କର୍ପୋରେଟର୍‌ଙ୍କ ଚାପଡ଼ ଚୋଟ ମାମଲା: ମାମଲା ରୁଜୁ କଲା ପୁଲିସ, ଗିରଫ କେବେ?

ଖଣ୍ଡଗିରି: ଶୁକ୍ରବାର ରାତିରେ ଜଣେ ଯୁବକଙ୍କୁ କର୍ପୋରେଟର୍‌ଙ୍କ ଚାପଡ଼ ଚୋଟ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରିଛି। କିନ୍ତୁ କର୍ପୋରେଟର୍‌ଙ୍କୁ ପୁଲିସ ଗିରଫ କରି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ମାମଲା ରୁଜୁ କରି ପୁଲିସ ଚୁପ୍ ବସିପଡ଼ିଛି। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପୁଲିସ ତାଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ ହେଉଛି। ସୂଚନାନୁସାରେ ଭୁବନେଶ୍ବର ମହାନଗର ନିଗମ ୨୨ ନମ୍ବର ୱାର୍ଡର କର୍ପୋରେଟର ହରେକୃଷ୍ଣ ନାୟକ ଓରଫ୍ କାଳିଆ ଶୁକ୍ରବାର ରାତିରେ ସତ୍ୟନଗର ବସ୍ତିର ରବୀନ୍ଦ୍ର ଦାସଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ରବୀନ୍ଦ୍ର ବିଜୁ ଯୁବ ବାହିନୀର ସଦସ୍ୟ । ଏକ କ୍ରୀଡ଼‌ା ଅନୁଦାନ ହାତେଇବାକୁ ନେଇ କର୍ପୋରେଟର୍‌ କାଳିଆ ଓ ରବୀନ୍ଦ୍ରଙ୍କ ମଧ୍ୟରେ ବିବାଦ ଥିଲା। ଗତକାଲି ଏହି ଘଟଣାରେ କର୍ପୋରେଟର କାଳିଆ ରାଗି ଯାଇ ରବୀନ୍ଦ୍ରଙ୍କୁ ଗାଳିମନ୍ଦ କରିଥିଲେ। ଫଳରେ ଏ ନେଇ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାଳିଆ ନିକଟସ୍ଥ ଏକ ଚିକେନ୍ କାଉଣ୍ଟର୍‌ରୁ ଚାପଡ଼ ଆଣି ରବୀନ୍ଦ୍ରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଚୋଟ ପକାଇଥିଲେ। କିନ୍ତୁ ରବୀନ୍ଦ୍ର ହାତ ଦେଖାଇ ଦେବାରୁ ଚୋଟ ତାଙ୍କ ବାମ ହାତରେ ବାଜିଥିଲା ଓ ଆଙ୍ଗୁଠି କଟି ଯାଇଥିଲା। ଏ ନେଇ ଦୁଇ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ବି ପୁଲିସ ରବୀନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଛି। କର୍ପୋରେଟରଙ୍କୁ ଗିରଫ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର