କିଙ୍ଗପିନ୍‌କୁ ଖୋଜୁଛି ପୁଲିସ

ରାଜଧାନୀରେ ସ୍ପା’ ନାମରେ ସେକ୍ସ ର‍୍ୟାକେଟ୍‌

ଭୁବନେଶ୍ୱର: ଖାରବେଳନଗର ଥାନା ପୁଲିସ ଥାଇଲାଣ୍ଡ ଯୁବତୀଙ୍କୁ ନେଇ ରାଜଧାନୀରେ ସ୍ପା’ ନାଁରେ ଚାଲୁଥିବା ଏକ ହାଇପ୍ରୋଫାଇଲ୍‌ ସେକ୍ସ ର‍୍ୟାକେଟ୍‌ର ପର୍ଦାଫାସ କରିବା ପରେ ଏବେ ଏହାର କିଙ୍ଗପିନ୍‌କୁ ଖୋଜିବା ଆରମ୍ଭ କରିଛି। କିଏ ଏହି ବିଦେଶୀ ଯୁବତୀଙ୍କୁ ଆଣି ଏଭଳି ସେକ୍ସ ର‍୍ୟାକେଟ୍‌ ଚଳାଉଥିଲା? ରାଜଧାନୀରେ ଦେହ ବେପାରର ବାଦ୍‌ଶାହା କୁହାଯାଉଥିବା ସୁନୀଲ ମେହେର ପରେ କିଏ ରାଜଧାନୀରେ ଏଭଳି ଏକ ସେକ୍ସ ର‍୍ୟାକେଟ୍‌ର ମଙ୍ଗ ଧରିଛି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏପଟେ ସ୍ପା’ ମାଲିକ ଶ୍ରୀନିବାସ ନନ୍ଦ ଏବେ ଫେରାର ହୋଇଯାଇଛି। ଶ୍ରୀନିବାସ କିଏ, କେତେ ଦିନ ଧରି ସେ ଏଭଳି ସ୍ପା ନାଁରେ ସେକ୍ସ ର‍୍ୟାକେଟ୍‌ ଚଳାଉଥିଲା ତାକୁ ନେଇ ତନାଘନା କରୁଛି ପୁଲିସ। ଶ୍ରୀନିବାସକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ଆଡ଼େ ଜାଲ ବିଛାଇଛି। ସେହିପରି ଘର ମାଲିକ ତଥା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ମଧ୍ୟ ଖାରବେଳନଗର ଥାନା ପୁଲିସ ନୋଟିସ୍‌ ଜାରି କରିଛି। କେଉଁ ପରିସ୍ଥିତିରେ ସେ ନିଜ ଘରକୁ ଶ୍ରୀନିବାସଙ୍କୁ ଭଡ଼ାରେ ଦେଇଥିଲେ, ଶ୍ରୀନିବାସଙ୍କ ସହିତ କେମିତି ତାଙ୍କର ଚିହ୍ନା ପରିଚୟ ହୋଇଥିଲା ଏ ନେଇ ତାଙ୍କୁ ପଚରାଉଚରା କରାଯିବ। ଶ୍ରୀନିବାସଙ୍କ ସହିତ ହୋଇଥିବା ତାଙ୍କ ରାଜିନାମା କପିକୁ ମଧ୍ୟ ତୈ୍ରଲୋକ୍ୟଙ୍କୁ ପୁଲିସ ନିକଟରେ ଦାଖଲ କରିବାକୁ କୁହାଯାଇଛି। ତାଙ୍କୁଠାରୁ ସନ୍ତୋଷଜନକ ଉତ୍ତର ନ ପାଇଲେ ତାଙ୍କର ସେହି ଘରକୁ ବେଶ୍ୟାଳୟ ଘୋଷଣା କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆଜି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜଧାନୀରେ ଚାଲୁଥିବା ଏଭଳି ସେକ୍ସ ର‍୍ୟାକେଟ୍‌ ଉପରେ ଆଗାମୀ ଦିନରେ ଜୋରଦାର ଚଢ଼ଉ ହେବ। ଖାରବେଳନଗର ଥାନା ପୁଲିସ ଗିରଫ କରିଥିବା ବିଦେଶୀ ସେକ୍ସ ର‍୍ୟାକେଟ୍‌ର ମୂଳ ଯାଏ ପୁଲିସ ପହଞ୍ଚିବାକୁ ନିର୍ଦେଶ ହୋଇଛି। କେମିତି ଏହି ସେକ୍ସ ର‍୍ୟାକେଟ୍‌ ଚାଲୁଥିଲା, ବିଦେଶୀ ଯୁବତୀମାନଙ୍କୁ କେମିତି ଭୁବନେଶ୍ୱର ଅଣାଯାଉଥିଲା, ଯୁବତୀମାନେ ଟୁରିଷ୍ଟ ଭିସା ପାଇ କେମିତି ଏକ ସ୍ପା’ରେ କାମ କରୁଥିଲେ ସେ ନେଇ ତଦନ୍ତ କରାଯିବ। ଅନ୍ୟପକ୍ଷରେ ଏହି ୩ ଥାଇ ଯୁବତୀ ଧରାପଡ଼ିବା ନେଇ ଥାଇଲାଣ୍ଡ ହାଇକମିସନର୍‌ଙ୍କୁଅବଗତ କରାଯାଇଛି। ଯେହେତୁ ସେମାନେ ପାସପୋର୍ଟ ନିୟମକୁ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦେଶିନୀମାନଙ୍କୁ ଏବେ ଖୋର୍ଧା ସର୍ଟ ଷ୍ଟେ ହୋମରେ ରଖାଯାଇଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଥାଇଲାଣ୍ଡ ପଠାଇ ଦିଆଯିବ ବୋଲି ପୁଲିସ କମିସନର୍‌ ଖୁରାନିଆ କହିଛନ୍ତି।

କିଏ ଏଇ ‘ଭୁବନେଶ୍ୱର ଦିଦି’?

ଶ୍ରୀନିବାସ ଏହି ସେକ୍ସ ର‍୍ୟାକେଟ ମୁଖ୍ୟ ନାଁ ଆଉ କେହି ଅଛି ସେନେଇ ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି। କାରଣ ଶୁକ୍ରବାର ଯେତେବେଳେ ପୁଲିସ ବିଦେଶୀ ଯୁବତୀଙ୍କୁ ଥାନାକୁ ଆଣିଥିଲା ସେତେବେଳେ ବିଦେଶୀ ଯୁବତୀ ଓ ସ୍ପା କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌କୁ ‘ଭୁବନେଶ୍ୱର ଦିଦି’ ନାମରେ ସଂରକ୍ଷିତ ଥିବା ନମ୍ବରରୁ ବାରମ୍ବାର ଫୋନ୍‌ କଲ୍‌ ଆସୁଥିଲା। ତେଣୁ ଏହି ‘ଭୁବନେଶ୍ୱର ଦିଦି’ ଜଣକ କିଏ ତାକୁ ନେଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି। ଏହା ଛଡ଼ା ପୁଲିସ ସ୍ପା ଭିତରୁ ଏକ ରେଜିଷ୍ଟର ଜବତ କରିଥିଲା। ଯେଉଁଥିରେ ଅନେକ ହାଇପ୍ରୋଫାଇଲ୍‌ ବ୍ୟକ୍ତି ବିଶେଷଙ୍କ ନାଁ ଥିଲା। ସେମାନଙ୍କୁ ମଧ୍ୟ ଯାଞ୍ଚ ପରିସରଭୁକ୍ତ କରାଯିବ ବୋଲି ଖାରବେଳନଗର ଥାନା ଇନ୍ସପେକ୍ଟର ଅନୁପ କାନୁନ୍‌ଗୋ କହିଛନ୍ତି।

ଏଠାରେ ପ୍ରକାଶଥାଉକି, ଗତକାଲି ଖାରବେଳନଗର ଥାନା ପୁଲିସ ୟୁନିଟ-୩ ଖାରବେଳନଗରରେ ଥିବା ହେଭେନ ଥାଇ ସ୍ପା’ରେ ମସାଜ୍‌ ଆଳରେ ଦେହ ବେପାର ହେଉଥିବା ଜାଣିବା ପରେ ଏହା ଉପରେ ଚଢ଼ଉ କରି ୩ ଥାଇଲାଣ୍ଡ ଯୁବତୀଙ୍କ ସମେତ ୫ ଜଣ ରୂପଜୀବୀଙ୍କ ଉଦ୍ଧାର କରିଥିଲା ଏବଂ ଦୁଇ ଗ୍ରାହକ ଓ ଦୁଇ ଜଣ ସ୍ପା କର୍ମଚାରୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର