ଭୁବନେଶ୍ବର: ‘ମୋ ବସ୍’ ଧକାରେ ଭାଙ୍ଗିଲା କାର୍ ଡୋର୍। ଏହାକୁ ନେଇ ‘ମୋ ବସ୍’ କର୍ମଚାରୀ ଓ କାର୍ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା। ଖବର ପାଇ ପୁଲିସ ଆସିଲା। ମାତ୍ର ତଦନ୍ତ ଆଳରେ ଧୁଧୁ ଖରାରେ ପୁଲିସ ୫୦ରୁ ଅଧିକ ଯାତ୍ରୀଙ୍କୁ ବସ୍ରୁ ଓହ୍ଲାଇ ଦେଲା। ଟିକେଟ୍ କରି ବସ୍ରେ ବସିଥିବା ଯାତ୍ରୀମାନେ ପୁଲିସର ଏପରି ନିଷ୍ପତ୍ତିରେ ହନ୍ତସନ୍ତ ହୋଇଛନ୍ତି। ଦିନ ଅଢ଼େଇଟା ବେଳେ ରାଜ୍ୟ ସଂଗ୍ରହାଳୟ ସାମ୍ନାରେ ଏପରି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ‘ମୋ ବସ୍’ କର୍ତ୍ତୃପକ୍ଷ ଆଉ ଏକ ବସ୍ ଘଟଣାସ୍ଥଳକୁ ପଠାଇବା ପରେ ଲୋକେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ।
‘ମୋ ବସ୍’ ଧଉଳି ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବାବେଲେ କଳ୍ପନାଛକ ରାଜ୍ୟ ସଂଗ୍ରହାଳୟ ନିକଟ ‘ବସ୍ ବେ’ ନିକଟରେ ଏହି ଘଟଣା ଘଟିଥିଲା। କାର୍ଟି ‘ବସ୍ ବେ’ ନିକଟରେ ପାର୍କିଂ ହୋଇଥିଲା। ତେଣୁ ତା ପଛରେ ଆସି ‘ମୋ ବସ୍’ ଅଟକିଥିଲା। ବସ୍ଟି ବାହାରିବା ବେଳେ ହଠାତ୍ କାର୍ମାଲିକ ଡୋର୍ ଖୋଲିଦେବାରୁ ବସ୍ ଧକ୍କାରେ କାର୍ର ଆଗ ଡୋର୍ ଭାଙ୍ଗିଯାଇଥିଲା। ଏନେଇ କାର୍ମାଲିକ ବଡ଼ଗଡ଼ ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ଟିକୁ ଥାନାକୁ ନେବାକୁ ଚାହିଥିଲା। ଏଥିପାଇଁ ଯାତ୍ରୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ସମସ୍ତଙ୍କୁ ଧୁଧୁ ଖରାବେଳେ ବସ୍ରୁ ଓହ୍ଲାଇ ଦିଆଯାଇଥିଲା। ଯାତ୍ରୀଙ୍କ ଆକ୍ରୋଶ ଦେଖି ‘ମୋ ବସ୍’ କର୍ତ୍ତୃପକ୍ଷ ଆଉ ଗୋଟିଏ ବସ୍ ପଠାଇବା ପରେ ଲୋକେ ଆଶ୍ବସ୍ତ ହୋଇଥିଲେ।