ମହିଳାଙ୍କୁ ଥାନା ଅଧିକାରୀଙ୍କ ଅଶାଳୀନ ମନ୍ତବ୍ୟ: ଥାନା ଘେରିଲେ ଦୁଇ ପଞ୍ଚାୟତବାସୀ

ଭୁବନେଶ୍ୱର: ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଏୟାରଫିଲ୍‌ଡ ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହାର ପ୍ରତିବାଦରେ ଆଜି ପଧାନସାହି ଓ ଜାମୁକୋଳି ପଞ୍ଚାୟତର ଶତାଧିକ ବାସିନ୍ଦା ଥାନା ଘେରାଉ କରିବା ସହ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିସହିତ ସେମାନେ ଥାନା ଅଧିକାରୀଙ୍କ ବଦଳି ଦାବି କରିଥିଲେ। ଅତିରିକ୍ତ ଡିସିପି ଓ ଏସିପି ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନା ମୁତାବକ, ଗତ ୧୬ତାରିଖ ରାତିରେ ଭୋଜିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ହୋଇଥିଲା। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ଥାନା ଅଧିକାରୀ ଦୁଇଟି ମାମଲା ରୁଜୁ କରିଥିଲେ। ତେବେ ଏହି ଘଟଣା ସମ୍ପର୍କରେ ଗତ ୧୭ତାରିଖ ରାତିରେ ଜଟଣୀର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦୀପକ କୁମାର ଜେନା ଓ ଜାମୁକୋଳି ସରପଞ୍ଚ ମାନସ କୁମାର ରାଉଳ ଏୟାରଫିଲ୍‌ଡ ଥାନା ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। ଆଲୋଚନା ବେଳେ ଥାନା ଅଧିକାରୀ ପଧାନସାହି ଓ ଜାମୁକୋଳି ପଞ୍ଚାୟତର ମହିଳାଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ବୋଲି ଦୀପକ ଓ ମାନସ ଗତ ୧୮ତାରିଖରେ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଥାନା ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ଦୁଇ ପଞ୍ଚାୟତର ବହୁ ମୁରବୀ ଓ ମହିଳା ଆସି ଥାନା ଘେରାଉ କରିଥିଲେ। ଏଥିସହିତ ଆହୁରି ୭ଜଣ ମହିଳା ଥାନା ଅଧିକାରୀଙ୍କ ନାମରେ ଅଭିଯୋଗ କରିଥିଲେ। ଏନେଇ ଥାନା ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ପୂର୍ବରୁ ୪ଟି ମାମଲା ଥିବା ମିଥୁନ ଖଟେଇ ନାମକ ଜଣେ ଯୁବକ ଜଣେ ବ୍ୟବସାୟୀଙ୍କୁ ମାରିବାକୁ ଗୋଡ଼ାଇଥିଲା। ତା’ ନାଁରେ ଅଭିଯୋଗ ପରେ ମିଥୁନର ମା’ ଥାନା ଅନ୍ୟ ଏକ ଅଭିଯୋଗ କରିବାକୁ ଆସିଥିଲେ। ସେହି ଅଭିଯୋଗରେ ସତ୍ୟତା ନଥିବାରୁ ମାମଲା ରୁଜୁ ହୋଇନଥିଲା। ମାମଲା ରୁଜୁ କରିବା ପାଇଁ ଦୀପକ, ମାନସ ଓ ଅନ୍ୟ ଜଣେ ବ୍ୟକ୍ତି ଥାନାକୁ ଆସି ଚାପ ପକାଇଥିଲେ। ଏପରି ଅପରାଧୀଙ୍କ ସପକ୍ଷରେ ନ ବାହାରିବାକୁ ଥାନା ଅଧିକାରୀ କହିବା ସହ ସେହି ଗ୍ରାମର ଯୁବକମାନେ ମଦ ପିଇ ଅପରାଧିକ କାର୍ଯ୍ୟରେ ଜଡ଼ିତ ହେଉଛନ୍ତି ବୋଲି କହିଥିଲେ। ଫଳରେ ପ୍ରକୃତ ଘଟଣା ଜାଣିନଥିବା ଗ୍ରାମର ଲୋକଙ୍କୁ ଏକାଠି କରି ଥାନା ଘେରାଉ କରାଯାଇଥିଲା

ସମ୍ବନ୍ଧିତ ଖବର