ସୁନ୍ଦରପଦା ହତ୍ୟାକାଣ୍ଡ: ଏବେ ବି ପୁଲିସ ହାତ ଖାଲି

୪ ଜଣଙ୍କୁ ଅଟକ ରଖି ପଚରାଉଚରା, ଥାନା ଆଗରେ ଧାରଣା, ମହମବତି ଶୋଭାଯାତ୍ରା

ଭୁବନେଶ୍ବର/ ପୁରୁଣା ଭୁବନେଶ୍ବର: ଏୟାରଫିଲ୍ଡ ଥାନା ଅଧୀନ ଏକାମ୍ର କଲେଜ ନିକଟ‌ରେ ଯୁବକ ଅମରେଶ ନାୟକଙ୍କୁ ପିଟି ପିଟି ହତ୍ୟା ଘଟଣାକୁ ୩୬ଘଣ୍ଟା ବିତି ଗଲାଣି। କିନ୍ତୁ ଏଯାଏ ପୁଲିସ କାହାରିକୁ ଗିରଫ କରି ପାରିନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁଲିସର ଏପରି ନିଷ୍କ୍ରିୟତା ପ୍ରତିବାଦରେ ଅମରେଶଙ୍କ ସାଙ୍ଗସାଥୀ ଓ ବିଡିଏ କଲୋନି ବାସିନ୍ଦା ଆଜି ସଂଧ୍ୟାରେ ମହମବତି ଶୋଭାଯାତ୍ରା କରିବା ସହ ଥାନା‌ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଅମରେଶଙ୍କ ହତ୍ୟାକାରୀମାନେ ଗିରଫ ନ ହେବା ପର୍ଯ୍ୟନ୍ତ ସେମାନେ ଥାନା ଆଗରୁ ହଟିବେ ନାହିଁ ବୋଲି କହିଥିଲେ। ଅଭିଯୋଗପତ୍ରରେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଓ ଅନ୍ୟ ଅଭିଯୁକ୍ତମାନଙ୍କ ନାମ ଉଲ୍ଲେଖ ଅଛି। କିନ୍ତୁ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ। ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ଖସିଗଲେ ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ଅପରପେକ୍ଷ ପୁଲିସ୍‌ କୁହିଛି, ୪ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଦୀପାବଳି ଲାଗି ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲା। ରାତିସାରା ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ବୁଲିବାର ବ୍ୟବସ୍ଥା ହୋଇଥିଲା। ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ମଧ୍ୟ ରହିଥିଲା। ଏସବୁ ଭିତରେ ରାତି ୧୨ଟା‌ରେ, ପୁଣି ଥାନା ପଛପଟେ ଘନଘନ ବୋମାମାଡ଼ ଓ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଗଲା। କିନ୍ତୁ କମିସନରେଟ୍‌ ପୁଲିସ ଏହାର ସାମାନ୍ୟତମ ସୁରାକ୍‌ କିପରି ପାଇପାରିଲା ନାହିଁ? ସେ ସମୟ‌ରେ ପୁଲିସ କ’ଣ କରୁଥିଲା? ପାଟ୍ରୋଲିଂ ଭ୍ୟାନ୍‌ କୁଆଡ଼େ ଯାଇଥିଲା? ଏହି ହତ୍ୟାକାଣ୍ଡ ପାଇଁ ସ୍ଥାନୀୟ ଲୋକେ ପୁଲିସକୁ ଦାୟୀ କରିଛନ୍ତି।

ଅପରପକ୍ଷେ ଗତକାଲି କିଛି ବ୍ୟକ୍ତି ଅମରେଶଙ୍କ ଚରିତ୍ର ସଂହାର କରିଥିଲେ। କହିଥିଲେ, ଅମରେଶ ନିଶା ସେବନ କରନ୍ତି ଓ ଝିଅ ବୋହୂଙ୍କ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି। ଆଜି ବିଡିଏ କଲୋନି ଲୋକ ଏହାର ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ଅମରେଶ କେବେ ବି ଝିଅ ବୋହୂଙ୍କୁ ଅଶ୍ଳୀଳ ଇଙ୍ଗିତ କରିନାହାନ୍ତି। ସେ ଯଦି ଗୁଣ୍ଡା ହୋଇଥାନ୍ତେ, ଏକ ସ୍ବେଚ୍ଛ‌ାସେବୀ ସଂଗଠନ ଚଳାଇ ନଥାନ୍ତେ କିମ୍ବା ମୃତ୍ୟୁ ପରେ ନିଜ ଆଖି ଦାନ କରିବାକୁ ରାଜିନାମା ବି କରି ନଥାନ୍ତେ। ତାଙ୍କର ଲୋକପ୍ରିୟତା ଯୋଗୁଁ ସ୍ଥାନୀୟ କେତେକ ରାଜନେତା ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କଲୋନି ଲୋକ ଦାବି କରିଛନ୍ତି। ଅମରେଶଙ୍କ ସମର୍ଥକମାନେ କହିଛନ୍ତି, ଘଟଣା ରାତିରେ ରଘୁଆ, ଶଙ୍କର, ବିଶ୍ବଜିତ, ବବଲୁ, ଜିତେନ୍ଦ୍ର, ଜଗଦୀଶ, ଜଗନ ପ୍ରମୁଖ ହାତରେ ଠେଙ୍ଗାବାଡ଼ି ଓ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଏମାନଙ୍କ ନାଁ ପୁଲିସକୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି। କିନ୍ତୁ ପୁଲିସ ଜଣକୁ ମଧ୍ୟ ଗିରଫ କରିପାରିନାହିଁ। ଯଦି ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୁଲିସ କାହାରିକୁ ଗିରଫ ନ କରେ, ସେମାନେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଭେଟି‌ବେ।

ସମ୍ବନ୍ଧିତ ଖବର