ଭୁବନେଶ୍ବର: ବିଂଝାରପୁର ଥାନା ଅଳକୁଣ୍ଡ ପାଞ୍ଚାୟତ ଅଧୀନ ବାସୁଦେବପୁର ଗ୍ରାମର ଦଳିତ ନାବାଳିକାଙ୍କୁ ଅଳକୁଣ୍ଡ ଫାଣ୍ଡି ଅଧିକାରୀଙ୍କ ଦୁର୍ବ୍ୟବହାର ଓ ବିଂଝାରପୁର ଥାନା ଅଧିକାରୀଙ୍କ ଅମାନବିକ ବ୍ୟବହାର ଘଟଣାରେ ରାଜ୍ୟ ମହିଳା କମିସନଙ୍କୁ ଫେରାଦ ହୋଇଛି ରାଜ୍ୟ କଂଗ୍ରେସ। ଦଳର ଏକ ଟିମ୍ ଆଜି ରାଜ୍ୟ ମହିଳା ଆୟୋଗଙ୍କୁ ଭେଟି ଘଟଣାର ତଦନ୍ତ କରିବା ସହିତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ଅଭିଯୋଗ ମୁତାବକ ବାସୁଦେବପୁରର କେତେକ ଯୁବକ ସଂପୃକ୍ତ ନାବାଳିକାଙ୍କୁ ଅସଦ‌ାଚରଣ କରିବା ସହିତ ଆକ୍ରମଣ କରିଥିଲେ। ଏ ନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଉଭୟ ଫାଣ୍ଡି ଓ ଥାନା ଅଧିକାରୀ ତାଙ୍କୁ ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର କରିଥିଲେ। ଗୋଟିଏ ପଟେ ରାଜ୍ୟ ସରକାର ‘୫-ଟି’ ଓ ‘ମୋ ସରକାର’ କଥା କହୁଥିବା ବେଳେ ଅନ୍ୟପଟେ ଜଣେ ନାବାଳିକା ଥାନାରେ ଯେପରି ଦୁର୍ବ୍ୟବହାରର ଶିକାର ହେଲେ ତାହା ପୁଲିସ ବିଭାଗ ତଥା ରାଜ୍ୟ ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ବିଂଝାରପୁର ଥାନା ଅଧିକାରୀ ଓ ଅଳକୁଣ୍ଡ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ତୁରନ୍ତ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ଏହି ପ୍ରତିନିଧି ଦଳରେ ପିସିସି ସଭାପତିଙ୍କ ବ୍ୟକ୍ତିଗତ ସଚିବ ପଦ୍ମାକର ଗୁରୁ, ବିଂଝାରପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋରଂଜନ ଦାସ, ପ୍ରାକ୍ତନ ଅଧ୍ୟକ୍ଷା କନକଲତା ମଲ୍ଲିକ, ସ୍ବାଧୀନବାଳା ଦାସ, କୁସୁମ ପ୍ରଧାନ, ବିଶ୍ବଭୂଷଣ ଦାସ, ଦୀପକ ମହାପାତ୍ର, ନରେଶ ମହାନ୍ତି, ବିଶ୍ବଜିତ ଲେଙ୍କା, ଶ୍ରୀୟାସ୍ମିତା ପଣ୍ଡା, ମନୋଜ ସାହୁ, ଦେବୀ ପ୍ରସାଦ ବିଷୋୟୀ ପ୍ରମୁଖ ସାମିଲ ହୋଇଥି‌ଲେ। ଏହି ଅବସରରେ ସେମାନେ ଏକ ସ୍ମାରକପତ୍ର ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ।