ଭୁବନେଶ୍ୱର: ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଏଭଳି ୧୦ରୁ ଅଧିକ ଲୁଟପାଟ୍‌ ଓ ଆକ୍ରମଣ ଘଟଣା ଘଟିଲେ ମଧ୍ୟ ପୁଲିସ ଲୁଟେରାଙ୍କ ପତ୍ତା ପାଉନି। ୬ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୬ ତାରିଖରେ ଫାୟାର ଷ୍ଟେସନ୍ ଛକରେ ଦୁଇ ଭାଇ ସୌମ୍ୟରଂଜନ ଓ ସୁପ୍ରଭାସଙ୍କୁ ୧୦ରୁ ଅଧିକ ଫାଇନାନ୍ସ କର୍ମଚାରୀ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣା ଦିନ ୧୨ଟାରେ ଘଟିଥିଲେ ବି ପୁଲିସ୍‌ର ଦେଖାନଥିଲା। ଆକ୍ରମଣରେ ଶିକାର ସୌମ୍ୟରଂଜନ ଏବେ ବି ସଂଜ୍ଞାହୀନ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି। ସାନ ଭାଇ ଦୁଇଜଣ ଆକ୍ରମଣକାରୀ ରାଜା ଓ ମିଲନଙ୍କୁ ଚିହ୍ନଟ କରିଥିଲେ ବି ପୁଲିସ ସେମାନଙ୍କ ପାଖ ପହଞ୍ଚିପାରି ନାହିଁ। ଦୁଇଭାଇଙ୍କୁ ଆକ୍ରମଣ କରିବା ଘଟଣାର ମୁଖ୍ୟ ଅପରାଧୀ ମିଲନ୍ ଓ ରାଜକିଶୋର ହେଉଛନ୍ତି ପେସାଦାର ଅପରାଧୀ। ଉଭୟଙ୍କ ନାଁରେ ଭୁବନେଶ୍ବରର ବିଭିନ୍ନ ଥାନାରେ ଡଜନେରୁ ଅଧିକ ମାମଲା ରହିଛି। ପାର୍ବଣ ଆସିବା ପୂର୍ବରୁ ଵାରେଣ୍ଟ୍ ଡ୍ରାଇଭ୍‌ରେ ପୁଲିସ ଏମାନଙ୍କୁ ଉଠାଇଥିଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା। । ମାତ୍ର ପୁଲିସର ଖାମଖିଆଲି ଗୁଣ ପାଇଁ ଫାଇନାନ୍ସ କର୍ମଚାରୀ ଉଭୟଙ୍କୁ ଭଡ଼ାଟିଆ ଗୁଣ୍ଡା ଭାବେ ବ୍ୟବହାର କରି ଦୁଇ ଭାଇଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

Advertisment

ଖାଲି ଏତିକି ନୁହେଁ, ଗତ ୨୮ତାରିଖ ବିଳମ୍ବିତ ରାତିରେ ବରମୁଣ୍ଡା ଫ୍ଲାଏଓଭର ନିକଟରୁ ଜଗନ୍ନାଥ ବେହେରାଙ୍କୁ ଆକ୍ରମଣ କରି ଲୁଟ୍‌ପାଟ କରିଥିବାବେଳେ ସହିଦନଗର ଫ୍ଲାଏ ଓଭରରେ ସାଗର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଲୁଟିଥିଲା। ସେହିପରି ନିକଟରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ମହିଳା ମର୍ଣ୍ଣିଂଵାକ୍‌ରେ ଯାଉଥିବା ବେଳେ ୨ ଦୁର୍ବୃତ୍ତ ସୁନାଚେନ୍ ଝାମ୍ପି ନେଇଥିଲେ।

କଡ଼ା ପାଟ୍ରୋଲିଂ, ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି: ଡିସିପି
ଡେଲ୍‌ଟା ଛକରେ ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ୍ ଲୁଟିବା ଘଟଣାରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପ୍ରତିକ୍ରିୟାରେ କହିଛନ୍ତି, ଘଟଣାକୁ ହାଲୁକା ଭାବେ ନିଆନଯାଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଖୁବ୍ ଶୀଘ୍ର ଲୁଟେରାମାନଙ୍କୁ ଗିରଫ କରାଯିବ। ଅପରପକ୍ଷରେ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ସାଧାରଣତଃ ଅପରାଧ ଅଧିକ ଘଟୁଥିବାରୁ ପୁଲିସ ମଧ୍ୟ ସଜାଗ ରହିଛି। ଏକାଧିକ ଅପରାଧ ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇ ସେଠାରେ କଡ଼ା ପାଟ୍ରୋଲିଂ କରାଯାଉଛି। ଜେଲ୍‌ରୁ ଜାମିନ୍‌ରେ ଆସିଥିବା ଦାଗୀ ଓ ଲୁଟେରାଙ୍କ ତାଲିକା ମଧ୍ୟ କରାଯାଇଛି। ଖୁବ୍‌ ଶୀଘ୍ର ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୁଲିସର ନିଷ୍କ୍ରିୟତାକୁ ନେଇ ଉଠିଲାଣି ପ୍ରଶ୍ନ
ରାଜଧାନୀରେ ଏହିଭଳି ମାଳମାଳ ଲୁଟ୍, ଆକ୍ରମଣ, ସଶସ୍ତ୍ର ଡକାୟତି ଭଳି ସଙ୍ଗିନ ଅପରାଧ ଘଟୁଥିଲେ ବି କମିସନରେଟ୍ ପୁଲିସର ନିଷ୍କ୍ରିୟତାକୁ ନେଇ ରାଜଧାନୀବାସୀ ବର୍ଷିବା ଆରମ୍ଭ କରିଛନ୍ତି। ଏ ନେଇ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ପାର୍ବଣ ପୂର୍ବରୁ କମିସନରେଟ୍ ପୁଲିସ୍‌ର କୌଣସି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନି। ଦଶହରାରେ ଭୁବନେଶ୍ବରକୁ ରାଜ୍ୟର ଅନ୍ୟ ସହରରୁ ଲୋକେ ଆସୁଥିବାରୁ ରାଜଧାନୀ ଚଳଚଞ୍ଚଳ ହୋଇଉଠେ। ଏଥିପାଇଁ ପୁଲିସ ପ୍ରଥମେ ଵାରେଣ୍ଟ୍ ଡ୍ରାଇଭ୍ କରିବା କଥା। ଯାହା ଦ୍ବାରା ଦାଗୀଙ୍କୁ ଟ୍ରାକ୍‌ରେ ରହିବା ସହିତ ପୁଲିସ ନଜରରୁ ଖସି ଅପରାଧ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ସେହିଭଳି ଦାଦାବଟିକୁ ବନ୍ଦ କରିବା ପାଇଁ ସ୍ପେସାଲ୍ ଡ୍ରାଇଭ୍ କରିବା ଆବଶ୍ୟକ। କାରଣ ଦଶହରାଠୁ ନେଇ କାଳୀପୂଜା ପର୍ଯ୍ୟନ୍ତ ଦାଦାମାନେ ଚାନ୍ଦା ଆଦାୟ କରନ୍ତି। ହାଇ​ୱେ ଲୁଟେରାଙ୍କ ଠାରୁ ଆରମ୍ଭ କରି ଛିନ୍‌ତାଇ ଓ ଡକାୟତି ଆଦି ଅପରାଧକୁ ନିୟନ୍ତ୍ରଣକରିବା ପାଇଁ ନାଇଟ୍ କମ୍ବିଂ ମଧ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ଥାନାର ଆଇଆଇସି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହଯୋଗରେ କ୍ରାଇମ୍‌ ରିଭ୍ୟୁ କରିବା ସହିତ ଅପରାଧପ୍ରବଣ ଅଞ୍ଚଳରେ କଡ଼ା ପାଟ୍ରୋଲିଂ ଆବଶ୍ୟକ ବୋଲି ସେ କହିଛନ୍ତି।

ଅପରପକ୍ଷରେ ନୂଆପଲ୍ଲୀର ବରିଷ୍ଠ ନାଗରିକ ଜଲିଲ୍ ଖାନ କହିଛନ୍ତି, ପୁଲିସର ନିରବତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ କଥା। କାରଣ ପାର୍ବଣ ଆସିଲେ ଅପରାଧୀ ସକ୍ରିୟ ହୁଅନ୍ତି। ଏଥିପାଇଁ ପୁଲିସ ଛକଠୁ ଆରମ୍ଭ କରି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସାଦା ପୋଷାକରେ ଜଗିବା ଉଚିତ। ଯାହା ଦ୍ବାରା ଅପରାଧ ଘଟାଇବାକୁ ଆସିଥିବା ଅପରାଧୀମାନେ ଘଟଣାସ୍ଥଳରେ ହିଁ ଧରାପଡ଼ିବେ ଏବଂ ପୁଲିସ ଥିବା ନେଇ ସେମାନଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହେବ।