ରାସ୍ତାରୋକ, ଧସ୍ତାଧସ୍ତି, ଲାଠିମାଡ଼

ବେଆଇନ ଉଚ୍ଛେଦ ପ୍ରତିବାଦରେ ବସ୍ତି ସୁରକ୍ଷା ମଞ୍ଚର ବିକ୍ଷୋଭ

ଭୁବନେଶ୍ୱର : ପୂର୍ବରୁ ବିଡିଏ ବେଆଇନ ଭାବେ ବସ୍ତି ଭାଙ୍ଗିଥିଲା, ଆଜି ଏହାର ପ୍ରତିବାଦରେ ବସ୍ତି ସୁରକ୍ଷା ମଞ୍ଚ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବସ୍ତିବାସିନ୍ଦାଙ୍କୁ ପୁଲିସର ଲାଠିମାଡ଼ ଖାଇବାକୁ ପଡ଼ିଛି। ଏଥିରେ ଅନେକ ବସ୍ତିବାସିନ୍ଦା ଆହତ ହୋଇଥିବା ଶତାଧିକଙ୍କୁ ପୁଲିସ ଗିରଫ କରିଥିଲା। ସଂଧ୍ୟାରେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମଞ୍ଚର କହିବାନୁଯାୟୀ, ମା’ତାରିଣୀ ବସ୍ତିରେ ଥିବା ୨୩ଜଣ ଦଳିତ ପରିବାରଙ୍କ ଘରକୁ ଗତ ୬ତାରିଖରେ ବଳପୂର୍ବକ ଉଚ୍ଛେଦ କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କରିଥିଲେ ହେଁ ସେମାନଙ୍କୁ ମାଡ଼ ମରାଯିବା ସହିତ ଘରୁ ଜିନିଷପତ୍ର କାଢ଼ିବାର ମଧ୍ୟ ସୁଯୋଗ ଦିଆଗଲା ନାହିଁ। ପ୍ରତିବାଦ କରୁଥିବା ୪୦ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏହାର ପ୍ରତିବାଦରେ ମଞ୍ଚ ପକ୍ଷରୁ ଚଳିତମାସ ୬ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଧାରଣା ଦିଆଯାଇଥିଲା। ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି ସଂପର୍କରେ ମଞ୍ଚ ଜଣାଇଥିଲା। ମାତ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଶୀତ କାକରରେ ଖୋଲା ଆକାଶ ତଳେ ବସ୍ତିବାସିନ୍ଦା ପଡ଼ି ରହିଛନ୍ତି।

ଏହାର ପ୍ରତିବାଦରେ ଆଜି ମଞ୍ଚ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଶତାଧିକ ବସ୍ତିବାସିନ୍ଦା ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ପହଞ୍ଚିବା ସହିତ ରାସ୍ତାରେ ବସି ରହିଥିଲେ। ଫଳରେ ମାଷ୍ଟର କ୍ୟାଣ୍ଟିନ୍‌ ଛକ ଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏହାକୁ ନେଇ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଠେଳାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରିଥିଲା। ଏଥିରେ ଅନେକ ବସ୍ତିବାସିନ୍ଦା ଆହତ ହୋଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

ତେଣୁ ବଳପୂର୍ବକ ବେଆଇନ ଭାବେ ଭାଙ୍ଗି ଦିଆଯାଇଥିବା ଭକ୍ତମଧୁନଗର ମା’ତାରିଣୀ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଥଇଥାନ ବ୍ୟବସ୍ଥା ଦିଆଯାଉ। କ୍ଷତିପୂରଣ ସମେତ ଆଗାମୀ କିଛିମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ। ବେଆଇନ ବସ୍ତି ଭଙ୍ଗା ଅଭିଯାନରେ ସାମିଲ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ପୁଲିସ ଅଧିକାରୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ। ବଳପୂର୍ବ ବସ୍ତି ଭଙ୍ଗାକୁ ନିଷେଧ କରିବାକୁ ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି।

ବିକ୍ଷୋଭରେ ମଞ୍ଚର ସଭାପତି ହେନା ବାରିକ, ସଂପାଦିକା ପ୍ରମିଳା, କାମିନୀ ମଲ୍ଲିକ, ସ୍ୱର୍ଣ୍ଣଲତା ମଲ୍ଲିକ, ରାମଚନ୍ଦ୍ର ସାହୁ, ଗୋବିନ୍ଦ ସାହୁ ଓ ପୁଷ୍କର ସୁବୁଦ୍ଧି ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର