ପିଶାଚ ପ୍ରେମିକର ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଘରେ ପୁଲିସ

ମିଳିଲା ଯୁବତୀଙ୍କ ଚପଲ, ପୋଷାକ ଓ ବିବାହ ପ୍ରମାଣପତ୍ର

ଭୁବନେଶ୍ବର: ସତ୍ୟବାଦୀ ଅଞ୍ଚଳର ବହୁଚର୍ଚ୍ଚିତ ସସ୍ମିତା ବିଶ୍ବାଳ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଜି ସ‌ାଇଣ୍ଟିଫିକ୍‌ ଟିମ୍‌ ସହିତ ଅଭିଯୁକ୍ତ ଯୁଧିଷ୍ଠିର ସ୍ବାଇଁର ଡେଲାଙ୍ଗ କୁଞ୍ଜର ଗ୍ରାମ‌ସ୍ଥିତ ଘରେ ଚଢ଼ଉ କରିଛି। ଯୁଧିଷ୍ଠିର ଘରୁ ମୃତ ସସ୍ମିତାଙ୍କର ହଳେ ଚପଲ, ବ୍ୟବହୃତ ପୋଷାକ, ବିବାହ ପଂଜୀକରଣ ପ୍ରମାଣପତ୍ର ଓ ଅନ୍ୟ କିଛି କାଗଜପତ୍ର ପୁଲିସ ଜବତ କରିଛି। ତେବେ ଯୁଧିଷ୍ଠିରଙ୍କ ଘରୁ ସସ୍ମିତାଙ୍କ ଚପଲ ମିଳିବା ପରେ ପୁଲିସ ହତ୍ୟ‌ାକାଣ୍ଡ ଘଟିଥିବା ସ୍ଥାନକୁ ନେଇ ପୁଲିସ ସନ୍ଦେହ ପ୍ରକଟ କରିଛି। ଘଟଣା ଦିନ ସସ୍ମିତା ଅଭିଯୁକ୍ତ ପ୍ରେମିକ ଘ‌ରକୁ ଆସିଥିବା ପୁଲିସ ନିଶ୍ଚିତ ହୋଇଛି କିନ୍ତୁ ଅଭିଯୁକ୍ତ ଘରୁ ସସ୍ମିତାଙ୍କ ଚପଲ ମିଳିବା ପରେ ହତ୍ୟାକାଣ୍ଡ ଘରେ ହୋଇଛି ନା ଚନ୍ଦକା ଜଙ୍ଗଲରେ, ସେ ସଂପର୍କରେ ତନାଘନା ଚଳାଇଛି। ଆଜି ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଡେଲାଙ୍ଗ କୁଞ୍ଜର ଗାଁରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଅଭିଯୁକ୍ତଙ୍କ ମା’ ଝାମ୍ପି ସ୍ବାଇଁ ତାଙ୍କ ଘର ବାଡ଼ିପଟେ ପଡ଼ିଥିବା ଏକ ପୋଷାକ ଭର୍ତ୍ତି ପଲିଥିନ୍‌ ପୁଲିସକୁ ଦେଖାଇଥିଲେ। ସେଥିରୁ କିଛି କାଗଜପତ୍ର ଜବତ ହୋଇଛି। ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସାମିଲ ଥିବା ନେଇ ପୁଲିସର ସନ୍ଦେହ କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି। ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତକୁ ଜେରା କରିବା ଲାଗି କୋର୍ଟରେ ୫ଦିନିଆ ରିମାଣ୍ଡ ଆବେଦନ କରିଛି। ପ୍ରକାଶଥାଉକି, ସତ୍ୟବାଦୀ ଥାନା ଅନ୍ତର୍ଗତ ଗୋଲ ବିଂଝେଇପଡ଼ା ଗ୍ରାମର କିଶୋର ବିଶ୍ବାଳଙ୍କ ଝିଅ ସସ୍ମିତା ଗତ ୧୩ତାରିଖରୁ ନିଖୋଜ ଥିଲେ। ପରେ ତାଙ୍କ ମୃତଦେହ ଭୁବନେଶ୍ବର ଚନ୍ଦକା ଥାନା ମଳିପଡ଼ାରୁ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ପ୍ରେମିକ ସସ୍ମିତାଙ୍କ ବେକ କାଟି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିବା ପୁଲିସ ଆଗରେ ସ୍ବୀକାର କରିଛି।

ସମ୍ବନ୍ଧିତ ଖବର