ହୋଟେଲ୍‌ରେ ମହିଳାଙ୍କୁ ହତ୍ୟା: ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି

ଭିଣୋଇ ଓ ମା’ଙ୍କୁ ପଚରାଉଚରା, ମିଳୁନି ଲକ୍ଷ୍ମୀପ୍ରିୟାଙ୍କ ସ୍କୁଟି

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ସମ୍ମୁଖ ହୋଟେଲ୍‌ ହାଇେଓ୍ଵ ଇନ୍‌ରେ ଲକ୍ଷ୍ମୀପ୍ରିୟା ବିଶ୍ୱାଳଙ୍କୁ ହତ୍ୟା ଘଟଣାର ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀ ନିକଟରେ ପହଞ୍ଚି ପାରିନି। ଲକ୍ଷ୍ମୀପ୍ରିୟା ଆଣିଥିବା ସ୍କୁଟିକୁ ମଧ୍ୟ ପୁଲିସ ଠାବ କରିପାରି ନାହିଁ। ତାଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଆଦିତ୍ୟଙ୍କ ଫଟୋ, ଆଧାରକାର୍ଡକୁ ପୁଲିସ ଜବତ କରି ତାଙ୍କୁ ଖୋଜାଖୋଜି କରୁଛି। ପୁଲିସର ଏକ ଟିମ୍‌ ଏ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଅନ୍ୟପଟେ ପୁଲିସ ଲକ୍ଷ୍ମୀପ୍ରିୟାଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ମା’ ଲିଲି ପଟ୍ଟନାୟକ ଓ ଭିଣୋଇ ସୁଶାନ୍ତ ପାଣିଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି। ଆଦିତ୍ୟଙ୍କ ସହିତ ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କ ନେଇ ମଧ୍ୟ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ସୁଶାନ୍ତ ଓ ଲିଲି ଥାନାରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ଘଣ୍ଟାଏ କାଳ ପଚରାଉଚରା କରିଥିଲା। ପାରିବାରିକ ସମସ୍ୟା ଯୋଗୁଁ ଲକ୍ଷ୍ମୀପ୍ରିୟା ମଳିପଡ଼ାସ୍ଥିତ ଏକ ଭଡ଼ା ଘରେ ଏକା ରହୁଥିଲେ ବୋଲି ସୁଶାନ୍ତ ପୁଲିସକୁ ଜଣାଇଥିଲେ। ଲକ୍ଷ୍ମୀପ୍ରିୟା ଏକା ରହୁଥିବା ଜାଣିବା ପରେ ପୁଲିସର ଏକ ଟିମ୍‌ ସୁଶାନ୍ତ ଓ ଲିଲିଙ୍କୁ ନେଇ ସେଠାରେ ପହଞ୍ଚି ଘର ଯାଞ୍ଚ କରିଥିଲା। ସେଠାକୁ ଆଦିତ୍ୟ ଆସୁଥିଲେ କି? ଉଭୟ ସେଠାରେ ଏକାଠି ରହୁଥିଲେ କି? ଆଦି ବିଭିନ୍ନ ଦିଗ ଉପରେ ପୁଲିସ ଯାଞ୍ଚ କରିଥିଲା। ସେହିପରି ୨୨ ତାରିଖରେ ଲକ୍ଷ୍ମୀପ୍ରିୟା ସ୍କୁଟି ନେଇ ଭୁବନେଶ୍ୱର ଆସିଥିଲେ। ମାତ୍ର ହତ୍ୟା ପରଠାରୁ ତାଙ୍କ ସ୍କୁଟି ମିଳୁନି। ସମ୍ଭବତଃ ଆଦିତ୍ୟ ସ୍କୁଟି ନେଇ ଯାଇଥିବା ପୁଲିସ ସନ୍ଦେହ କରୁଛି। ଆଦିତ୍ୟ ବେଙ୍ଗାଲୁରୁରେ ଚାକିରି କରୁଥିଲେ। ଏହି ଘଟଣା ପରେ ସେ ବେଙ୍ଗାଲୁରୁ ଚାଲିଯାଇଥିବା ସନ୍ଦେହ କରାଯାଉଛି। ସେ ରେଲ୍‌େଓ୍ଵ ଷ୍ଟେସନ୍‌ କିମ୍ବା ଏୟାରପୋର୍ଟରେ ସ୍କୁଟି ରଖି ଫେରାର୍‌ ହୋଇଯାଇଥିବା ପୁଲିସ କହୁଛି। ସେହି ସବୁ ସ୍ଥାନରେ ସ୍କୁଟି ଖୋଜିବା ସହ ପୁଲିସ ଷ୍ଟେସନ୍‌ ଓ ବିମାନବନ୍ଦରରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଶୁକ୍ରବାର ହୋଟେଲ ହାଇେଓ୍ଵ-ଇନ୍‌ ରୁମ୍‌ ନମ୍ବର ୧୨୧ରୁ ଲକ୍ଷ୍ମୀପ୍ରିୟାଙ୍କ ରକ୍ତାକ୍ତ ଶବ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖାଯାଇଥିଲା। ଲକ୍ଷ୍ମୀପ୍ରିୟା ୨୦୦୪ରେ ଖୋର୍ଧା ଜିଲ୍ଲା ଗଡ଼ଖୋର୍ଧାର ଅକ୍ଷୟ ବିଶ୍ୱାଳଙ୍କୁ ବିବାହ କରିଥିଲେ। ମାତ୍ର ଉଭୟଙ୍କ ମଧ୍ୟରେ ମତାନ୍ତର ହେବାରୁ ସେମାନେ ଅଲଗା ରହୁଥିଲେ। ଉଭୟଙ୍କର ୨ ପୁଅ ଅଛନ୍ତି। ବଡ଼ ପୁଅ ବାପାଙ୍କ ପାଖରେ ଓ ସାନ ପୁଅ ଆଈଙ୍କ ପାଖରେ ରହୁଛନ୍ତି। ତେବେ ଲକ୍ଷ୍ମୀପ୍ରିୟା କେବେ ଆଦିତ୍ୟଙ୍କ ସମ୍ପର୍କରେ ଆସିଲେ, ସେ ନେଇ ପୁଲିସକୁ ବିଶେଷ ତଥ୍ୟ ମିଳିପାରିନି। ଆଦିତ୍ୟ ଧରାପଡ଼ିଲେ ହିଁ ସବୁ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର