ମିଛ ନ୍ୟୁଜ୍ ପ୍ରସାରଣ ଅଭିଯୋଗରେ ଥାନାରେ ମାମଲା : ଗଣମାଧ୍ୟମ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ କଲା ବିଏମ୍‌ସି

ଭୁବନେଶ୍ବର : କେନ୍ଦ୍ର ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜଣଙ୍କ ପିଛା ଦେଢ଼ରୁ ଅଢ଼େଇ ଲକ୍ଷ ଟଙ୍କା ଦେଉଛନ୍ତି। ଏହାକୁ ବିଏମ୍‌ସି ସମେତ କେତେକ ଘରୋଇ ହସ୍ପିଟାଲ ଯଥା କିମ୍‌ସ, ସମ୍‌, ହାଇଟେକ୍‌ ଏବଂ ସ୍ବାସ୍ଥ୍ୟ ବିଭାଗ ଆତ୍ମସାତ୍ କରୁଛନ୍ତି। ଏହାସହ ଉପରୋକ୍ତ ହସ୍ପିଟାଲଗୁଡ଼ିକୁ ଦିନକୁ ଶହେଟି କୋଭିଡ୍‌ ରୋଗୀ ଯୋଗାଇଦେବାକୁ ଧାର୍ଯ୍ୟ କରାଯାଇଛି। ଯେଉଁଥିପାଇଁ ବିଏମ୍‌ସି ରିପୋର୍ଟ ନେଗେଟିଭ୍ ଥିବା କରୋନା ଆକ୍ରାନ୍ତ ହୋଇ ନଥିବା ଲୋକଙ୍କୁ ବି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଦେଉଛି। ଏହିଭଳି କଥାବାର୍ତ୍ତା ହେଉଥିବା ଏକ ଅଡିଓ ଟେପ୍‌କୁ ଏକ ବୈଦ୍ୟୁତିକ ଗଣମାଧ୍ୟମ ଗତ ୬ ତାରିଖରେ ପ୍ରସାରଣ କରିଥିଲା। ଏହାଦ୍ବାରା ଅଧିକ ଲୋକ କରୋନା ଚିକିତ୍ସାଠାରୁ ଦୂରେଇ ଯିବେ। ଏହିଭଳି ମିଛ ଖବର ଦ୍ବାରା ଲୋକଙ୍କ ଉପରେ କୁ-ପ୍ରଭାବ ପଡ଼ିବ। ଲୋକ ହସ୍ପିଟାଲ ଆସିବାକୁ ରାଜି ହେବେନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ବେଳେ ଏହିଭଳି ମିଛ, ଭିତ୍ତିହୀନ ଖବର ପ୍ରସାରଣ ନ କରିବାକୁ ଏନ୍‌ଡିଏମ୍‌ଏ ଗାଇଡଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର ବି ରୋକ୍ ଲଗାଇଛନ୍ତି। କିନ୍ତୁ ବାରମ୍ବାର ମିଛ ଖବର ପ୍ରସାରଣ ହେଉଛି। ତେଣୁ ଏନେଇ ବିଏମ୍‌ସି ପକ୍ଷରୁ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଉତ୍ତର ୪୮ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି। ଏହାସହ ସଂସ୍ଥା ନାମରେ ଥାନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଅପରପକ୍ଷେ ଏହି ଘଟଣାରେ ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଏସ୍‌.କେ ଆଚାର୍ଯ୍ୟ ଓ ପ୍ରଫେସର୍‌ ରବୀନ୍ଦ୍ର ନାଥ ବେହେରା ଏହାର ପ୍ରତିବାଦ କରିଛନ୍ତି।

ସମ୍ବନ୍ଧିତ ଖବର