କରୋନା କଟକଣା ଉପରେ ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ରଖିଲା ପୁଲିସ

ରାଜ୍ୟ ପୁଲିସ ଟ୍ବିଟରରେ ବିସ୍ତୃତ ବର୍ଣ୍ଣନା
ରାତିରେ କମିସନରେଟ ପୁଲିସ ସହ ଡିଜିଙ୍କ ଭିଡିଓ କନଫରେନ୍ସିଂ
ଅତ୍ୟାବଶ୍ୟକ ସାମଗ୍ରୀ ପରିଚାଳନାକୁ ଗୁରୁତ୍ବ: ସିପି

ଭୁବନେଶ୍ବର : କରୋନା ମୁକାବିଲା ଲାଗି ପ୍ରଥମେ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯିବାର ମାତ୍ର କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। କେବଳ ସାମଜିକ ଦୂରତା ଏକମାତ୍ର ବାଟ ହୋଇଥିବାରୁ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘରେ ରହିଲେ ହିଁ କରୋନାକୁ ମୁକାବିଲା କରି‌‌ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି ସ୍ଥିତିରେ ପୁଲିସର ଦାୟିତ୍ବ ବହୁତ ବଢ଼ି ଯାଇଛି। ରାଜ୍ୟ ପୁଲିସକୁ ବି ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡ଼ିଛି। ଲକ୍‌-ଡାଉନ୍ କ’ଣ? ଏହି ସମୟରେ ସାଧାରଣ ଲୋକଙ୍କୁ କ’ଣ କରିବାକୁ ପଡ଼ିବ? କେଉଁମାନେ ବାହାରକୁ ଯାଇ ପାରିବେ ଓ କେଉଁମାନେ ଯାଇ ପାରିବେ ନାହିଁ? କେଉଁ ପ୍ରତିଷ୍ଠାନ ବନ୍ଦ ରହିବ? କାର୍ଯ୍ୟାନୁଷ୍ଠାନ କ’ଣ ରହିବ? ଏଭଳି ଏକାଧିକ ପ୍ରଶ୍ନ ରାଜ୍ୟର ସବୁ ପୁଲିସ ଅଧିକାରୀ ଓ ଥାନାକୁ ଲକ୍ଷ ଲକ୍ଷ ଲୋକ ବାରମ୍ବାର ପଚାରିଥିଲେ। ପୁଲିସ ଡିଜି, ଓଡ଼ିଶା ପୁଲିସ, ପୁଲିସ କମିସନରଙ୍କ ସମେତ ବିଭିନ୍ନ ଜିଲ୍ଲା ପୁଲିସ ଟ୍ବିଟର୍, ସୋସିଆଲ୍ ମିଡିଆରେ ପ୍ରଶ୍ନ ପଚାରିଥିଲେ ସାଧାରଣ ଜନତା। ଓଡ଼ିଶା ପୁଲିସ ପକ୍ଷରୁ ଟ୍ବିଟର୍‌ରେ ବିସ୍ତୃତ ଭାବେ ଏହାର ଗୋଟି ଗୋଟି କରି ସବୁ ଉତ୍ତର ଦିଆଯାଇଛି।

ଜରୁରୀକାଳୀନ ସେବା ମେଡିକାଲ, କ୍ଲିନିକ୍‌ରେ କାର୍ଯ୍ୟରତ ଡାକ୍ତର, ଷ୍ଟାଫ୍, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଅଗ୍ନିଶମ, ଓଡ୍ରାଫ୍, ପୁଲିସ, ଜେଲ ବିଭାଗ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟୀ ଯାଇ ପାରିବେ। ବିନା କାମରେ ଯିବାର କୌଣସି ଆବଶ୍ୟକତା ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପରିବାରର ଜଣେ ସଦସ୍ୟ ଚାଲି ଚାଲି ଯାଇ ପାଖ ମାର୍କେଟ୍‌ରୁ ଆଣି ପାରିବେ। ମହାମାରୀ ଆଇନ-୧୮୮୭ ଅନୁସାରେ ଏହି ଲକ୍‌-ଡାଉନ୍ କରାଯାଉଛି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ପୁଲିସ ସୂଚନା ଦେଇଛି। ଯେଉଁମାନେ ଆଇନ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଆଇପିସି ଦଫା-୧୮୮, ୨୬୯, ୨୭୦, ୨୭୧ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ତତକ୍ଷଣାତ୍ ଗିରଫ କରିପାରିବ। ଧାର୍ମିକ, ସାମାଜିକ, ରାଜନୈତିକ ଭିଡ଼ କେହି କରିପାରିବେ ନାହିଁ। ୭ ଜଣରୁ ଅଧିକ ସଂଖ୍ୟାରେ ଲୋକ ବୁଲିପାରିବେ ନାହିଁ କିମ୍ବା ଭିଡ଼ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ କରୋନା ମହାମାରୀ ରୂପ ନେଇଥିବାରୁ ଏହାର ଭୟାବହତା ସମ୍ପର୍କରେ ଲୋକଙ୍କୁ ବୁଝାଇଛି ଓଡ଼ିଶା ପୁଲିସ। ଏଥିଲାଗି କୌଣସି ​ଔଷଧ ପ୍ରସ୍ତୁତ ହୋଇ ନ ଥିବା ବେଳେ ସାମାଜିକ ଦୂରତା ଓ ଘରେ ରହିବା ଏକମାତ୍ର ପ୍ରତିଷେଧକ ବୋଲି ପୁଲିସ କହିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ସଚେତନତା ଓ ସତର୍କତା ଅଧିକ ଜରୁରୀ ବୋଲି ପୁଲିସ ବୁଝାଇଛି।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାତିରେ ପୁଲିସ ଡିଜି ଅଭୟ ଭିଡିଓ କନଫରେନ୍ସିଂ ଜରିଆରେ ପୁଲିସ କମିସନର, ଅତିରିକ୍ତ ପୁଲିସ କମିସନର, ଭୁବନେଶ୍ବର ଓ କଟକ ଡିସିପିଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକ୍‌-ଡାଉନ୍‌ ଘୋଷଣା କରିଥିବାରୁ ଏହି ସମୟରେ ଅତ୍ୟାବଶ୍ୟକ ସେବା ପରିଚାଳନା ଉପରେ ଡିଜି ଗୁରୁତ୍ବାରୋପ କରିଥିବା ଜଣାପଡ଼ିଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ଜନସାଧାରଣ ଧୀରେ ଧୀରେ ସଚେତନ ହେଉଛନ୍ତି। ରାସ୍ତାରେ ଲୋକଙ୍କ ସଂଖ୍ୟା କମୁଛି। ଲୋକ ସଚେତନ ହେଲେ କରୋନାକୁ ମୁକାବିଲା କରିହେବ। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ପରିଚାଳନା ଉପରେ ପୁଲିସ ଗୁରୁତ୍ବ ଦେଉଛି। ମାଲଗୋଦାମ ହେଉ କି ଟ୍ବିନସିଟିରେ ଥିବା ବଡ଼ ବଡ଼ ଗୋଦାମରୁ କିପରି ରିଟେଲ୍ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ସୁପରିଚାଳନା ହୋଇପାରିବ ତା’ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସେହିପରି ଜରୁରୀ କାମ ନ ଥିଲେ ଲୋକେ ଘରୁ ନ ବାହାରନ୍ତୁ ବୋଲି ପୁଣି ଥରେ ଅନୁରୋଧ କରିଛନ୍ତି ପୁଲିସ କମିସନର।

ସମ୍ବନ୍ଧିତ ଖବର