୫୦ ବର୍ଷରୁ ବୟସ୍କ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି କଲେ ପୁଲିସ କମିସନର : ମଧୁମେହ, ଉଚ୍ଚ ରକ୍ତଚାପ ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହାକୁ ଆଖି ଆଗରେ ରଖି କମିସନରେଟ ପୁଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବୟସ୍କ ପୁଲିସ କର୍ମଚାରୀଙ୍କ ବାଧ୍ୟତାମୂଳକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ପୁଲିସ କମିସନର। ସବୁ ଥାନା, ବିଭିନ୍ନ ବାଟାଲିଅନ୍, ଟ୍ରାଫିକରେ କାର୍ଯ୍ୟରତ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ମଧୁମେହ ଓ ଉଚ୍ଚ ରକ୍ତଚାପ ପରୀକ୍ଷା ଲାଗି କୁହାଯାଇଛି। ଗତ ସପ୍ତାହେ ତଳେ ଏ ନେଇ ନିର୍ଦ୍ଦେଶନାମା ଜାରି କରା ଯାଇଥିଲା। କିନ୍ତୁ ସମସ୍ତଙ୍କର ପରୀକ୍ଷା ଶେଷ ହୋଇ ନ ଥିବାରୁ ଆସନ୍ତାକାଲି ସୁଦ୍ଧା ପରୀକ୍ଷା କରିବା ଲାଗି କୁହାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନେ ଥାନା ଆଇଆଇସିଙ୍କ ନିକଟରେ ଦାଖଲ କରିବେ। ଯଦି କେହି ଉଚ୍ଚ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ଥିବେ ସେମାନଙ୍କୁ କରୋନା ଡ୍ୟୁଟିରୁ ବାଦ୍ ଦିଆଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ରିଜର୍ଭ ପୁଲିସର ଜଣେ କର୍ମଚାରୀ ପଜିଟିଭ୍ ବାହାରିବା ପରେ ୫୫ ବର୍ଷରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଫିଲ୍ଡ ଡ୍ୟୁଟିରେ ବାଦ୍ ଦେବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର