ଭୁବନେଶ୍ୱର ବାଲିଯାତ୍ରା ଆଶା ମଉଳିଲା

ଚନ୍ଦ୍ରଶେଖରପୁର: ରାଜଧାନୀରେ ପ୍ରଥମ ଥର ନିମନ୍ତେ ହେବାକୁ ଥିବା ବାଲିଯାତ୍ରା ପ୍ରସ୍ତୁତିକୁ ଝଟ୍‌କା ଲାଗିଛି। ବରିମୁଣ୍ଡ ଜରିପାଟଣା କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ସମିତି ପକ୍ଷରୁ ଦୀର୍ଘ ତିନି ମାସ ହେବ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଏହି ବାଲିଯାତ୍ରାକୁ ବିଭିନ୍ନ କାରଣରୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ କମିସନରେଟ ପୁଲିସ ଆଜି ସ୍ପଷ୍ଟ କରି ଦେଇଛି। ଫଳରେ ନଭେମ୍ବର ୪ରୁ ୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରା ଆଶା ମଉଳି ଯାଇଛି।

ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଯେ ଜଳସେଚନ ଓ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ସ୍ଥାନ ବାଲିଯାତ୍ରା ଭଳି ବୃହତ୍‌ କାର୍ଯ୍ୟକ୍ରମ ନିମନ୍ତେ ଅନୁକୂଳ ନୁହେଁ। ପ୍ରଥମତଃ ଏନେଇ ଉକ୍ତ ଦୁଇ ବିଭାଗ ପକ୍ଷରୁ ଅନୁମତି ଆଣିବା ଆବଶ୍ୟକ। ଏହାସହିତ ସୁରକ୍ଷା, ଆଲୋକୀକରଣ, ଟ୍ରାଫିକ୍‌ ନିୟନ୍ତ୍ରଣ, ଗମନାଗମନ ସୁବିଧା ଓ ବିଶାଳ ଜନସମାଗମକୁ ଦୃଷ୍ଟିରୁ ଏହି ସ୍ଥାନ ପ୍ରକୃଷ୍ଟ ନଥିବା ଦର୍ଶାଯାଇଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ଅନୁମତି ଆଦି ପାଇବା ନେଇ ମଧ୍ୟ ସମୟର ସ୍ୱଳ୍ପତା ରହିଛି। ତେଣୁ ଏହା ଆୟୋଜନ ସମ୍ଭବ ନୁହେଁ ବୋଲି ଅନୁମତି ପାଇଁ ଆବେଦନ କରିଥିବା ଆୟୋଜକଙ୍କୁ ଚିଠି ଯୋଗେ ଜଣାଇ ଦିଆଯାଇଛି। ଏହାସହିତ ନଦୀପଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାରୁ ଏନ୍‌ଜିଟି ସମସ୍ୟା ମଧ୍ୟ ଉଠିପାରେ। ତେଣୁ ଏନେଇ ଆବଶ୍ୟକ ଅନୁମତି ପ୍ରଦାନ କରିବା ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଠିକ୍‌ ନଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି। ଏନେଇ ଗୁରୁବାର ଦିନ ସ୍ଥାନୀୟ ବିଧାୟକ, ଖୋର୍ଧା ଜିଲାପାଳ ଓ ସଂପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ନେଇ ସେ ସୂଚନା ଦେଇଛନ୍ତି।

କଟକ ଭଳି ଭୁବନେଶ୍ୱରରେ ମଧ୍ୟ ପ୍ରଥମ ବାଲିଯାତ୍ରା ହେବା ନେଇ ଗତ ୩ମାସ ହେବ ପ୍ରସ୍ତୁତି ଚାଲିଥିଲା। ପ୍ରଥମେ ଏକ କମିଟି ଜରିଆରେ ପ୍ରସ୍ତୁତି ଚାଲିିଥିବାବେଳେ ପରେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହି ସମିତିରେ ସଭାପତି ମନୋନୀତ ହୋଇଥିଲେ। କିଛି ଉତ୍ସାହୀ ଶିକ୍ଷିତ ଯୁବଗୋଷ୍ଠୀ ରାଜଧାନୀର ସବୁ ବର୍ଗର ଲୋକଙ୍କ ସହାୟତାରେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିଲେ। ଏ ନେଇ ସାଧାରଣରେ ଉତ୍ସାହ ମଧ୍ୟ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ବିଭାଗରୁ ଆବଶ୍ୟକ ଅନୁମତି ପାଇଁ ପ୍ରାୟ ଦେଢ଼ମାସ ହେବ ଆବେଦନ କରାଯାଇଥିଲା। ଏନେଇ ବିଭିନ୍ନ ପର୍ଯ୍ୟାୟରେ ୫୩ଟି ଗ୍ରାମର ମୁଖିଆ, ରାଜଧାନୀର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଜନପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କର ବୈଠକ ମଧ୍ୟ କରାଯାଇଥିଲା। ବିଧାୟକ ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ ମଧ୍ୟ ପରେ ଆୟୋଜକଙ୍କୁ ନିଜର ସମ୍ମତି ପ୍ରଦାନ କରିଥିଲେ। ମାତ୍ର ଆଜି ଉତ୍ତର ବିଧାୟକଙ୍କୁ ଏନେଇ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କରଛଡ଼ା ଦେଇଥିଲେ।

ଏଣେ ପ୍ରସ୍ତାବିତ ଭୁବନେଶ୍ୱର ବାଲିଯାତ୍ରାକୁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ବିରୋଧ କରିଥିଲେ। ଏହା ଆୟୋଜନ ହେଲେ ଏକ ନୂତନ ପରମ୍ପରା ସୃଷ୍ଟି ହେବାର ସୁଯୋଗ ଥିଲା। ମାତ୍ର କତିପୟ ବ୍ୟକ୍ତି ଏହାକୁ ରାଜନୀତିର ରଙ୍ଗଦେଇ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଆୟୋଜକମାନେ କହିଛନ୍ତି। କାରଣ ଯାହା ହେଉନା କାହିଁକି ଅନୁମତି ନ ମିଳିବାରୁ ରାଜଧାନୀ ଉପକଣ୍ଠବାସୀଙ୍କର ବାଲିଯାତ୍ରା ସ୍ୱପ୍ନ ସାକାର ହୋଇନାହିଁ।

ସମ୍ବନ୍ଧିତ ଖବର