ଭୁବନେଶ୍ବର : ଆଜ୍ଞା ଟିକା ନେବେ କି? ସହଜରେ ଉପଲବ୍ଧ ହେଉଛି। କେବଳ ଗୋଟିଏ କ୍ଲିକ୍‌ରେ ମିଳିଯିବ। ବେଶି କଷ୍ଟ କରିବାକୁ ପଡ଼ିବ ନାହିଁ। ସାଇବର ଅପରାଧୀ ନୂଆ ନୂଆ ତରିକାରେ ଜାଲ ବିଛାଇବାରେ ବ୍ୟସ୍ତ। କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହାକୁ ଅସ୍ତ୍ର କରିଛନ୍ତି ସାଇବର ଅପରାଧୀ। ଏବେ ଚାରିଆଡ଼େ ଟିକା ସମସ୍ୟା ସୃଷ୍ଟି ହୋଇଥିବାରୁ ଏହା ମାଧ୍ୟମରେ ଠକେଇ କରିବାକୁ ଜାଲ ବିଛାଇଛନ୍ତି। ଏମିତି ନୂଆଧରଣର ଠକେଇ ଏବେ ସାମ୍ନାକୁ ଆସିଛି। ଜଣେ ଇନ୍ସପେକ୍ଟର ଠକଙ୍କ ଜାଲରୁ ବର୍ତ୍ତି ଯାଇଛନ୍ତି।

Advertisment

ଘଟଣାଟି ଥିଲା ଏମିତି; ସମ୍ପୃକ୍ତ ପୁଲିସ ଇନ୍ସପେକ୍ଟରଙ୍କ ମୋବାଇଲ ଫୋନ୍ ନମ୍ବରକୁ ଆଜି ଏକ ଏସ୍‌ଏମ୍‌ଏସ୍‌ ଆସିଥିଲା। ସେହି ମେସେଜରେ ଏକ ଲିଙ୍କ୍ ରହିଥିଲା। ୧୮ବର୍ଷରୁ ଅଧିକ ବ୍ୟକ୍ତି ଟିକା ନେବା ପାଇଁ ଦିଆଯାଇଥିବା ଆପ୍‌ର ଲିଙ୍କକୁ ଡାଉନଲୋଡ୍ କରିବା ପାଇଁ କୁହାଯାଇଥିଲା। ଆପ୍‌ ଡାଉନଲୋଡ୍ ହେଲା ପରେ ଟିକା ପାଇଁ ରେଜିଷ୍ଟ୍ରେସନ୍‌ ହୋଇପାରିବ ବୋଲି ଉଲ୍ଲେଖ ରହିଥିଲା। ପୁଲିସ ଇନ୍ସପେକ୍ଟର୍‌ଜଣଙ୍କ ପୂର୍ବରୁ ସମ୍ମୁଖ ଯୋଦ୍ଧା ଭାବେ ଟିକା ନେଇ ସାରିଛନ୍ତି। କିନ୍ତୁ ତାଙ୍କର ଜଣେ ପରିବାର ସଦସ୍ୟଙ୍କ ଟିକା ପାଇଁ ସେ ତାହାକୁ ଡାଉନଲୋଡ୍ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଆପ୍‌ ଜରିଆରେ ସ୍ଲଟ୍ ଫାଙ୍କା ରହୁ ନଥିବା ବେଳେ ଏହି ଟିକା କେମିତି ମିଳିବ, ତାକୁ ନେଇ ମନରେ ସନ୍ଦେହ ହୋଇଥିଲା। ସେ ଜଣେ ବିଶେଷଜ୍ଞଙ୍କ ଦ୍ବାରା ଏହାକୁ ଯାଞ୍ଚ କରାଇବା ପରେ ତାହା ଠକଙ୍କ କାରନାମା ବୋଲି ଜଣାପଡ଼ିଥିଲା। ଇନ୍ସପେକ୍ଟରଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଆପ୍‌ ଡାଉନଲୋଡ୍ କଲେ କ’ଣ ହେବ ଅସୁବିଧା?
ସେହି ଆପ୍‌ ଡାଉନଲୋଡ୍ କଲେ ବ୍ୟବହାରକାରୀ ସାଂଘାତିକ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପ୍‌ ଡାଉନଲୋଡ୍ କଲା ପରେ ତତକ୍ଷଣାତ୍ ମୋବାଇଲ ଅକାମି ହୋଇଯିବ। ମୋବାଇଲର ସମସ୍ତ ତଥ୍ୟ ମେସେଜ୍ ପଠାଇଥିବା ସାଇବର ଅପରାଧୀ ପାଖକୁ ଚାଲିଯିବ। ଏପରିକି ମୋବାଇଲରେ ଥିବା ନେଟ୍ ବ୍ୟାକିଂ, ପେଟିଏମ୍, ଫୋନ୍ ପେ’ ସମ୍ପର୍କିତ ସମସ୍ତ ତଥ୍ୟ ମଧ୍ୟ ଚାଲିଯିବ। ନେଟ୍‌ ବ୍ୟାକିଂ ଜରିଆରେ ଟଙ୍କା ହଡ଼ପ କରିବାର ସମ୍ଭାବନା ରହିଛି। ସେହିପରି ମୋବାଇଲର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅପରାଧୀ ହାତରେ ଲାଗିଯିବ। ଯାହାର ଦୁରୂପଯୋଗ କରିବାର ସମ୍ଭାବନା ମଧ୍ୟ ରହିଛି।

କେମିତି ବର୍ତ୍ତିବେ?
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ ସୂଚନା ଅନୁସାରେ, ଟିକାକରଣ ପାଇଁ ସରକାରଙ୍କ ତିନୋଟି ଆପ୍ ରହିଛି। ସେଗୁଡ଼ିକ ହେଲା, କୋଵିନ୍, ଆରୋଗ୍ୟ ସେତୁ ଓ ଉମଙ୍ଗ। ଏହା ମାଧ୍ୟମରେ ରେଜିଷ୍ଟ୍ରେସନ୍‌ କରିହେବ। କିନ୍ତୁ ମୋବାଇଲକୁ ଆସୁଥିବା ମେସେଜଗୁଡ଼ିକ ସାଇବର ଠକ ପଠାଉଛନ୍ତି। ତାହାକୁ ବିଶ୍ବାସ କରିବା କଥା ନୁହେଁ। ସେହି ମେସେଜ୍‌ରୁ ଦୂରରେ ରହିଲେ, ଠକେଇରୁ ବର୍ତ୍ତି ହେବ। ଏଥିପାଇଁ ରାଜ୍ୟ ପୁଲିସ ପକ୍ଷରୁ ଆଡଭାଇଜରି ଜାରି ହେବାର ଆବଶ୍ୟକତା ରହିଛି।