କିଟ୍‌ ମ୍ୟାଗ୍ନେଟ୍‌ ଛକରେ ପୁଲିସ ଆଉଟ୍‌ ପୋଷ୍ଟ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସର ମ୍ୟାଗ୍ନେଟ୍‌ ଛକରେ ଏକ ନୂତନ ଟାଉନ୍‌ ପୁଲିସ ଆଉଟ୍‌ ପୋଷ୍ଟକୁ ଆଜି ପୁଲିସ୍‌ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍‌ଘାଟନ କରିଛନ୍ତି। କିଟ୍‌ ଓ କିସ୍‌ରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଛାତ୍ର ଅଧ୍ୟୟନ କରୁଥିବା ବେଳେ ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଲକ୍ଷ୍ୟ କରି ଏହି ନୂତନ ପୁଲିସ୍‌ ଟାଉନ୍‌ ଆଉଟ୍‌ପୋଷ୍ଟ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ଡ. ଶର୍ମା ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ, ଅତିରିକ୍ତ ପୁଲିସ୍‌ କମିସନର ପି ଏସ୍‌ ରଣପିସେ, ଡିସିପି ସତ୍ୟବ୍ରତ ଭୋଇ, ଡିସିପି ମୁଖ୍ୟାଳୟ ଅନୁପମା ଜେମ୍‌ସ, କିଟ୍‌ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପୁଲିସ୍‌ ଆଉଟ୍‌ପୋଷ୍ଟର ଆବଶ୍ୟକତା ପୂର୍ଣ୍ଣ ହୋଇଥିବାରୁ ଶ୍ରୀ ସାମନ୍ତ ପୁଲିସ୍‌ ଡିଜିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏହି ଆଉଟ୍‌ ପୋଷ୍ଟର ଜଣେ ସବ୍‌ଇନ୍‌ସ୍ପେକ୍ଟର, ଜଣେ ସହକାରୀ ସବ୍‌ଇନ୍‌ସ୍ପେକ୍ଟର, ୪ଜଣ କନ୍‌ଷ୍ଟେବଲ ଓ ଜଣେ ହାବିଲଦାର୍‌ଙ୍କୁ ନିୟୋଜିତ କରାଯାଇଛି। ପରବର୍ତ୍ତୀ ସମୟରେ ପୁଲିସ୍‌ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ପୁଳିସ୍‌ ଡିଜି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର