ବସ୍ତିର ପ୍ରବେଶ ପଥ ସିଲ୍, ପୁଲିସ ପାଟ୍ରୋଲିଂରେ ବାଧା

ଚନ୍ଦ୍ରଶେଖରପୁର: ଶହଶହ ବସ୍ତିଲୋକ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ବଜାର ହାଟକୁ ଆସୁଛନ୍ତି। ବାହାର ଲୋକ ବସ୍ତିରେ ରହୁଥିବା ଲୋକଙ୍କୁ ସାକ୍ଷାତ କରିବା ପାଇଁ ଯାଉଛନ୍ତି। ହେଲେ ବସ୍ତିର ପ୍ରବେଶ ପଥକୁ ବସ୍ତିବାସିନ୍ଦା ବହ୍ଲା ବାଉଁଶ ବାନ୍ଧି ସିଲ୍ କରି ରଖିଛନ୍ତି। ଏହି ମଉକାରେ ବସ୍ତି ଭିତରେ ଜମୁଛି ଯୁବକଙ୍କ ଖଟି ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସାମାଜିକ ଲୋକଙ୍କ ଆସର। କୌଣସି ଅଘଟଣର ସୂଚନା ପାଇ ପୁଲିସ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ପାରୁନି। ପୁଲିସ ପାଟ୍ରୋଲିଂରେ ବାଧକ ସାଜୁଛି ବାଡ଼। ଏପରି ପରିସ୍ଥିତି ଦେଖାଯାଇଛି ଇନ୍‌ଫୋସିଟି ଥାନା ଅଧୀନ ପ୍ରଶାନ୍ତିବିହାର ନିକଟ ଚିରଗାଲଟୋଲା ବସ୍ତିରେ।

କରୋନା ସଂକ୍ରମିତ ବ୍ୟକ୍ତି ସେମାନଙ୍କ ବସ୍ତିକୁ ନ ଆସିବା ପାଇଁ ଲୋକେ ବାଡ଼ ପକାଇଥିବା ବେଳେ ନିଜେ ମାଳମାଳ ହୋଇ ସାମାଜିକ ଦୂରତା ରକ୍ଷା ନକରି ବସାଉଠା କରୁଥିବା ଅଭିଯୋଗ ହୋଇଛି। ବସ୍ତି ଭିତରେ ଥିବା ଛୋଟ ଦୋକାନ ଖୋଲା ରହୁଛି ଓ ଲୋକମାନେ ସେଠାରେ ଏକାଠି ହେଉଛନ୍ତି। ନିଶାଖୋର ଅସାମାଜିକ ଲୋକଙ୍କ ଖଟି ଜମୁଛି। ବିଭିନ୍ନ ଗଳିରେ ତାସ ପାଲି ଚାଲୁଛି। ସୂଚନା ପାଇ ପୁଲିସ ପହଞ୍ଚିବା ପୂର୍ବରୁ ବସ୍ତିର ବାଉଁଶ ବାଡ଼ ନିକଟରେ ଘଣ୍ଟାଘଣ୍ଟା ଧରି ଠିଆ ହେଉଛି। ଫଳରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଲୋକମାନେ ଛତ୍ରଭଙ୍ଗ ଦେଉଛନ୍ତି। ବସ୍ତି ଅଞ୍ଚଳ‌ରୁ ପ୍ରବେଶ ପଥ ସିଲ୍ ହଟା ନଗଲେ ପାଟ୍ରୋଲିଂରେ ସମସ୍ୟା ଦେଖାଯିବ ବୋଲି ପୁଲିସ ଓ ପିସିଆର୍ କର୍ମଚାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର