ଭୁବନେଶ୍ବର: କମିସନରେଟ୍ ପୁଲିସ୍ର ସପ୍ତମ ଓଏସ୍ଏପି ବାଟାଲିୟନ୍ ପରିସରରେ ଆଜି ଜାତୀୟ ଏକତା ଦିବସ ପାଳିତ ହୋଇଛି। ଏଠାରେ ଆୟୋଜିତ ଏକ ଆନୁଷ୍ଠାନିକ ପରେଡ୍ରେ ମୁଖ୍ୟ ଅତିଥି ଭାବେ ପୁଲିସ ମହାନିର୍ଦ୍ଦେଶକ (ଡିଜି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ ଏକତା ବଜାୟ ରଖିବାରେ ପୁଲିସ୍ର ପ୍ରମୁଖ ଭୂମିକା ଥିବା କହିଛନ୍ତି। ସେ କହିଛନ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜୟନ୍ତୀ ଅବସରରେ ପାଳିତ ହେଉଥିବା ଏହି ଜାତୀୟ ଏକତା ଦିବସ ପ୍ରତ୍ୟେକଙ୍କ ପାଇଁ ମହତ୍ବପୂର୍ଣ୍ଣ। ଭାରତରେ ଜାତି, ଧର୍ମ, ବର୍ଣ୍ଣରେ ବିଭିନ୍ନତା ଥଲେ ମଧ୍ୟ ଏକତା ରହିଛି। ରାଷ୍ଟ୍ରର ଏକତାକୁ ନଷ୍ଟ କରିବା ପାଇଁ ବାହ୍ୟଶକ୍ତିଙ୍କର ଉଦ୍ୟମ ଜାରି ରହିଛି। ଏଭଳି ସ୍ଥିତିରେ ପୁଲିସ୍ ପ୍ରମୁଖ ଭୂମିକା ରହିଛି। ସ୍ୱାଧୀନତା ପରେ ରାଜ୍ୟମାନଙ୍କୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଉଦ୍ୟମ କରିଛନ୍ତି ତାଙ୍କ ଜନ୍ମ ଦିନରେ ସେହି ଏକତା ବଜାୟ ରଖିବା ପାଇଁ ଉଦ୍ୟମ ହିଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଆନୁଷ୍ଠାନିକ ପରେଡ୍ରେ ଖୋର୍ଦ୍ଧା, ମୁଣ୍ଡଳୀ, ପୁଲିସ୍ ଏପିଆର, କମିସନରେଟ୍ ପୁଲିସ୍, ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ, ଫାୟାର ସର୍ଭିସ, ଭୁବନେଶ୍ୱର ଓ ଓଏସ୍ଏପି ଷଷ୍ଠ ବାଟାଲିୟନ ପ୍ରଭୃତିର ୯ଟି ଦଳ ଭାଗ ନେଇଥିଲେ। ସହକାରୀ ଦୁର୍ଗପତି ବିଭୂତି ଭୂଷଣ ମହାରଣା ପରେଡର ନେତୃତ୍ୱ ନେଇଥିଲେ। ଆରକ୍ଷୀ ମହାନିରୀକ୍ଷକ ଅସିତ୍ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବାହ୍ଣରେ କଟକ ମୁଖ୍ୟାଳୟଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରାଯାଇଥିଲା। ଏଥିରେ ବହୁ ବରିଷ୍ଠ ପୁଲିସ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।