ବାବା ଆର୍ତ୍ତତ୍ରାଣଙ୍କ ନାଁରେ ଥାନାରେ ଏତଲା : ଲୁମ୍ବିନି ବିହାର ଆଶ୍ରମରୁ ପୁଲିସ ଫେରିଲା

ଚନ୍ଦ୍ରଶେଖରପୁର : ‌ମହାମାରୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିଦେବେ ବୋଲି ଦାବି କରୁଥିବା ଚର୍ଚ୍ଚିତ ବାବା ଆର୍ତ୍ତତ୍ରାଣଙ୍କ ବିରୋଧରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲୋକଙ୍କୁ ଅନ୍ଧବିଶ୍ବାସର ବଶବର୍ତ୍ତୀ କରିବାକୁ ବାବାଙ୍କ ଅପଚେଷ୍ଟା ବିରୋଧରେ ଏହି ଅଭିଯୋଗ ହୋଇଛି। ଆଇନଜୀବୀ ତପନ ହରିଚନ୍ଦନ ଡାକ ଯୋଗେ ଥାନାକୁ ଅଭିଯୋଗ ପଠାଇବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ବାବାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ଲୁମ୍ବିନୀବିହାରସ୍ଥିତ ଦିବ୍ୟ ଚିକିତ୍ସା ଆଶ୍ରମକୁ ଯାଇ ଖାଲି ହାତରେ ଫେରିଥିବା ଜଣାପଡ଼ିଛି। ବାବା ଓ ତାଙ୍କ ସହଯୋଗୀମାନେ ଏହି ଆଶ୍ରମ ଛାଡ଼ି ଜଗତ୍‌ସିଂହପୁର ଆଶ୍ରମକୁ ଚାଲି ଯାଇଥିବାରୁ ପୁଲିସ ତାଙ୍କୁ ପଚରାଉଚରା କରି ପାରିନାହିଁ। ପରେ ପୁଲିସ ତାଙ୍କୁ କିଭଳି ଯୋଗାଯୋଗ କରିବ ଓ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ସ୍ପଷ୍ଟ ହୋଇନାହିଁ।

ଆଇନଜୀବୀ ଶ୍ରୀ ହରିଚନ୍ଦନଙ୍କ ଅଭିଯୋଗ ଅନୁଯାୟୀ, ସମଗ୍ର ବିଶ୍ବରେ ବୈଜ୍ଞାନିକମାନେ ମହାମାରୀ କରୋନା ଉପଚାର ପାଇଁ ଔଷଧ ତିଆରି କରିବାରେ ଲାଗି ପଡ଼ିଛନ୍ତି ଓ ଏ ପର୍ଯ୍ୟନ୍ତ ପୂରା ସଫଳତା ପାଇପାରି ନାହାନ୍ତି। ତେଣୁ ସମଗ୍ର ବିଶ୍ବବାସୀ ଏକ ଘଡ଼ିସନ୍ଧି ସମୟରେ ଆତଙ୍କିତ ଅବସ୍ଥାରେ ଗତି କରୁଛନ୍ତି। ଠିକ୍ ଏମିତି ପ୍ରତିକୂଳ ସମୟର ସୁଯୋଗ ନେଇ ବାବା ଆର୍ତ୍ତତ୍ରାଣ ଲୋକଙ୍କ ମୁଣ୍ଡରେ ଅନ୍ଧବିଶ୍ବାସ ଭର୍ତ୍ତି କରିବାକୁ ଉଦ୍ୟମ କରିଛନ୍ତି। ବୁଡ଼ି ଯାଉଥିବା ଲୋକେ କୁଟାଖିଅକୁ ଆଶ୍ରା କରିବା ନ୍ୟାୟରେ ଲୋକେ ବାବାଙ୍କ କଥାକୁ ବିଶ୍ବାସ କରିବା ସମ୍ଭାବନା ଥିବାରୁ ସେ କରୋନା ଭଲ କରିଦେବାର ମିଛ ଦାବି ପ୍ରଚାର କରାଇଛନ୍ତି। ଏହି ହୀନ ଉଦ୍ୟମ ପଛରେ ତାଙ୍କର ବେପାର ନିଶା ନିହିତ ରହିଛି। ସାଧାରଣ ‌ଲୋକେ ବାବାଙ୍କ ଏଭଳି ଦାବିକୁ ଗ୍ରହଣ କରି ଶୋଷଣର ଶିକାର ହେବେ ବୋଲି ଅଭିଯୋଗକାରୀ ଏତଲାରେ ଦର୍ଶାଇଛନ୍ତି। ତେଣୁ ଏହାକୁ ଏକ ଅତି ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରିବାକୁ ଅଭିଯୋଗକାରୀ ପୁଲିସକୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାବାଙ୍କ ଏଭଳି ଦାବିକୁ ପ୍ରଥମେ ବିରୋଧ କରିଥିଲେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ। ବାବାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ।

ସୂଚନା‌ଯୋଗ୍ୟ, ବାବା କରୋନା ମହାମାରୀକୁ ଅତି ସାମାନ୍ୟ ରୋଗ ବୋଲି କହିଥିଲେ। ଝଡ଼ା ଫୁଙ୍କାରେ ସେ ଏହି ରୋଗକୁ ଭଲ କରିଦେବେ ବୋଲି ଗଣମାଧ୍ୟମ ଆଗରେ ଜୋର୍‌ ଦେଇ କହିଥିଲେ। ଏମିତିକି ତାଙ୍କୁ ‌କୋଭିଡ୍‌ ହସ୍ପିଟାଲ୍ ଭିତରକୁ ଯିବା ପାଇଁ ସରକାର ଅନୁମତି ଦିଅନ୍ତୁ ଓ ସେ ସମସ୍ତଙ୍କୁ ଛୁଇଁ ଦେଇ ଆରୋଗ୍ୟ କରିଦେବେ ବୋଲି କହିଥିଲେ। ସେହିଭଳି ତାଙ୍କୁ ଗୋଟିଏ ଫୋନ୍ କଲ୍ କଲେ ମଧ୍ୟ ସେ କରୋନା ଆକ୍ରାନ୍ତଙ୍କୁ ମନ୍ତ୍ର ଦ୍ବାରା ସୁସ୍ଥ କରିଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର