ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଏମିତି ଚେକିଂ କରୁଛି ଆମ କମିସନ‌‌ରେଟ୍‌ ପୁଲିସ। ଜରିମାନା ପାଇଁ ଟଙ୍କା ନ ଥିଲେ ବାଇକ୍‌ ଓ କାର୍‌ ଚାଳକଙ୍କଠାରୁ କେତେବେ‌ଳେ ଚେକିଂ ଆଳରେ ଡାଇଭ୍ରିଂ ଲାଇସେନ୍ସ ଛଡ଼ାଇ ରଖୁଛି ତ ଆଉ କେତେବେଳେ ଗାଡ଼ିର ମୂଳ କାଗଜପତ୍ର। ଆଜି କିନ୍ତୁ ସବୁ ସୀମାକୁ ପାର୍‌ ହୋଇ କିଛି ଚାକିରି ଆଶାୟୀ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଛଡ଼ାଇ ରଖିଥିଲା। ଯେଉଁ କାରଣରୁ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବାରୁ ସେମାନେ ବଞ୍ଚିତ ହୋଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଡମଣା ଛକରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। କେତେକ ଯୁବକ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବେ ବୋଲି କହିଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ଡମଣା ଛକରେ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ କେତେକ ପରୀକ୍ଷାର୍ଥୀ କିଟ୍‌ କଲେଜକୁ ଏସ୍‌ଏସ୍‌ସି ପରୀକ୍ଷା ଦେବାକୁ ଯାଉଥିଲେ। କିନ୍ତୁ ଡମଣା ଛକରେ ଚେକିଂ କରୁଥିବା ପୁଲିସ ପରୀକ୍ଷାର୍ଥୀମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ଗାଡ଼ିର ବିଭିନ୍ନ ପ୍ରକାର କାଗଜପତ୍ର ଦେଖାଇବା ପାଇଁ କହିଥିଲେ। ପରୀକ୍ଷାର୍ଥୀମାନେ କିଟ୍ କଲେଜ୍ ନିକଟରେ ଚାଲିଥିବା ଏସ୍ଏସ୍‌ସି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବିଳମ୍ବ ହେଉଛି ବୋଲି ଦର୍ଶାଇ ପ୍ରବେଶିକାପତ୍ର ଦେଖାଇବାରୁ ପୁଲିସ ସେମାନଙ୍କୁ ନାଲି ଆଖି ଦେଖାଇବା ସହ ପ୍ରବେଶିକାପତ୍ର ଛଡ଼ାଇ ନେଇଥିଲା। ପ୍ରତି ବଦଳରେ ସେମାନଙ୍କୁ ୫୦୦ଟଙ୍କା ଲେଖାଏଁ ଜରିମାନା ପଇଠ କରିବା ପାଇଁ କହିଥିଲା। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପରୀକ୍ଷାର୍ଥୀମାନଙ୍କୁ ଛାଡ଼ିଦେବା ପାଇଁ କହିଥିଲେ ହେଁ ଚେକିଂ ଦାୟିତ୍ବରେ ‌ଥିବା ପୁଲିସ୍ କାହା କଥା ଶୁଣି ନଥିଲେ। ତେଣୁ ଛାତ୍ରଛାତ୍ରୀମାନେ ଅଳ୍ପ କିଛି ଜରିମାନା ଦେଇ ସେଠାରୁ ଚାଲି ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ୍ ସେମାନଙ୍କର ପ୍ରବେଶିକାପତ୍ର ‌ଦେବାରେ ବିଳମ୍ବ କରିଥିଲା। ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।

publive-image Image Courtesy: OST

ସୂଚନା ଥାଉକି ଏପରି ଚେକିଂ ଚାଲୁଥିବା ଘଟଣାକୁ ନେଇ ଚନ୍ଦ୍ରଶେଖରପୁର କିମ୍ବା ଇନ୍‌ଫୋସିଟି ଥାନା ଅଧିକାରୀଙ୍କ ନିକଟ‌ରେ କୌଣସି ସୂଚନା ନଥିବା ବେଳେ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଚେକିଂ ଚାଲିଥିବା ଜଣାପଡ଼ିଛି। ତେବେ ଟ୍ରାଫିକ୍ ଚେକିଂ କରୁଥିବା ଅଧିକାରୀଜଣଙ୍କ ଏନେଇ କୌଣସି ମତାମତ ଦେବା ପାଇଁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ଅପରପକ୍ଷରେ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀମାନେ ଏନେଇ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି। ନିୟମ ଅନୁଯାୟୀ, ଜରିମାନା ଆଦାୟ ବେଳେ ବାଇକ୍‌ କିମ୍ବା କାର୍‌ ଚାଳକଙ୍କ ନିକଟରେ ଟଙ୍କା ନଥିଲେ ପୁଲିସ ଚାହିଁଲେ ମାମଲା ରୁଜୁ କରିପାରିବ। ଏପରିକି କାର୍‌ ଓ ବାଇକ୍ ମାଲିକଙ୍କୁ ନୋଟିସ୍‌ ମଧ୍ୟ କରିପାରିବ। କୌଣସି ପରିସ୍ଥିତିରେ ବାଇକ ଓ କାର୍‌ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର ଓ ଅତ୍ୟାବଶକ କାଗଜପତ୍ର ରଖିପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ କମିସନରେଟ ପୁଲିସ ଟାର୍ଗେଟ୍‌ ପୂରଣ କରିବାକୁ ଯାଇ ଏଭଳି ବ୍ୟବହାର କରୁଥିବା ଅଭିଯୋଗ ହେଉଛି।