ପୁଲିସ କମିସନରଙ୍କ ନିର୍ଦ୍ଦେଶାବଳି ଉଲ୍ଲଂଘନ : ରସୁଲଗଡ଼ ଓ ମାଛୁଆ ବଜାର ପୂଜା କମିଟିକୁ ନୋଟିସ

ଭୁବନେଶ୍ୱର : ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ କମିସନର ଏକ ନିର୍ଦ୍ଦେଶାବଳି ଜାରି କରିଥିଲେ। ହେଲେ ଏହାକୁ କେତେକ ପୂଜା କମିଟି ମାନି ନ ଥିଲେ। ଏଥିପାଇଁ ପୁଲିସକୁ ଭିଡ଼ ଓ ଅପରାଧ ନିୟନ୍ତ୍ରଣରେ ସମସ୍ୟା ହୋଇଥିଲା। ଏଣୁ ଦୁଇଟି ପୂଜା କମିଟିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କଟକର ମାଛୁଆ ବଜାର ଦୁର୍ଗାପୂଜା କମିଟି ଓ ରସୁଲଗଡ଼ ଦୁର୍ଗାପୂଜା କମିଟି ଏହି ତାଲିକାରେ ରହିଥିବା ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ପୁଲିସ କମିସନରଙ୍କ ସୂଚନା ମୁତାବକ, ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ ପୂଜା କମିଟିମାନଙ୍କ ସହ ଯଥେଷ୍ଟ ପୂର୍ବରୁ ଆଲୋଚନା କରାଯାଇଥିଲା। କ’ଣ ମାନିବେ, କ’ଣ କରିବେ, ମଣ୍ଡପ‌ରେ କେଉଁ ବ୍ୟବସ୍ଥା ଗ୍ରହଣ କରିବେ, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କେତେ ସ୍ବେଚ୍ଛାସେବୀ ରଖିବେ ଏ ସବୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା। ସମସ୍ତ ପୂଜା କମିଟି ଏ ବାବଦରେ ନିଜର ସମ୍ମତି ପ୍ରଦାନ କରିବା ସହ କେତେକ ନୂଆ ପ୍ରସ୍ତାବ ମଧ୍ୟ ଦେଇଥିଲେ। ସେ ସବୁକୁ ବିଚାରକୁ ନିଆଯାଇ ଏକ ନିର୍ଦ୍ଦେଶାବଳି ତିଆରି ହୋଇଥିଲା। ହେଲେ ଏହାକୁ ପାଳନ କରିବାରେ ରସୁଲଗଡ଼ ଓ ମାଛୁଆ ବଜାର ଦୁର୍ଗାପୂଜା କମିଟି ହେଳା କରିଥିବା ଦେଖାଯାଇଥିଲା। ରସୁଲଗଡ଼ରେ ଏକ ମୀନାବଜାର ଆୟୋଜିତ ହେବାରୁ ପାର୍କିଂ ସମସ୍ୟା ସୃଷ୍ଟି ହୋଇଥିଲା। ଲୋକମାନେ ବାଧ୍ୟ ହୋଇ ରାସ୍ତା ଉପରେ ପାର୍କିଂ କରିଥିବା ଦେଖାଯାଇଥିଲା। ସେହିଭଳି ଧାର୍ଯ୍ୟ ସୀମା ଠାରୁ ମଣ୍ଡପ ଅଧିକ ଆଗକୁ ବଢ଼ି ରହିଥିଲା। ଏହା ମଧ୍ୟ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଥିଲା।

ମାଛୁଆ ବଜାରରେ ଅନୁରୂପ ଢଙ୍ଗରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏହା ପୁଲିସର ପରିଚାଳନା ଗତ ତ୍ରୁଟି ଯୋଗୁଁ ହେଲା ବୋଲି ସାଧାରଣରେ ପ୍ରଚାର ହୋଇଥିଲା। ସେଥିପାଇଁ ଏହି ଦୁଇଟି କମିଟିକୁ ନୋଟିସ ଜାରି କରାଯାଇଛି। ତେବେ ଅନେକ କମିଟିରୁ ବେଶ୍‌ ସହଯୋଗ ମିଳିଛି। ଯେଉଁଥିପାଇଁ ଉଭୟ ସହରରେ ପୂଜା ଶୃଙ୍ଖଳିତ ହୋଇଥିବା କହିଛନ୍ତି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର