ପୁଲିସ ଫୋକସ୍‌ରେ ବସ୍ତି: ସବୁ ସନ୍ଧ୍ୟାରେ ହେବ ପାଟ୍ରୋଲିଂ

ପ୍ରତି ଥାନାରୁ ଜଣେ ହେବେ ନୋଡାଲ ଅଫିସର

ଭୁବନେଶ୍ବର: କମିସନରେଟ୍‌ ପୁଲିସ ପକ୍ଷରୁ ପୁଣିଥରେ ‘ବସ୍ତିକୁ ଚାଲ ଅଭିଯାନ’ ଗତ ୭ ତାରିଖରୁ ଖାରବେଳନଗର ଥାନା ଅଧୀନରେ ଥିବା ଭଗବତୀ ବସ୍ତି ଅଞ୍ଚଳରୁ ଆରମ୍ଭ ହୋଇଥିଲା। ତେବେ ଏହି ଅଭିଯାନରେ ରାଜଧାନୀର ପ୍ରମୁଖ ୧୧ଟି ଥାନାକୁ ଚୟନ କରାଯାଇଥିବା ବେଳେ ଭୁବନେଶ୍ବରର ସମସ୍ତ ଥାନାରେ ସେମାନଙ୍କ ଅଞ୍ଚଳର ବସ୍ତି ପାଇଁ ଜଣେ ପୁଲିସ କର୍ମଚାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯାଇଛି। ଏହି ନୋଡାଲ ଅଫିସରଙ୍କ ଅଧୀନରେ ପ୍ରତି ବସ୍ତି ପାଇଁ ୨ଜଣ ଓଏପିଏଫ୍ ବା କନେଷ୍ଟବଳ ନିଯୁକ୍ତ କରାଯାଇଛି। ବସ୍ତିର ସମସ୍ତ ତଥ୍ୟ ଥାନାର ନୋଡାଲ ଅଫିସରଙ୍କୁ ତଲବ କରିବେ ପ୍ରତି ବସ୍ତିର ନିଯୁକ୍ତ ଓଏପିଏଫ୍।

ସେହିଭଳି ପ୍ରତି ଥାନା ନୋଡାଲ ଅଫିସର ଡିସିପି ଅଫିସ୍‌ର ନୋଡାଲ୍ ଅଫିସର ଭାବେ ନିଯୁକ୍ତ ଇନ୍ସପେକ୍ଟର ବିଚିତ୍ରାନନ୍ଦ ସାମଲଙ୍କୁ ସମସ୍ତ ବସ୍ତିର ଟିକିନିଖି ତଥ୍ୟ ଦେବେ। ସବୁ ସନ୍ଧ୍ୟାରେ ନୋଡାଲ ଅଫିସର ଓ ଥାନାଧିକାରୀ ବସ୍ତିରେ ପାଟ୍ରୋଲିଂ କରିବେ। ଏହାବ୍ୟତୀତ ପ୍ରତି ସପ୍ତାହରେ ଗୋଟିଏ ଦିନ ଯେକୌଣସି ବସ୍ତିରେ କିଛି ବୈଠକ ନଚେତ ସ୍ବାସ୍ଥ୍ୟ ସଂପର୍କିତ ଶିବିର ଅବା ଅନ୍ୟ କିଛି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିଭଳି ପ୍ରତିଦିନ ଗୋଟିଏ ପ୍ଲାଟୁନ୍ ଫୋର୍ସ ଏହି ୧୧ଟି ଥାନାର ଯେକୌଣସି ବସ୍ତିରେ ଫ୍ଲାଗ୍‌ମାର୍ଚ କରିବେ। ଏହି ୧୧ ଥାନାର ୨ଶହ ବା ତା’ଠାରୁ କମ୍ ସଂଖ୍ୟକ ଘର ଥିବା ବସ୍ତିକୁ ଚୟନ ହୋଇଥିବା ଜଣାପଡ଼ିଛି। ଆଜି ଖଣ୍ଡଗିରି ଥାନାର ତପୋବନ ବସ୍ତିରେ ଏସିପି ଭରତ ସାହୁ, ଥାନାଧିକାରୀ ପଦ୍ମନାଭ ପ୍ରଧାନ ଓ ଖଣ୍ଡଗିରି ଥାନାର ନୋଡାଲ ଅଫିସର ନିରଂଜନ ଓଝା ବୈଠକ କରିଥିଲେ। ସେହିଭଳି ନୂଆପଲ୍ଲୀ ଥାନାରେ ନୋଡାଲ ଅଫିସର ଆର୍‌ଏନ୍ ପାତ୍ରଙ୍କ ନେତୃତ୍ବରେ ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର