ଭୁବନେଶ୍ୱର : ନିଶାରେ ଟଳମଳ। କିନ୍ତୁ ପାଟିରେ ନ ଥିଲା ବନ୍ଧବାଡ଼। ଯିଏ ଆଖିରେ ପଡ଼ିଲେ ତା’ର ୧୪ ପୁରୁଷ ଉଝାଳିଲେ। ଏପରିକି ମହିଳା ପୁଲିସଙ୍କ ଆଗରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାକୁ ପଛାଇଲେ ନାହିଁ। ନିଜକୁ ପୁଲିସ ପରିଚୟ ଦେଇ ଅଧ ଘଣ୍ଟାଏ କାଳ ଉତ୍ପାତ କଲେ। ପୁରୁଷ ପୁଲିସ ତୁନି ପଡ଼ିଗଲେ କିନ୍ତୁ ସାହସ ଦେଖାଇଲେ ମହିଳା ପୁଲିସ। ଶେଷରେ ଥାନା ଭିତରୁ ତଡ଼ି ବାହାରକୁ ବିଦା କଲେ। ଗତକାଲି ରାତିରେ ସହିଦନଗର ଥାନାରେ ଏମିତି ଏକ ଘଟଣା ବେଶ୍ ଆଲୋଚନାର ବିଷୟ ପାଲଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ରାଜଧାନୀର ଏକ ଥାନାର ଅଫିସର ବୋଲି କିଛି କର୍ମଚାରୀ ଚିହ୍ନଟ କରିଥିଲେ।

Advertisment

ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଦୁଇ ଜଣ ଯୁବକ ମହର୍ଷି କଲେଜ ପଟୁ ଆଇଡିବିଆଇ ଛକକୁ ଆସୁଥିଲେ। ଆଇଡିବିଆଇ ଛକ ନିକଟରେ କାମ ଚାଲୁ ଥିବାରୁ କାର୍ ବୁଲାଇ ଫେରୁଥିଲେ। ସେହି ସମୟରେ ଅନ୍ୟ ଏକ କାର ସମାନ ଢଙ୍ଗରେ ବୁଲାଉଥିବା ବେଳେ ଆଗରେ ଥିବା ଦୁଇ ଯୁବକଙ୍କ ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲା। ଏହାକୁ ନେଇ ସେମାନେ ଧକ୍କା ଦେଇଥିବା ଗାଡ଼ି ଚାଳକଙ୍କ ସହ ଆଲୋଚନା କରିବାରୁ ସେ ରାସ୍ତାରେ ଗାଳି ଗୁଲଜ ଆରମ୍ଭ କରି ଦେଇଥିଲେ। ପାଟିରୁ ମଦ ଗନ୍ଧ ବାହାରୁଥିଲା। ଘଟଣାସ୍ଥଳରେ ଦୁଇ ଯୁବକଙ୍କ ଜଣେ ସମ୍ପର୍କୀୟ ପହଞ୍ଚି ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ପିସିଆର ବାଇକ୍ ପହଞ୍ଚିବା ପରେ ଧକ୍କା ଦେଇଥିବା କାର୍‌ ଚାଳକଙ୍କ ଆହୁରି ବୋବାଲ୍ କରିଥିଲେ। ନିଜକୁ ରାଜଧାନୀର ଏକ ଥାନାର ଅଫିସର ପରିଚୟ ଦେବା ସହ ସ୍ବାଇଁ ବାବୁ ବୋଲି କହିଥିଲେ। ପୁଲିସ ଦୁଇ ଗାଡ଼ି ସହ ଚାଳକଙ୍କୁ ସହିଦନଗର ଥାନାକୁ ନେଇ ଯାଇଥିଲା। କିନ୍ତୁ ଥାନା ଭିତରେ ସବୁ ସୀମା ଟପି ଯାଇଥିଲେ ବାବୁ ଜଣଙ୍କ। ନିଜେ ପୁଲିସ ହୋଇ ମଧ୍ୟ ସବୁ ହିତାହିତ ଜ୍ଞାନ ଭୁଲି ଯାଇଥିଲେ। ତାଙ୍କୁ ଥାନାରୁ ତଡ଼ିବ‌ା ପରେ ବାବୁ ଜଣଙ୍କ କାର୍ ଧରି ସିଧା ସେଠାରୁ ପଳାଇଥିଲେ। ଥାନାରେ ଉପସ୍ଥିତ ଥିବା ପୁଲିସ ନିଜର ଅସହାୟତା ପ୍ରକାଶ କରିବାରୁ ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ଯୁବକ କାନମୁଣ୍ଡ ଆଉଁସି ଘରକୁ ଫେରିଥିଲେ। ତେବେ ଦୁଇ ଯୁବକ ଅଭିଯୋଗ କରି ନ ଥିଲେ ବୋଲି ଥାନାର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଥାନା ଭିତରେ ଏଭଳି ହରକତ କରିଥିବା ପୁଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ବୋଲି ପ୍ରଶ୍ନ ଉଠିଛି।