ଥଇଥାନ ପରେ ବି ଘର ଛାଡ଼ୁ ନାହାନ୍ତି, ଉଚ୍ଛେଦକୁ ନେଇ ତାରିଣୀ ବସ୍ତିରେ ଉତ୍ତେଜନା

ପୁଲିସକୁ ଡରାଇଲେ, ପଳେଇ ଯାଅ ଛୁଇଁଦେବୁ

ଚନ୍ଦ୍ରଶେଖରପୁର: ବର୍ଷେ ହେଲା ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନା(ରେ’)ରେ ଘର ଦିଆଯାଇଛି। ଏକାଧିକ କୋଠା ନିର୍ମାଣ କରାଯାଇ ସେଠାରେ ୧୭୯ଟି ପରିବାରକୁ ଘର ଆବଣ୍ଟନ ବି ହୋଇଛି। ପରିବାର ସହ ସେମାନେ ସେଠାରେ ରହୁଛନ୍ତି। ତା’ପରେ ବି ବସ୍ତିରେ ଥିବା ଘର ଛାଡ଼ୁ ନାହାନ୍ତି। ଘରଗୁଡ଼ିକୁ ଭଡ଼ା ଲଗାଇଛନ୍ତି। ସେଠାରେ ଅନ୍ୟ ପରିବାର ରହୁଛନ୍ତି। ଆଉ ସେମାନଙ୍କଠାରୁ ମୋଟା ଅଙ୍କର ଘର ଭଡ଼ା ଆଦାୟ କରୁଛନ୍ତି ଘର ମାଲିକ। ବର୍ଷେ ହେଲା ଏମିତି ଭାବେ ଚାଲିଥିଲେ ମଧ୍ୟ ପ୍ରଶାସନର ନାଲିଆଖିକୁ ଖାତିର କରୁନାହାନ୍ତି। ବରଂ ଧମକାଉଛନ୍ତି। ବିଏମ୍‌ସିର ୯ ନମ୍ବର ୱାର୍ଡର ଡମଣା ମୌଜାରେ ଥିବା ଅରବିନ୍ଦ ନଗର ଓ ତାରିଣୀ ବସ୍ତିରେ ଘରଗୁଡ଼ିକୁ ଏଭଳି ଭାବେ କବ୍‌ଜା କରିଛନ୍ତି ବସ୍ତିବାସିନ୍ଦା।

ଘର ଛାଡ଼ିବାକୁ ବିଏମ୍‌ସି, ବିଡିଏ ପକ୍ଷରୁ ସେମାନଙ୍କୁ ବାରମ୍ବାର କୁହାଗଲାଣି। ଉଚ୍ଛେଦ ଲାଗି ବିଡିଏ, ବିଏମ୍‌ସି ଓ ପୁଲିସର ମିଳିତ ଟିମ୍‌ ଏକାଧିକଥର ଯାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବସ୍ତିବାସିନ୍ଦା ଉଚ୍ଛେଦକୁ ବିରୋଧ କରୁଛନ୍ତି। ଏବେ କରୋନାକୁ ଆଳ କରି ଘର ନ ଛାଡ଼ିବାକୁ ଅଡ଼ି ବସିଛନ୍ତି। ଏମିତିକି ଆଜି ବିଏମ୍‌ସି, ବିଡିଏ ଓ ସ୍ଥାନୀୟ ପୁଲିସର ମିଳିତ ଟିମ୍‌ ଉଚ୍ଛେଦ କରିବାକୁ ଉକ୍ତ ବସ୍ତିରେ ପହଞ୍ଚିବା ପରେ ସେମାନେ ବିରୋଧ କରିଥିଲେ। ଅଭିଯୋଗ କରିଥିଲେ ଯେ ସାରା ଦେଶ ଏବେ କରୋନା ମହାମାରୀ ସହ ଲ‌ଢ଼େଇ କରୁଛି। ଘରେ ରହିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି। ଏଭଳି ସମୟରେ ତାରିଣୀ ବସ୍ତି ଉଚ୍ଛେଦ କରିବା ଠିକ୍‌ ହେଉନି। ଲୋକେ କୁଆଡ଼େ ଯିବେ। ଉଚ୍ଛେଦ କରିବାକୁ ଯାଇଥିବା ଉଚ୍ଛେଦକାରୀ ଦଳକୁ ବସ୍ତିବାସିନ୍ଦା ଆଜି ଭିନ୍ନ ପ୍ରକାରେ ବିରୋଧ କରିଥିଲେ। ପଳେଇ ଯାଆ ନ ହେଲେ ଛୁଇଁଦେବୁ, କରୋନା ବ୍ୟାପିଯିବ। ଏମିତି ଭାବେ ଧମକାଇଥିଲେ। ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ବସ୍ତିବାସିନ୍ଦା ଓ ଉଚ୍ଛେଦକାରୀ ଦଳ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିବା ପରେ ତାରିଣୀ ବସ୍ତିର ଗୋଟିଏ ଚାଳିଆ ଘର ସମେତ ୨ଟି ଗାଧୁଆଘର ଓ ଶୌଚାଳୟ ଉଚ୍ଛେଦ କରି ଅଧିକାରୀମାନେ ଫେରିଥିଲେ।
ଅନ୍ୟପକ୍ଷରେ ମଞ୍ଚେଶ୍ବର ଥାନା ଅଧୀନ ଗାଡ଼କଣ ମୌଜାରେ ହେବାକୁ ଥିବା ମହାବୀର ଆବାସ ଯୋଜନା ପାଇଁ ମଧ୍ୟ ଉଚ୍ଛେଦ କରାଯାଇଛି। ତେବେ ସମୟ ଅଭାବରୁ ଉଚ୍ଛେଦ କାର୍ଯ୍ୟ ‌ଅଧା ରହିଥିବା ବିଡିଏ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଉଚ୍ଛେଦ ସମୟରେ ୪ଟି ଛପର ଘର, ଗୋଟିଏ ବିଷ୍ଣୁ ମନ୍ଦିର ମାଟିରେ ମିଶିଛି। ବିଡିଏଏନ୍‌ଫୋର୍ସମେଣ୍ଟ ଅଫିସର-୨ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ବରେ ଯାଇଥିବା ଉଚ୍ଛେଦକାରୀ ଦଳରେ ବିଡିଏ ଲିଆସନ୍‌ ଶୁଭ୍ରାଶୁ ଶେଖର ମହାନ୍ତି, ଚନ୍ଦ୍ରଶେଖରପୁର ଥାନା ଏସିପି ପ୍ରକାଶ ଚନ୍ଦ୍ର ପାଲ, ଆଇଆଇସି ବିଶ୍ବରଞ୍ଜନ ନାୟକ, ମଞ୍ଚେଶ୍ବର ଥାନା ଏସ୍‌ଆଇ ରୂପେଶ କୁମାର ପ୍ରଧାନ, ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୧, ୨, ୩, ୪, ବିଏମ୍‌ସି ଉତ୍ତର ଜୋନ୍‌ ସ୍କ୍ବାଡ୍‌, ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର