ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ପୁଲିସର ନିଷ୍କ୍ରିୟତା: ହାଇକୋର୍ଟଙ୍କ ଜବାବ ତଲବ

କଟକ: ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ପୁଲିସ ନିଷ୍କ୍ରିୟତା ଅଭ‌ିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଅକ୍ଷୟଙ୍କ ମୃତ୍ୟୁକୁ ନେଇ ଖାରବେଳନଗର ଥାନାରେ ରୁଜୁ ମାମଲାର ତଦନ୍ତରେ କଣ ଅଗ୍ରଗତି ହୋଇଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମା ଲକ୍ଷ୍ମୀପ୍ରିୟା ମହାରଣାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଡିଜେ ଆଜେକ୍ସଙ୍କ ମୃତ୍ୟୁ ମାମଲାର ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ। ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଉପଯୁକ୍ତ ତଦନ୍ତ କରୁ ନାହିଁ। ଅଭିଯୁକ୍ତଙ୍କୁ ଗିରଫ କରାଯାଉ ନାହିଁ। ମାମଲାରେ ରଶ୍ମିରଞ୍ଜନ ବଳିୟାରସିଂଙ୍କୁ ହାଇକୋର୍ଟ ଅାଗୁଆ ଜାମିନ ଦେବାକୁ ମନା କରିଥିଲେ। ଏହା ପରେ ମଧ୍ୟ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଗୃହ ସଚିବ, ପୁଲିସ କମିସନର, ଭୁବନେଶ୍ବର ଡିସିପି, ଖାରବେଳନଗର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର