୁ ହକି ବିଶ୍ୱକପ୍‌, ବିଧାନସଭା ଚାଲିବାକୁ ଅଛି।  ଏହି ସମୟରେ ପୁଲିସ ବ୍ୟସ୍ତ ରହିବ। ଏବେ ଟିକେ ଆଇନଶୃଙ୍ଖଳା ବୋଝ ନାହିଁ। ତେଣୁ ଅପରାଧୀମାନଙ୍କ ବିରୋଧରେ ଅପରେସନ୍‌ ‘କ୍ଲିନ୍‌ ସୁଇପ’ ଆରମ୍ଭ କରାଯାଇଛି। ଏ ନେଇ ସମସ୍ତ ଥାନା ଇନ୍ସପେକ୍ଟର ଓ ଏସିପିମାନଙ୍କୁ କଡ଼ା ନିର୍ଦେଶ ହୋଇଛି, ତୁରନ୍ତ ଅପରାଧୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। କମିସନରେଟ୍‌ ପୁଲିସର ଏଭଳି ଅପରେସନ୍‌କୁ ଅନେକ ବୁଦ୍ଧିଜୀବୀ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର