ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିରେ ଘଟିଥିବା ନାବାଳକ ଦୈତ୍ୟରାଜ ନାୟକ ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ଜଣେ ସନ୍ଦିଗ୍ଧ ଗେଡ଼ୁକୁ ପୁଲିସ ଉଠାଇଛି। ଗତକାଲି ବିଳମ୍ବିତ ରାତିରେ ଗେଡ଼ୁ ଭରତପୁର ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଏକ ନିଛାଟିଆ ସ୍ଥାନରେ ଲୁଚିଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଉଠାଇଛି। ପୂର୍ବରୁ ପୁଲିସ ମୁଖ୍ୟ ସନ୍ଦିଗ୍ଧ ଦୀପକକୁ ଉଠାଇଥିଲା। ଏହି ମାମଲାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତେବେ ଦୁଇ ମୁଖ୍ୟ ସନ୍ଦିଗ୍ଧ ଧରାପଡ଼ିଥିବାରୁ ପୁଲିସ ସେମାନଙ୍କୁ ପଚରାଉଚରା କରି ଅଧିକ ତଥ୍ୟ ସଂଗ୍ରହ କରିବାକୁ ଯୋଜନା କରିଛି। ସେମାନେ ପୁଲିସକୁ ଦେଇଥିବା ତଥ୍ୟ ସମ୍ପର୍କରେ ପୁଲିସ ମୁହଁ ଖୋଲିନାହିଁ। ତଦନ୍ତ ସରିନଥିବା ବାହାନାରେ ପୁଲିସ ଦୀପକ ଓ ଗେଡ଼ୁକୁ ଅଭିଯୁକ୍ତ ବୋଲି ମଧ୍ୟ ଏପର୍ଯ୍ୟନ୍ତ ଦର୍ଶାଇନାହିଁ।

Advertisment

ଆଜି ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌ ଆସିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଥିଲା। କିନ୍ତୁ ଥାନାରେ ଅଟକ ଥିବା ଦୁଇ ସନ୍ଦିଗ୍ଧ ଦୀପକ ଓ ଗେଡ଼ୁକୁ ପୁଲିସ ଘଟଣାସ୍ଥଳକୁ ନେଇନାହିଁ। ତେଣୁ ପ୍ରଥମେ ଦୁର୍ବୃତ୍ତମାନେ ଦୈତ୍ୟରାଜକୁ କେଉଁ ସ୍ଥାନରେ ମାଡ଼ ମାରିଥିଲେ, ତାହା ଜଣାପଡ଼ିନାହିଁ। ତେବେ ‌ମୃତଦେହ ଜବତ ହୋଇଥିବା ଟ୍ରେଞ୍ଚ ଭିତରେ ସାଇଣ୍ଟିଫିକ୍‌ ଟିମ୍‌ ଖୋଜାଖୋଜି କରିଛି। ଘଟଣାଦିନ ଅର୍ଥାତ୍ ୧୩ ତାରିଖ ଦିନ ନିଖୋଜ ହେବା ପୂର୍ବରୁ ମୃତ ଦୈତ୍ୟରାଜ ଯେଉଁ ପୋଷାକ ପିନ୍ଧିଥିଲା, ତାହା ଜବତ ହୋଇପାରିନାହିଁ। କିନ୍ତୁ ମୃତଦେହରେ ଘୋଡ଼ାଇ ହୋଇଥିବା କମ୍ବଳକୁ ନେଇ ପୁଲିସ ଖୋଳତାଡ୍‌ ଚଳାଇଛି। କମ୍ବଳ କାହାର ଜଣାପଡ଼ିଲେ, ବହୁ ପ୍ରମାଣ ମିଳିବ ବୋଲି କୁହାଯାଉଛି।

ତେଣୁ ସାଇଣ୍ଟିଫିକ୍‌ ଟିମ୍‌ କମ୍ବଳ ନମୁନା ସଂଗ୍ରହ କରିଛି। ସେହିଭଳି ଟ୍ରେଞ୍ଚ ଭିତରୁ ମଧ୍ୟ ସାଇଣ୍ଟିଫିକ୍‌ କିଛି ଆପତ୍ତିଜନକ ଜିନିଷ ପାଇଛି। ସେଗୁଡ଼ିକ ହତ୍ୟାକାଣ୍ଡ ସହ କେତେଦୂର ସଂଶ୍ଳିଷ୍ଟ ତାହାକୁ ନେଇ ବି ସାଇଣ୍ଟିଫିକ୍‌ ତର୍ଜମା ଆରମ୍ଭ କରିଛି। ଅପରପକ୍ଷେ ଆଜି ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଦୈତ୍ୟରାଜର ମୃତଦେହକୁ ବ୍ୟବଚ୍ଛେଦ କରା‌ଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ପ୍ରାପ୍ତ ସୂଚନାନୁସାରେ ଥାନାରେ ଅଟକ ଥିବା ଦୁଇ ସନ୍ଦିଗ୍ଧ ଦୀପକ ଓ ଗେଡ଼ୁ ପୁଲିସକୁ ଭୁଆଁ ବୁଲାଇବାକୁ ଉଦ୍ୟମ ଚଳାଇଛନ୍ତି। ସେମାନେ ଦୈତ୍ୟରାଜକୁ ମାଡ଼ ମାରିଥିବା ସ୍ବୀକାର କରିଥିଲେ ବି ହତ୍ୟା କରିଥିବା କଥାକୁ ବାଏଁବାଏଁ ଉଡ଼ାଇ ଦେଉଛନ୍ତି। ଏମିତିକି ହାପି ନାମକ ପିଲା ହାତରେ ଦୈତ୍ୟରାଜର ମୋବାଇଲ୍‌ ଫୋନ୍‌ ତା’ ଘରକୁ ପଠାଇବା କଥାକୁ ମଧ୍ୟ ମାନିନାହାନ୍ତି। ତେଣୁ ଆଜି କମିସନେରଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ଗେଡ଼ୁ ଓ ଦୀପକକୁ ଅଲଗା ଅଲଗା ରଖି ଘନଘନ ଜେରା କରୁଥିବା ଜଣାପଡ଼ିଛି। ସେମାନେ ବହୁ କଥା ମାନିଗଲେଣି ଓ ଖୁବ୍‌ ଶୀଘ୍ର ସେମାନେ ସବୁ ସତ ଉଗାରିବେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ବସ୍ତିରେ ବସିଥିଲା ବୈଠକ
ବସ୍ତିରୁ ମିଳିଥିବା ସୂଚନାନୁସାରେ ବ୍ରାଉନ୍‌ସୁଗାର କାରବାର କରୁଥିବା ଦୀପକ ପାଖକୁ ଦିନ ତମାମ୍ ଏମିତିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସାମାଜିକ ଯୁବକମାନଙ୍କ ଧାଡ଼ି ଲାଗୁଥିଲା। ନିଶାଡ଼ିମାନେ ଦୀପକ ଘର ନିକଟରେ ଅଧିକାଂଶ ସମୟରେ ଖଟି କରନ୍ତି। ଦୈତ୍ୟରାଜ ଓ ଦୀପକ ଘର ପାଖାପାଖି ହୋଇଥିବାରୁ ଖଟି କରୁଥିବା ନିଶାଡ଼ିମାନେ ଦୈତ୍ୟରାଜର ଦୁଇ ଭଉଣୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଥିଲେ। ଏନେଇ ଦୈତ୍ୟରାଜର ଭଉଣୀମାନେ ଅଭିଯୁକ୍ତ ଦୀପକର ଶାଳୀମାନଙ୍କ ନିକଟରେ ଫେରାଦ ହୋଇଥିଲେ। ମାତ୍ର ଦୀପକର ଶାଳୀମାନେ ଓଲଟା ବୁଝିଥିଲେ ଓ ଗଣ୍ଡଗୋଳ କରିବାକୁ ଆଗେଇ ଆସିଥିଲେ। ଏନେଇ ଦୀପକ ଅଧିକ ଉତ୍‌କ୍ଷିପ୍ତ ହୋଇଥିଲା ଓ ଦୈତ୍ୟରାଜଙ୍କ ବାପା ଯୁଧିଷ୍ଠିରଙ୍କୁ ଧମକ ଦେଇଥିଲା। ମାତ୍ର ଯୁଧିଷ୍ଠିର ପୁଲିସକୁ ନଜଣାଇ ବସ୍ତିର କମିଟି ନିକଟରେ ଫେରାଦ୍‌ ହୋଇଥିଲେ। ମୁରବିମାନେ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। କେହି କାହାକୁ ଇଙ୍ଗିତ କରି କିଛି କହିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ବସ୍ତିରେ ନିଶା ବ୍ୟବସାୟକୁ ନେଇ କମିଟି ଦୀପକ ଓ ଗେଡ଼ୁକୁ ତାଗିଦ କରିଥିଲା।

ଟ୍ରେଲର୍‌ ନୁହେଁ, ସିଧାସଳଖ ଫିଲ୍ମ
ଯୁଧିଷ୍ଠିରଙ୍କ କହିବା ଅନୁସାରେ ବସ୍ତି ମୁରବିମାନଙ୍କ ନିକଟକୁ କଥା ଯିବା ପୂର୍ବରୁ ଦୀପକ ଓ ଗେଡ଼ୁ ଧମକ ଦେଇଥିଲେ। ନିଶା କାରବାରକୁ ନେଇ ମୁଣ୍ଡ ଖେଳାଇଲେ ସେମାନେ ଭୟଙ୍କର ପଦକ୍ଷେପ ନେବେ ବୋଲି କହିଥିଲେ। ଟ୍ରେଲର୍‌ ନୁହେଁ, ସିଧାସଳଖ ଫିଲ୍ମ ଦେଖାଇବେ ବୋଲି ଚେତାବନୀ ଦେଇଥିଲେ। ତେବେ ବସ୍ତିର ମୁରବି କମିଟିରେ ମାମଲାର ଆପୋଷ ବୁଝାମଣା ହେବା ପରେ ଯୁଧିଷ୍ଠିରଙ୍କ ପରିବାର ଆଶ୍ବସ୍ତ ହୋଇଥିଲା। ମାତ୍ର ପ୍ରତିଶୋଧ ପରାୟଣ ହୋଇପଡ଼ିଥିବା ଦୀପକ ଓ ଗେଡ଼ୁ ମନରୁ ରାଗ ଯାଇନଥିଲା। ସେମାନେ ସୁଯୋଗ ଉଣ୍ଡି ବସିଥିଲେ। ଯୋଜନାବଦ୍ଧ ଭାବେ ରଜ ଅବ୍ୟବହିତ ପୂର୍ବରୁ ଦୈତ୍ୟରାଜକୁ ପୁରୀ ଯିବାକୁ ଡାକି ଜଙ୍ଗଲକୁ ଟେକି ନେଇ ହତ୍ୟା କରିଥିଲେ।

ରାତି ପାହିଲେ ଗାଁକୁ ଯାଇଥା’ନ୍ତେ ଯୁଧିଷ୍ଠିରଙ୍କ ପରିବାର
ରଜ ପର୍ବ ପାଇଁ ଯୁଧିଷ୍ଠିରଙ୍କ ପରିବାର ପ୍ରତିବର୍ଷ ବାଣପୁର ଅଞ୍ଚଳସ୍ଥ ନିଜ ଗାଁକୁ ଯାଇଥାଆନ୍ତି। ରାତି ପାହି‌ଲେ ଅର୍ଥାତ୍ ୧୪ ତାରିଖ ଦିନ ସକାଳୁ ସେମାନେ ସମସ୍ତେ ଗାଁକୁ ଯାଇଥା’ନ୍ତେ। ଏହା ହୋଇଥିଲେ ହୁଏତ ଦୈତ୍ୟରାଜ ବଞ୍ଚି ଯାଇଥାଆନ୍ତା ବୋଲି ଆଜି ଯୁଧିଷ୍ଠିର କାନ୍ଦି କାନ୍ଦି କହୁଥିଲେ।