ପାର୍ବଣ ପାଇଁ ପୁଲିସ ପ୍ଲାନ୍‌, ଟାର୍ଗେଟ୍‌ରେ ୫୦ ଦାଗୀ

ଜଗିବେ ୩୦ ପ୍ଲାଟୁନ୍‌ ପୁଲିସ

ଭୁବନେଶ୍ବର: ଆସୁଛି ଦଶହରା। ପାର୍ବଣ ଋତୁର ବଡ଼ ପୂଜା। ସ୍ବାଭାବିକ ଭାବେ ସହରରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢ଼ିବା ଆଶଙ୍କା ରହିଛି। ତେଣୁ ପାର୍ବଣକୁ ଆଖିରେ ରଖି କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ପ୍ଲାନ୍‌ କରିଛି। ସହରର ବଛାବଛା ୫୦ କୁଖ୍ୟାତ ଦାଗୀଙ୍କୁ ପୁଲିସ ଟାର୍ଗେଟ୍‌ କରିଛି। ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ସେହିଭଳି ବିଭିନ୍ନ ହୋଟେଲ ଉପରେ ନଜର ରଖାଯିବ ଓ ଅପରାଧୀଙ୍କୁ ଆଡ଼ା ଜମାଇବାକୁ ଦିଆଯିବ ନାହିଁ। ସାରା ସହରକୁ ୩୦ ପ୍ଲାଟୁନ୍‌ ପୁଲିସ ବଳ ଜଗିବେ ବୋଲି ସୂଚନା ମିଳିଛି।

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଏଥିପାଇଁ ସହର ସାରା ଚେକି ଓ ବ୍ଲକିଂକୁ ଏବେଠୁ ଜୋର୍‌ଦାର କରାଯାଉଛି। ସହରର ୨୫୦ରୁ ଅଧିକ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଅଧିକାଂଶ ଏବେ ଜେଲ୍‌ରେ। ତେବ‌େ ସ୍ବତନ୍ତ୍ର ନଜରେ ଥିବା ୫୦ କୁଖ୍ୟାତ ଅପରାଧୀଙ୍କୁ ବାନ୍ଧିବା ପାଇଁ ସମ୍ପୃକ୍ତ ଥାନାଗୁଡ଼ିକୁ ତାଲିକା ପଠାଯାଇଛି। ହାଜିରା ଦେଉଥିବା ଅପରାଧୀଙ୍କ ଉପରେ କଡ଼ାନଜର ରଖାଯାଇଛି। ହୋଟେଲ୍‌କୁ କେଉଁମାନେ ଆସୁଛନ୍ତି, ସେମାନଙ୍କ ସମସ୍ତ ତଥ୍ୟ ରଖିବାକୁ ହୋଟେଲ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସରାଇଆପ୍‌କୁ ସବୁବେଳେ ସକ୍ରିୟ ରଖିବାକୁ ହୋଟେଲମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶେଷକରି ଦୁର୍ଗାପୂଜା ସମୟରେ ରାଜଧାନୀରେ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହାଛଡ଼ା ୨ କମ୍ପାନି ସିଆର୍‌ପିଏଫ୍ ଯବାନ, ଷ୍ଟ୍ରାଇକିଂ ଫୋର୍ସ, ଏନ୍‌ଡିଆର୍‌ଏଫ୍, କୁଇକ୍ ଆକ୍ସନ ଟିମ୍ ମଧ୍ୟ ସହର ଉପରେ ନଜର ରଖିବେ। ସାଦା ପୋଷାକରେ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପଇଁତରା ମାରିବ। ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ଆଉଟ୍‌ପୋଷ୍ଟ ଖୋଲିବ। ଗୁରୁତ୍ବପୂର୍ଣ୍ଣ ମଣ୍ଡପ ଅର୍ଥାତ ମା’ ଦୁର୍ଗାଙ୍କ ସୁନା ଓ ଚାନ୍ଦି ବେଶ ଥିବା ମଣ୍ଡପର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି। ଅଷ୍ଟମୀ ଠାରୁ ଭିଡ଼ ହେଉଥିବା ମଣ୍ଡପଗୁଡ଼ିକରେ ଅଧିକ ମହିଳା ପୁଲିସ ମୁତୟନ କରାଯିବ। ପ୍ରତ୍ୟେକ ମଣ୍ଡପ ସିସିଟିଭି ନଜରରେ ରହିବ। ‌ଏଥିପାଇଁ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ କରାଯାଇ ସବୁପ୍ରକାର ଗତିବିଧି ଉପରେ ନଜର ରଖାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର