କାର କାଚଭଙ୍ଗା ଲୁଟେରାଙ୍କ ପଛରେ ପୁଲିସ; ଲଜ୍, ଗେଷ୍ଟ ହାଉସ୍‌ରେ ରାତିଅଧିଆ ଯାଞ୍ଚ

ଭୁବନେଶ୍ବର : ରାଜଧାନୀରେ କାର୍‌ କାଚ ଭାଙ୍ଗି ଲୁଟୁଥିବା ଲୁଟେରାଙ୍କ କାରନାମା ବଢ଼ିବଢ଼ି ଚାଲିଛି। ଖାରବେ​ଳନଗର, କ୍ୟାପିଟାଲ, ଲକ୍ଷ୍ମୀସାଗର ଭଳି ପ୍ରମୁଖ ଅଞ୍ଚଳରୁ ଲୁଟି ଚାଲିଛନ୍ତି ଲୁଟେରା। କିନ୍ତୁ ଜଣେ ବି ଲୁଟେରା ପୁଲିସ ହାତରେ ଧରା ପଡ଼ିନାହାନ୍ତି। ଯାହା କମିସନରେଟ ପୁଲିସ ପାଇଁ ଚିନ୍ତା ବଢ଼ାଇଛି। ଲୁଟେରାଙ୍କୁ ଧରିବା ଲାଗି ସବୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୁଟେରା ଗ୍ୟାଙ୍ଗ ଅଣଓଡିଆ ହୋଇଥିବା ବେଳେ ଗୁଜରାଟର ବୋଲି ପୁଲିସକୁ ସୂଚନା ମିଳିଛି। ଏମାନେ ଟ୍ରେନ୍ ଯୋଗେ ଆସି ରାଜଧାନୀରେ ଡେରା ପକାଇଥିବା ଜଣାପଡ଼ିଛି। ଲଜ୍‌ କିମ୍ବା ଗେଷ୍ଟହାଉସରେ ରହି ଅପରାଧ ଘଟାଉଛନ୍ତି। ଗତ ୧୦ ଦିନ ଭିତରେ ଏହି ଧରଣର ଲୁଟ୍ ଓ ଛିନ୍‌ତାଇ ବଢ଼ିଛି ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଡିସିପି କହିଛନ୍ତି। କାର୍‌ରେ ଟଙ୍କା, କିମ୍ବା କୌଣସି ମୂଲ୍ୟବାନ ସାମଗ୍ରୀ ଛାଡ଼ି ନ ଯିବା ପାଇଁ ସେ ଗଣମାଧ୍ୟମ ଜରିଆରେ ସତର୍କ କରିଛନ୍ତି।

ଅନ୍ୟପକ୍ଷରେ ଲୁଟେରାଙ୍କୁ ଠାବ କରିବା ଲାଗି ଭୁବନେଶ୍ବର ରେଳଷ୍ଟେସନର ଆଖପାଖ ଅଞ୍ଚଳର ଲଜ୍, ଗେଷ୍ଟହାଉସରେ ଲୁଟେରା ଲୁଚି ରହିଥିବା ସନ୍ଦେହରେ ପୁଲିସ ରାତିଅଧିଆ ଚଢ଼ଉ କରି ଯାଞ୍ଚ ଆରମ୍ଭ କରିଛି। ବିଭିନ୍ନ ଲଜ୍‌, ଗେଷ୍ଟହାଉସର ରେଜିଷ୍ଟର ଓ ଗ୍ରାହକଙ୍କ ପରିଚୟପତ୍ର ଯାଞ୍ଚ କରୁଛି। ସନ୍ଦେହ ହେଲେ ପଚରାଉଚରା ମଧ୍ୟ କରୁଛି। କିନ୍ତୁ ଏଯାଏ ଲୁଟେରାଙ୍କୁ ଠାବ କରାଯାଇ ପାରି ନାହିଁ।

କେମିତି କରୁଛନ୍ତି ଲୁଟ୍?
ଏହି ଲୁଟେରା ଗ୍ୟାଙ୍ଗ ଗୁଜରାଟରୁ ଆସୁଛନ୍ତି ସତ କିନ୍ତୁ ଏମାନଙ୍କ ସହ ଓଡ଼ିଆ ଅପରାଧୀଙ୍କ ସମ୍ପର୍କ ରହୁଛି। ବିଶେଷ କରି ଏହି ଅଣଓଡ଼ିଆ ଅପରାଧୀଙ୍କ ସହ ଗଞ୍ଜାମ ଅଞ୍ଚଳର କିଛି ଅପରାଧୀ ହାତ ମିଳାଇଛନ୍ତି। ପ୍ରତିବର୍ଷ ଏହି ସମୟରେ ଏମାନେ ଭୁବନେଶ୍ବରକୁ ଆସନ୍ତି। ଦୁଇ ତିନିମାସ ଧରି ଲୁଟପାଟ କରିବା ପରେ ଫେରାର ହୋଇଯାଆନ୍ତି। କିନ୍ତୁ ଏମାନଙ୍କ ଟେର୍ ପାଇପାରେ ନାହିଁ ପୁଲିସ। କୌଣସି ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ କାର୍‌ରେ ରଖିବା ସମୟରେ ଏମାନେ ପିଛା କରିଥାନ୍ତି। ଛକ ସ୍ଥାନରେ କାର୍‌ ପାର୍କିଂ କରି ଗଲେ ଏମାନେ ନଜର କରନ୍ତି। ଟିକେ ସୁଯୋଗ ପାଇଲେ କାର୍‌ କାଚ ଭାଙ୍ଗି ନେଇ ଟଙ୍କା ନେଇଯାଆନ୍ତି। କେବଳ ଟଙ୍କା ନୁହେଁ ଲାପ୍‌ଟପ୍‌, କ୍ୟାମେରା ଭଳି ଦାମୀ ସାମଗ୍ରୀ ମଧ୍ୟ ଲୁଟି ନିଅନ୍ତି।

ସମ୍ବନ୍ଧିତ ଖବର