ପ୍ରଜ୍ଞାପରମିତା ଆତ୍ମହତ୍ୟା ଘଟଣା: ସ୍ବାମୀ, ଶାଶୁ ଓ ନଣନ୍ଦଙ୍କୁ ପୁଲିସ ନୋଟିସ୍‌

ଭୁବନେଶ୍ବର: ଜିଜିପି କଲୋନିରେ ଘଟିଥିବା ନବବଧୂ ପ୍ରଜ୍ଞାପରମିତାଙ୍କ ଆତ୍ମହତ୍ୟା ମାମଲାର ଅଧିକ ଛାନ୍‌ଭିନ୍‌ ପାଇଁ ମଞ୍ଚେଶ୍ବର ଥାନା ପୁଲିସ ତାଙ୍କ ସ୍ବାମୀ ପ୍ରଶାନ୍ତ ପାତ୍ରଙ୍କ ସମେତ ଶାଶୁ ଓ ନଣନ୍ଦଙ୍କୁ ନୋଟିସ୍‌ କରିଛି। ସେମାନେ ୭ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ପୁଲିସ ନୋଟିସ୍‌ କରିଛି। ମାନସିକ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ପ୍ରଜ୍ଞାଙ୍କୁ ବାଧ୍ୟ କରିଥିବା ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି। ବିବାହ ପରେ ରୋଗିଣା ବୋଲି ବଦନାମ୍‌ କରି ସ୍ବାମୀ ପ୍ରଶାନ୍ତ ଓ ତାଙ୍କ ପରିବାର ଲୋକେ ପ୍ରଜ୍ଞାଙ୍କୁ ବାପ ଘରେ ଛାଡ଼ି ଦେଇଥିଲେ ଓ ଆଉ ଫେରାଇ ଆଣିନଥିଲେ ବୋଲି ଅଭିଯୋଗ ହୋଇଛି।

ସୂଚନାନୁସାରେ ଗତ ଜୁନ୍‌ ୮ରେ ଜିଜିପି କଲୋନିରେ ରହୁଥିବା ନିଆଳି ଅଞ୍ଚଳର ପ୍ରଜ୍ଞାପରମିତା ସ୍ବାଇଁ ପଟିଆ ଅଞ୍ଚଳର ପ୍ରଶାନ୍ତ ପାତ୍ରଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ୧୨ ଦିନ ପରେ ପ୍ରଜ୍ଞାଙ୍କ ଦାନ୍ତ ବିନ୍ଧା ହୋଇଥିଲା। ପ୍ରଶାନ୍ତଙ୍କ ପରିବାର ପ୍ରଜ୍ଞାଙ୍କ ଦାନ୍ତବିନ୍ଧାକୁ କର୍କଟ ‌ରୋଗ ବୋଲି କହି ତାଙ୍କୁ ବାପଘରେ ଛାଡ଼ି ଦେଇଥିଲେ। ବାପଘରେ ଛାଡ଼ିଦେବା ପୂର୍ବରୁ ଶାଶୁ ଓ ନଣନ୍ଦ ପ୍ରଜ୍ଞାଙ୍କୁ ବହୁ କଟୁ କଥା କହିଥିଲେ। ତେବେ ବାପଘର ପକ୍ଷରୁ ପ୍ରଜ୍ଞାଙ୍କ ଚିକିତ୍ସା କରାଯାଇଥିଲା ଓ ବିଭିନ୍ନ ପରୀକ୍ଷା କରାଯାଇଥିଲା। ତାଙ୍କ ଦାନ୍ତ ବିନ୍ଧା ଭଲ ହୋଇଯାଇଥିଲା। କେବଳ ସେତିକି ନୁହେଁ, ଏହା କର୍କଟ ରୋଗ ନୁହେଁ ବୋଲି ଡାକ୍ତର ରିପୋର୍ଟ ଦେଇଥିଲେ। ପ୍ରଜ୍ଞାଙ୍କ ବାପଘର ପକ୍ଷରୁ ଏହି ଖବର ଦିଆଗଲେ ବି ପ୍ରଶାନ୍ତଙ୍କ ପରିବାର ଲୋକେ ମାନିବାକୁ ରାଜି ହୋଇନଥିଲେ କି ପ୍ରଜ୍ଞାଙ୍କୁ ଆଉ ଘରକୁ ଫେରାଇ ନେଇନଥିଲେ। ପ୍ରଜ୍ଞାଙ୍କ ଭାଇ ମଞ୍ଚେଶ୍ବର ଥାନାରେ କରିଥିବା ଅଭିଯୋଗ ଅନୁସାରେ ଏନେଇ ଦୁଇ ପରିବାର ମଧ୍ୟରେ ବୁଝାମଣା ପାଇଁ କଥାବାର୍ତ୍ତା ହେଲେ ବି କିଛି ସୁଫଳ ମିଳିନଥିଲା। ଏମିତିକି ପ୍ରଶାନ୍ତ ଓ ତାଙ୍କ ପରିବାର ଲୋକେ ସେମାନଙ୍କ ଫୋନ୍‌ ନମ୍ବର ବ୍ଲକ୍ କରି ଦେଇଥିଲେ। ଏସବୁ ପ୍ରଜ୍ଞା‌ଙ୍କୁ ବେଶ୍ ବାଧିଥିଲା। ସେ ଘୋର ମାନସିକ ଅବସାଦରେ ଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ।

ସମ୍ବନ୍ଧିତ ଖବର