ପିପିଇ କିଟ୍‌ ପିନ୍ଧି ଯାଞ୍ଚ କଲେ ପୁଲିସ୍

ଭୁବନେଶ୍ବର: ଲକ୍‌ଡାଉନ୍‌କୁ ଶତପ୍ରତିଶତ ସଫଳ କରିବା ପାଇଁ କମିସନରେଟ୍‌ ପୁଲିସ୍‌ ଏଥର କେଠାର ଆଭିମୁଖ୍ୟ ଗ୍ରହଣ କରିଛି। ନାକାବନ୍ଦୀ କରି ଗାଡ଼ିମୋଟରଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ଥାନାମାନଙ୍କୁ ଯୋଗାଇ ଦିଆଯାଇଥିବା ପିପିଇ କିଟ୍‌ ପିନ୍ଧି ଆଜି ପୁଲିସ କର୍ମଚାରୀମାନେ ଗାଡ଼ି ଯାଞ୍ଚ କରିବା ସହ ଜରିମାନା ଆଦାୟ କରୁଥିବା ଦେଖାଯାଇଥିଲା। ପୂର୍ବ ଲକ୍‌ଡାଉନ୍‌ ତୁଳନାରେ ଯଦିଓ ଉଲ୍ଲଂଘନକାରୀଙ୍କ ସଂଖ୍ୟା ଆଜି କମ୍‌ ରହିଥିଲା, କିନ୍ତୁ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ପ୍ରବଳ ଖରା ହୋଇଥିବାରୁ ପିପିଇ କିଟ୍‌ ପିନ୍ଧିଥିବା କର୍ମଚାରୀ ନୟାନ୍ତ ହୋଇଯାଇଥିଲେ। ୪୫ ପିସିଆରକୁ ୧୦ ସେଟ୍‌ ଦିଆଯାଇଥିବା ବେଳେ ଥାନାୱାରି ମଧ୍ୟ ପିପିଇ କିଟ୍‌ ପ୍ରଦାନ କରାଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ କର୍ମଚାରୀମାନେ ସୁରକ୍ଷିତ ରହି କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ୍‌ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ଏଭଳି କିଟ୍‌ ଯୋଗାଇ ଦିଆଯିବାକୁ ଯୋଜନା ହୋଇଛି। ଆସନ୍ତାକାଲି କଟକଣା ଆହୁରି କଡ଼ା କରିବାକୁ ପ୍ରସ୍ତୁତି ହୋଇଛି। ରବିବାର ଆମିଷ ବାରି ହୋଇଥିବାରୁ ମାଛ ଓ ମାଂସ ଦୋକାନରେ ପ୍ରବଳ ଭିଡ଼ ହେବ। ଏଣୁ ଏହି ସବୁ ବେପାରସ୍ଥଳକୁ ଚିହ୍ନଟ କରାଯାଇଛି। ଆସନ୍ତାକାଲି ସକାଳ ୬ଟାରୁ ଗୋଟାଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବ। ଏଥିପାଇଁ ଅଫିସର ଓ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିଛନ୍ତି। ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଯୋଜନା ହୋଇଥିବା ବେଳେ ଟ୍ରାଫିକ୍‌ର ୧୩ଟି ଟିମ୍‌ ଜଗିବା ପାଇଁ ସ୍ଥିର କରାଯାଇଛି।

ଆଜି ଯାଞ୍ଚ ଚାଲିଥିବା ବେଳେ ଏକ ବିଚିତ୍ର ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା। କେଉଁମାନେ ଯାତାୟାତ କରିପାରିବେ, କେଉଁମାନେ ଅଧିକୃତ ନୁହନ୍ତି, ସେ ନେଇ ପୂର୍ବରୁ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ଉଲ୍ଲଂଘନ ହୋଇଥିବା ଦେଖାଯାଇଛି। ବ୍ୟାଙ୍କ୍‌ ଓ ବୀମା କ୍ଷେତ୍ର‌ରେ ୨୫ପ୍ରତିଶତ କର୍ମଚାରୀ କାମ କରିବାକୁ କୁହାଯାଇଥିଲା। ତା ସହିତ ଯେଉଁ କର୍ମଚାରୀ ଆସି‌‌ବେ, ସେମାନଙ୍କୁ ସମ୍ପୃକ୍ତ ସଂସ୍ଥା ପ୍ରମାଣିତ କରିବ ଯେ ୨୫ ପ୍ରତିଶତ କର୍ମଚାରୀଙ୍କ ମଧ୍ୟରେ ଏହି କର୍ମଚାରୀ କାମ କରିବା ପାଇଁ ସ୍ବୀକୃତିପ୍ରାପ୍ତ ହୋଇଛନ୍ତି। ହେଲେ ଯାଞ୍ଚ ବେଳେ ଧରା ପଡ଼ିଥିବା ଉଲ୍ଲଂଘନକାରୀଙ୍କ ମଧ୍ୟରେ ୫୦ ପ୍ରତିଶତ ଏହି ସେକ୍ଟରରୁ ରହିଥିବା ଦେଖାଯାଇଛି। କର୍ମଚାରୀମାନଙ୍କ ପାଖରେ ପରିଚୟପତ୍ର ଥିଲେ ମଧ୍ୟ ସଂସ୍ଥାରୁ ପ୍ରମାଣିତ ପତ୍ର ନଥିଲା। ଏଣୁ ସେମାନଙ୍କୁ ପୁଲିସ ଅଟକାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ନାକାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଆଗକୁ ଏହାକୁ ନେଇ କଡ଼ାକଡ଼ି କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର