ବସ୍ତିକୁ ଚାଲ ଅଭିଯାନରେ ପୁଲିସକୁ ସହଯୋଗ କରିବେ ‘ପୁଲିସ ମିତ୍ର’

୧୦୦ଜଣଙ୍କୁ ଯୋଜନାରେ ପଞ୍ଜୀକରଣ, ବନ୍ଧୁତ୍ବ ମାଧ୍ୟମରେ ଲୋକଙ୍କ ସୁରକ୍ଷା ଦାୟିତ୍ବ ନେବ ପୁଲିସ

ଭୁବନେଶ୍ବର: କମିସନରେଟ୍ ପୁଲିସ ବସ୍ତିରେ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ବସ୍ତିରୁ ନିଶା ଓ ଆପରାଧିକ କାର୍ଯ୍ୟ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ କରିଥିବା ‘ବସ୍ତିକୁ ଚାଲ’ ଯୋଜନାରେ ୧୦୦ଜଣ ସ୍ଥାନୀୟ ଲୋକଙ୍କୁ ବସ୍ତି ମିତ୍ର ଭାବେ ପଞ୍ଜୀକରଣ କରାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ୩୦ବସ୍ତିକୁ ଫୋକସ୍‌ରେ ନେଇଥିବା ପୁଲିସ ଏହି ଅଞ୍ଚଳରେ ଲୋକଙ୍କ ସହିତ ମିଳିତ ଭାବେ ଅପରାଧ ନିୟନ୍ତ୍ରଣ କରିବା ସହିତ ବଛା ହୋଇଥିବା ଏହି ୧୦୦ ମିତ୍ରଙ୍କ ଜରିଆରେ ଅପରାଧକୁ ନିୟନ୍ତ୍ରଣ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ‌ରେ କମିସନରେଟ୍ ପୁଲିସ ସୂଚନା ଦେଇଛି।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପଞ୍ଜୀକୃତ ୧୦୦ ପୁଲିସ ମିତ୍ରଙ୍କୁ ସ୍ବତନ୍ତ୍ର ଟି-ସାର୍ଟ ଓ ଟୋପି ପ୍ରଦାନ କରିଥିଲେ। ଏହା ସହ ନିଜ ପଦବିର ଅପବ୍ୟବହାର ନ କରିବାକୁ କଡ଼ା ତାଗିଦ୍ କରିଥିଲେ। ଆଗାମୀ ଦିନରେ ଏହି ପୁଲିସ ମିତ୍ର ଅଭିଯାନ ହଜାରେରେ ପହଞ୍ଚାଇବାକୁ ପୁଲିସ ଲକ୍ଷ୍ୟ ରଖିଛି। ଯୋଜନାକୁ ସ୍ଥିର ଓ ତୃଣମୂଳସ୍ତରରେ ପହଞ୍ଚାଇବାରେ ଅତୀତରେ କମିସନରେଟ୍ ପୁଲିସ ବିଫଳ ହୋଇଥିବାରୁ ରାଜଧାନୀରେ ବାରମ୍ବାର ଆପରାଧିକ କାର୍ଯ୍ୟକଳାପ ଘଟୁଛି। ନିଶା କାରବାର ମଧ୍ୟ ଲଗାମଛଡ଼ା ହୋଇଯାଇଛି। ତେଣୁ ନୂତନ ଢଙ୍ଗରେ ଆରମ୍ଭ ହୋଇଥିବା ‘ପୁଲିସ ମିତ୍ର’ର କାର୍ଯ୍ୟକାରିତା କେତେ ସଫଳ ହେବ, ତାକୁ ନେଇ ବିଭିନ୍ନ ମହଲ‌‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର