ଦ୍ବୈତନଗରୀରେ ମାସ୍କ କଳାବଜାର : ୩୦ ଟଙ୍କା ମାସ୍କକୁ ୧୫୦ରେ ବିକ୍ରି

କମିସନରେଟ୍‌ ପୁଲିସର ଚଢ଼ଉ, ଏବେ ଚେତାବନୀ, ଆଗକୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ବିଶ୍ବ ପାଇଁ ବିପଦ ପାଲଟିଥିବା କରୋନା ଭୂତାଣୁ ପାଇଁ ବଜାରରେ ମାସ୍କର ଚାହିଦା ବଢ଼ିଥିବା ବେଳେ ମେଡିସିନ୍‌ ଷ୍ଟୋର୍‌ଗୁଡ଼ିକ ଏହାର ଫାଇଦା ଉଠାଉଛନ୍ତି। ମାତ୍ର ୩୦ ଟଙ୍କାର ମାସ୍କକୁ ୧୫୦ ଟଙ୍କା ଓ ୧୦ ଟଙ୍କା ମାସ୍କକୁ ୪୦ ଟଙ୍କାରେ ବିକ୍ରି କରି ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ ଆଜି କମିସନରେଟ୍ ପୁଲିସ ନିଜ ନିଜ ଥାନା ଅଞ୍ଚଳରେ ଥିବା ପ୍ରାୟ ଶହେରୁ ଅଧିକ ମେଡିସିନ୍ ଷ୍ଟୋର ଉପରେ ଚଢ଼ଉ କରିଛି। ଚଢ଼ଉ ବେଳେ ମାସ୍କର ବ୍ୟାପକ କଳାବଜାର ହେଉଥିବା ଜଣାପଡ଼ିଛି। ଲୁଇସ୍ ରୋଡରେ ଥିବା ଏକ ମେଡିସିନ୍ ଷ୍ଟୋର୍‌ରୁ ଜଣେ ଗ୍ରାହକ ୪ଟି ମାସ୍କ କିଣିଥିଲେ। ତେବେ ମେଡିସିନ୍ ଷ୍ଟୋର୍‌ ଏଥିପାଇଁ ସଂପୃକ୍ତ ଗ୍ରାହକଙ୍କଠା‌ରୁ ୬୦୦ ଟଙ୍କା ନେଇଥିଲା। ସେତିକିବେଳେ ମେଡିସିନ୍ ଷ୍ଟୋରରେ ଚଢ଼ଉ କରିଥିଲା ବଡ଼ଗଡ଼ ଥାନା ପୁଲିସ। ସମ୍ପୃକ୍ତ ଗ୍ରାହକଙ୍କଠାରୁ ମାସ୍କ ଓ ବିଲ୍ ଜବତ କରିବା ପରେ ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଥିଲା। ଗୋଟିଏ ମାସ୍କର ପ୍ରକୃତ ମୂଲ୍ୟ ୩୦ଟଙ୍କା ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ସମ୍ପୃକ୍ତ ମେଡିସିନ୍ ଷ୍ଟୋର୍‌ ୧୨୦ ଟଙ୍କା ରଖି ବାକି ୪୮୦ ଟଙ୍କା ଗ୍ରାହକଙ୍କୁ ଫେରସ୍ତ କରିଥିଲେ।

ବାପୁଜୀନଗରରେ ଥିବା ଏକ ମେଡିସିନ୍ ଷ୍ଟୋର୍‌ରେ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା। ଚଢ଼ା ଦାମ୍‌ରେ ମାସ୍କ ବିକ୍ରି ହେଉଥିବା ଜଣାପଡ଼ିବା ପରେ କ୍ୟାପିଟାଲ ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। କଟକରେ ବି ସେହି ସମାନ ଅବସ୍ଥା ଥିଲା। ପୁଲିସ କମିସନର୍‌ଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ବର ଓ କଟକର ସମସ୍ତ ଥାନାଧିକାରୀ ନିଜ ନିଜ ଅଞ୍ଚଳରେ ଚଢ଼ଉ କରିଥିଲେ। ପାଖାପାଖି ୧୦୦ଟି ମେଡିସିନ୍ ଷ୍ଟୋର୍‌ରେ ପୁଲିସ ଚଢ଼ଉ କରିଥିବା ଜଣାପଡ଼ିଛି।

ପ୍ରଥମଥର ପାଇଁ ଚଢ଼ଉ ହୋଇଥିବାରୁ ମେଡସିନ୍ ଷ୍ଟୋର୍‌ କର୍ତ୍ତୃପକ୍ଷଙ୍କୁ ପୁଲିସ କେବଳ ଚେତାବନୀ ଦେଇଛି। ଆଗକୁ ମାସ୍କ କଳାବଜାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍‌ ପୁଲିସ୍‌ ସୂଚନା ଦେଇଛି। ଏହି ଚଢ଼ଉ ପରେ ମେଡିସିନ୍ ଷ୍ଟୋର୍‌ଗୁଡ଼ିକ ମାସ୍କର ପ୍ରକୃତ ମୂଲ୍ୟରେ ବିକ୍ରି କରିଥିଲେ। ଚଢ଼ଉ ପରେ ଲୋକେ ସଠିକ୍ ଦାମରେ ମାସ୍କ କିଣି ଖୁସି ହୋଇଛନ୍ତି।

ମିଳୁଛି ନକଲି ଏନ୍-୯୫ ମାସ୍କ
ମେଡିସିନ୍ ଷ୍ଟୋରରେ ଉପଲବ୍ଧ ମାସ୍କ ଭିତରୁ ଏନ୍-୯୫ ମାସ୍କ ସବୁଠୁ ଉନ୍ନତମାନର। ସମସ୍ତ ମାସ୍କଠାରୁ ଏହାର ଗୁଣବତ୍ତା ଅଧିକ। ଏହାର ଚାହିଦା ମଧ୍ୟ ଯଥେଷ୍ଟ ଅଧିକ। ଏହି ମାସ୍କରେ ଫିଲ୍ଟର୍‌ ଲାଗି ଥିବାରୁ ନିଃଶ୍ବାସପ୍ରଶ୍ବାସ ସମୟରେ ଧୂଳିକଣା ବି ଯିବା କଷ୍ଟକର। ଚାହିଦା ଦୃଷ୍ଟିରୁ ଏହାର ଦାମ୍ ଅନ୍ୟ ମାସ୍କଠାରୁ ଯଥେଷ୍ଟ ଅଧିକ। କରୋନା ଭୂତାଣୁ ଯେଉଁଭଳି ଭାବରେ ସାରା ବିଶ୍ବ ପାଇଁ ବିପଦ ସୃଷ୍ଟି କରିଛି, ଏଥିରୁ ବର୍ତ୍ତିବା ଲାଗି ଏନ୍-୯୫ର ମାସ୍କର ଚାହିଦା ରହିଛି। କିନ୍ତୁ ବଜାରରେ ଏବେ ଏହି ମାସ୍କର ଅଭାବ ରହିଛି। କେତେକ ଅସାଧୁ କମ୍ପାନି ସାଧାରଣ ମାସ୍କରେ ଏନ୍-୯୫ ପ୍ରିଣ୍ଟ କରି ବିକ୍ରି କରୁଥିବା ପୁଲିସ ଚଢ଼ଉ ବେଳେ ନଜରକୁ ଆସିଛି। ଯେଉଁ ଖୋଳରେ ପ୍ୟାକିଂ କରାଯାଇଛି, ସେଥିରେ କୌଣସି ବାରକୋଡ୍ ନାହିଁ। ସାଧାରଣ କପଡ଼ାରେ ତିଆରି ମାସ୍କ ଏନ୍-୯୫ ନୁହେଁ ବୋଲି ଜଣାପଡ଼ିଥିଲା। କିନ୍ତୁ ଏହି ମାସ୍କକୁ ସମ୍ପୃକ୍ତ ମେଡିସିନ୍‌ ଷ୍ଟୋର୍ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରାଯାଉଥିବା ସାମ୍ନାକୁ ଆସିଥିଲା। ଗୋଟିଏ ମାସ୍କ ଓ ଏହାର ପ୍ୟାକେଟ୍‌କୁ ପୁଲିସ ଜବତ କରି ଖୋଳତାଡ଼ ଆରମ୍ଭ କରିଛି।

ଗୋଦାମରେ କେବେ?
ମେଡିସିନ୍‌ ଷ୍ଟୋର୍‌ରେ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ବିପୁଳ ପରିମାଣରେ ମାସ୍କ ଗଚ୍ଛିତ ରଖୁଥିବା ମେଡସିନ୍ ଗୋଦାମ ଓ ଷ୍ଟକିଷ୍ଟ ପଏଣ୍ଟରେ ଚଢ଼ଉ କରି ନାହିଁ ପୁଲିସ। କେବଳ ମେଡିସିନ୍ ଷ୍ଟୋର୍‌ରେ ଚଢ଼ଉ କରି ପୁଲିସ କାମ ସାରିଦେଇଛି। କିନ୍ତୁ ଗୋଦାମରେ ବିପୁଳ ପରିମାଣର ମାସ୍କ ଗଚ୍ଛିତ ରହିବା ସହ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲର୍‌ଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି। କିନ୍ତୁ କାହିଁକି ଗୋଦାମରେ ଚଢ଼ଉ ହୋଇନାହିଁ, ତାକୁ ନେଇ ସାଧାରଣ‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର