କୋର୍ଟରେ ଡାକ୍ତରୀ ମାଇନା ରିପୋର୍ଟ ଦାଖଲ କରୁନି ପୁଲିସ

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ୍‌ କଲେଜର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିବା ଘଟଣା ଏକ ମାସ ପୂରିବାକୁ ଯାଉଛି। କିନ୍ତୁ ଏଯାଏ କୋର୍ଟରେ ତଦନ୍ତକାରୀ ପୁଲିସ ଅଫିସର ଛାତ୍ରୀ ଓ ଅଭିଯୁକ୍ତ ମନୋଜର ଡାକ୍ତରୀମାଇନା ରିପୋର୍ଟ ଦାଖଲ କରି ପାରିନାହିଁ। ଆଜି କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବାର ଥିଲା। କିନ୍ତୁ ପୁଲିସ ପୁଣି ଥରେ ଏଥିପାଇଁ ସମୟ ନେଇଛି। ଫଳରେ ଡାକ୍ତରୀ ମାଇନା ରିପୋର୍ଟ ପ୍ରଦାନରେ ପୁଲିସ ଜାଣିଶୁଣି ବିଳମ୍ବ କରୁଛି ନା ଏନେଇ ପୁଲିସ ଉପରେ ଚାପ ପଡ଼ୁଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଫଳରେ ଏହି ଚର୍ଚିତ ଦୁଷ୍କର୍ମ ଘଟଣା ଦିନକୁ ଦିନ ଅଧିକ ରହସ୍ୟମୟ ହୋଇ ପଡ଼ୁଛି।

ଗତ ଡିସେମ୍ବର ମାସ ୨୦ ତାରିଖରେ ହାଇଟେକ ହସ୍ପିଟାଲର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଆଟେଣ୍ଡାଣ୍ଟ୍‌ ମନୋଜକୁ ପୁଲିସ ତରବରିଆ ଭାବେ ଗିରଫ କରିଥିଲା। ତେବେ ଗିରଫ ହେବା ପରେ ମନୋଜ ଚାଞ୍ଚଲ୍ୟକର ବୟାନ ଦେଇଥିଲା। କହିଥିଲା ଛାତ୍ରୀ ଜଣକ ତାଙ୍କ ପୁରୁଷବନ୍ଧୁଙ୍କ ସହିତ ଅସଂଜତ ଅବସ୍ଥାରେ ଥିଲେ। ଏହା ସେ ଦେଖି ଦେଇଥିଲେ। ଏ ନେଇ ପରଦିନ ସେ ଅଧ୍ୟକ୍ଷଙ୍କୁ ଜଣାଇଦେବେ ବୋଲି କହିବାରୁ ରାତିରେ ତରବରିଆ ଭାବେ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଅଣାଯାଇଥିଲା। ଅଭିଯୁକ୍ତଙ୍କ ଏଭଳି ବୟାନ ପରେ ପୁଲିସ ଘଟଣାର ଛାତ୍ରୀ ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଇଥିଲା। ନିୟମ ଅନୁଯାୟୀ ଦିନେ ଦୁଇଦିନ ମଧ୍ୟରେ ହସ୍ପିଟାଲ କର୍ତୃପକ୍ଷ ଡାକ୍ତରୀ ମାଇନା ରିପୋର୍ଟ ଦେବା କଥା। କିନ୍ତୁ ଦୁଇ ସପ୍ତାହ ପରେ ମଧ୍ୟ ଏଯାଏ ଡାକ୍ତରୀ ମାଇନା ରିପୋର୍ଟ ପ୍ରସ୍ତୁତ କରି ପାରି ନ ଥିଲା। ଏବେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଡାକ୍ତରୀମାଇନା ରିପୋର୍ଟ ପ୍ରସ୍ତୁତ କରି ମଞ୍ଚେଶ୍ୱର ଥାନା ପୁଲିସକୁ ଦେଇ ସାରିଲାଣି। କିନ୍ତୁ ପୁଲିସ ପକ୍ଷରୁ କୋର୍ଟରେ ଡାକ୍ତରୀମାଇନା ରିପୋର୍ଟ ଦାଖଲ କରାଯାଉନାହିଁ। ତେଣୁ ଏହା ପଛରେ ରହସ୍ୟ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। କେଉଁ କାରଣରୁ ଡାକ୍ତରୀ ମାଇନା ରିପୋର୍ଟ ପ୍ରଦାନରେ ବିଳମ୍ବ ଘଟୁଛି ତାକୁ ନେଇ ଅଭିଯୁକ୍ତ ମନୋଜର ଆଇନଜୀବୀ ଅବିନାଶ ମହାନ୍ତି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ଯେତେ ଶୀଘ୍ର ଡାକ୍ତରୀ ମାଇନାକୁ କୋର୍ଟରେ ପୁଲିସ ଉପସ୍ଥାପନ କରାଇବ ସେ ନେଇ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ଅଭିଯୁକ୍ତର ଜାମିନ୍‌ ମଧ୍ୟ ଏହି ଡାକ୍ତରୀ ମାଇନା ରିପୋର୍ଟ ଉପରେ ନିର୍ଭର କରୁଛି ବୋଲି ଆଇନଜୀବୀ ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର