ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଆଜି

ପୁଲିସର ଅଭ୍ୟାସ ଶେଷ, ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ବୁଧବାର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଉତ୍ସବ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କମିସନରେଟ୍‌ ପୁଲିସ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ଅଭ୍ୟାସ କରିଥିବା ବେଳେ ବିଭିନ୍ନ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ପଡ଼ିଆର କୋଣ ଅନୁକୋଣ ବୁଲି ଦେଖିଛନ୍ତି। ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମର ଅଭ୍ୟାସ କରାଯାଇଛି। ଜାତୀୟ ସଂଗୀତ ଗାନଠାରୁ ଆରମ୍ଭ କରି ଧନ୍ୟବାଦ ଅର୍ପଣ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସନ୍ଧାନୀ କୁକୁର ସହ ଫାଟକରେ ମେଟାଲ ଡି‌କ୍ଟେଟର ସହ ସାଦା ପୋଷ‌ାକରେ ଗୁଇନ୍ଦା ପୁଲିସ ମୁତୟନ କରାଯାଇଛି। କେବଳ ମଞ୍ଚକୁ ଛାଡ଼ିଦେଲେ ଶପଥ ଗ୍ରହଣ ଉତ୍ସବ ଯେମିତି ଆଜି ହିଁ ଆୟୋଜିତ ହେଉଥିବା ଅନୁମେୟ ହେଉଥିଲା।

ସକାଳ ସାଢ଼େ ୧୦ଟାରୁ କାର୍ଯ୍ୟକ୍ରମ
୫୦ ହଜାର ବର୍ଗଫୁଟ୍‌ ଜାଗା, ୫ ହଜାର ଚୌକି
ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି। ଏମାନଙ୍କର ସଂଖ୍ୟା ପାଖାପାଖି ୫ ହଜାର ହେବ ବୋଲି କୁହାଯାଉଛି। ସେଥିପାଇଁ ଏଠାରେ ୫ ହଜାର ଚୌକି ବ୍ୟବସ୍ଥା କରାଯାଇଛି। ସଭାସ୍ଥଳର ଆୟତନ ୫୦ ହଜାର ବର୍ଗଫୁଟ ରହିଛି। ଏହାକୁ ସେଣ୍ଟ୍ରାଲ ଶୀତାତପ ନିୟନ୍ତ୍ରିତ କରାଯାଇଛି। ଏଥିରେ ୬ଟି ଏଲ୍‌ଇଡି ସ୍କ୍ରିନ୍‌ ରହିଛି। ମଞ୍ଚର ଆୟତନ ୪ଶହ ବର୍ଗଫୁଟ ରହିଛି। ଏଥିରେ ମଧ୍ୟ ୨୮ଟି ଚୌକି ବ୍ୟବସ୍ଥା କରାଯାଇଛି। ସଭାସ୍ଥଳ ଛଡ଼ା ଆଉ ଦୁଇଟି ଟେଣ୍ଟ ବ୍ୟବସ୍ଥା କରାଯାଇଛି। ଗୋଟିଏ ସଭାସ୍ଥଳକୁ ଲାଗି ଭିଆଇପି ଲାଉଞ୍ଜ ଅନ୍ୟଟି ଫୁଡ୍‌ ଷ୍ଟଲ ରହିଛି। ଫୁଡ୍‌ଷ୍ଟଲ୍‌ରେ ମଧ୍ୟ ୪ଟି ଏଲ୍‌ଇଡି ରହିଛି। ଏହି ସବୁ ଏଲ୍‌ଇଡିରେ ଶପଥ ଗ୍ରହଣ ଉତ୍ସବର ସିଧା ପ୍ରସାରଣ ଅତିଥିମାନେ ଉପଭୋଗ କରିପାରିବେ।

ଭିଭିଆଇପିଙ୍କୁ ସୁରକ୍ଷା
ଅନେକ ଆମନ୍ତ୍ରିତଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆଣିବା ପାଇଁ ବ୍ୟବସ୍ଥା ହୋଇଛି। ଅନେକଙ୍କୁ ବିମାନବନ୍ଦରରୁ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ଓ ଏହି ଭିଭିଆଇପିମାନେ ଆସିବାକୁ ଥିବା ପ୍ରଥମ ଫାଟକରୁ ମଞ୍ଚ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଛି। ଏହି ରାସ୍ତା ଦେଇ ଟେଣ୍ଟ ପର୍ଯ୍ୟନ୍ତ ଏମାନଙ୍କ ଗାଡ଼ି ପହଞ୍ଚିବା ପରେ ସେମାନଙ୍କୁ ଟେଣ୍ଟ ଭିତରକୁ ନିଆଯିବ। ଟେଣ୍ଟରେ ଥିବା ଏହି ଫାଟକକୁ କଡ଼ା ସୁରକ୍ଷା ଦିଆଯାଇଛି। ଅଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଆଉ କେହି ଏହି ବାଟ ଦେଇ ଯାଉନାହାନ୍ତି ବୋଲି ଏଠାରେ ଦାୟିତ୍ବରେ ଥିବା ଅଧିକାରୀ ନିଶ୍ଚିତ କରିବେ।

ସକାଳ ୭ଟାରୁ ୧୨ ଯାଏଁ କଟକଣା
ପୂର୍ବାହ୍ନ ସାଢ଼େ ୧୦ଟାରୁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ‌ହେବାକୁ ସ୍ଥିର ହୋଇଛି। କିନ୍ତୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଧୁସୂଦନ ମାର୍ଗକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ ରଖାଯିବାକୁ କମିସନରେଟ୍‌ ପୁଲିସ ନୋଟିସ ଜାରି କରିଛି। ଯେଉଁମାନେ ବାଣୀବିହାର ଛକ ପଟୁ ରାମ ମନ୍ଦିର ଦେଇ ହାଉସିଂବୋର୍ଡ ଛକ ଆଡ଼କୁ ଯିବାକୁ ଚାହୁଁଥି‌ବେ, ସେମାନେ ଭାୟା ମାଷ୍ଟରକ୍ୟାଣ୍ଟିନ୍‌-ଲୋୟର ପିଏମ୍‌ଜି ଦେଇ ଆସିବେ। ସେହିପରି ଆଚାର୍ଯ୍ୟ ବିହାର ଛକରୁ ରାମମନ୍ଦିର ଆଡ଼କୁ ଯିବାକୁ ଚାହୁଁଥିବା ବ୍ୟକ୍ତି ଭାୟା ରବୀନ୍ଦ୍ରମଣ୍ଡପ-ଲୋୟର ପିଏମ୍‌ଜି-ମାଷ୍ଟରକ୍ୟାଣ୍ଟିନ୍‌ ଦେଇ ଯିବେ। କେବଳ ପାସ୍‌ଧାରୀ ହିଁ ଏହି ମାର୍ଗ ଦେଇ ପ୍ରବେଶ ପ୍ରସ୍ଥାନ ସୁଯୋଗ ପାଇବେ। ଗୋଲାପୀ ରଙ୍ଗର ପାସ୍‌ଧାରୀ କେଶରୀ ଟକିଜ୍‌ କଡ଼ରେ ଆସି ନିର୍ଧାରିତ ସ୍ଥାନରେ ପାର୍କିଂ କରି ଭିତରେ ପ୍ରବେଶ କରିବେ। ସବୁଜ ରଙ୍ଗର ପାସ୍‌ଧାରୀ ହାଉସିଂ ବୋର୍ଡ ଛକ ଦେଇ ମଧୁସୂଦନ ମାର୍ଗର ଯେକୌଣସି ପାର୍ଶ୍ବରେ ଗାଡ଼ି ପାର୍କ କରିବା ସହ ଗେଟ୍‌ ୩ ଦେଇ ପ୍ରବେଶ କରିବେ। ହଳଦିଆ ପାସ୍‌ ଧାରୀ ରାମମନ୍ଦିର ପଟୁ ଆସି ଜାଭିୟର ସ୍କୁଲ ସାମ୍ନାରେ ଅତିଥିଙ୍କୁ ଛାଡ଼ି କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ଏହି ଅତିଥିମାନେ ଗେଟ୍‌ ନମ୍ବର ୪ ଓ ୫ ଦେଇ ପ୍ରବେଶ କରିବେ। ସକାଳୁ ଦୁଇ ଚାରିଘଣ୍ଟା ରାସ୍ତା ବନ୍ଦ କରିବାରେ ସମସ୍ୟା ହେବ ନାହିଁ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। ଯେଉଁ ସରକାରୀ ଅଧିକାରୀ ବା ପୁଲିସ କର୍ମଚାରୀମାନେ ଏଠାରେ ଦାୟିତ୍ବ ନେଇଛନ୍ତି ସେମାନେ ୮ଟା ବେଳେ ଏଠାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର