ଖଣ୍ଡଗିରି : ବରମୁଣ୍ଡା ଡ୍ରେନ୍‌ରୁ ଜବତ ହୋଇଥିବା ଖଣ୍ଡିଆ ଗୋଡ଼ର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ଗୋଡ଼ଟି କାହାର ଜାଣିବା ପାଇଁ ପୁଲିସ ଖୋଳତାଡ଼ ଜାରି ରଖିଛି। ମାତ୍ର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଛି। ମୃତ ଶରୀରର ଅନ୍ୟ କୌଣସି ଅଙ୍ଗ ମଧ୍ୟ ପୁଲିସକୁ ମିଳିପାରିନାହିଁ। ତେଣୁ ଏହି କଟା ଗୋଡ଼ର କାହାଣୀ ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Advertisment

ମଙ୍ଗଳବାର ଅପରାହ୍‌ଣରେ ମିଳିଥିବା ଏହି ଖଣ୍ଡିଆ ଗୋଡ଼ ପାଇଁ ପୁଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ରେନ୍‌ ନିକଟରେ ମୃତ ଶରୀରକୁ ଖୋଜାଖୋଜି କରିଥିଲା। ଆଜି ଦିନସାରା ଉଦୟଗିରି ଓ ଖଣ୍ଡଗିରି ପାହାଡ଼ରେ ବୁଲିବୁଲି ପୁଲିସ କର୍ମଚାରୀମାନେ ମୃତଶରୀର ଖୋଜିଥିଲେ। କାରଣ ବହୁ ସମୟରେ ଏହି ଦୁଇ ପାହାଡ଼ରୁ ଅପରିଚିତ ଶବ ମିଳିଥାଏ। ‌ମୃତ ଶରୀରର ଅନ୍ୟ କୌଣସି ଅଙ୍ଗପ୍ରତ୍ୟଙ୍ଗ ମିଳିନଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କୁକୁର ବିଲୁଆ ଟାଣି ଟାଣି ଅଧିକ ଦୂର ଆଣିବା ସମ୍ଭବ ନୁହେଁ। ଯଦି ବି ତାହା ହୋଇଥାଏ, ତେବେ ନିହାତି ୨/୩ କିଲୋମିଟର ପରିଧି ଭିତରେ ମୃତଦେହର ସନ୍ଧାନ ମିଳିଯିବା କଥା। ଏହି ଖଣ୍ଡିଆ ଗୋଡ଼କୁ କେହି ଅନ୍ୟଆଡ଼ୁ ଆଣି ଏହି ଡ୍ରେନ୍‌ରେ ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି। ତେଣୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ପୁଲିସ କହିଛି।

ପୁଲିସ ସୂଚନାନୁସାରେ ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ନିୟମାନୁସାରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ଖଣ୍ଡିଆ ଗୋଡ଼ ରହିବ ଓ ପରେ ଅନ୍ତିମ ସଂସ୍କାର କରାଯିବ। ଭବିଷ୍ୟତରେ ଡିଏନ୍‌ଏରୁ ମୃତ ବ୍ୟକ୍ତିର ପରିଚୟ ପାଇବାରେ ସହାୟକ ହେବ।