ରାଜଧାନୀର ବିଭିନ୍ନ ବାର୍‌ ଉପରେ କମିସନରେଟ ପୁଲିସର ଅତର୍କିତ ଚଢ଼ାଉ, ୫୦ ଜଣଙ୍କୁ ଜରିମାନା

ଭୁବନେଶ୍ୱର: କମିସନରେଟ୍‌ ପୁଲିସ ଆଜି ରାତିରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବାର୍‌ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଖାରବେଳ ନଗର, ଲକ୍ଷ୍ମୀସାଗର ଓ ୟୁନିଟ-୮ ଅଂଚଳରେ ଥିବା କିଛି ବାର୍‌ଗୁଡ଼ିକ ଉପରେ ଚଢ଼ାଉ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ୮ଟି ବାରରେ ଚଢାଉ ହୋଇଛି ଓ ସେ ମଧ୍ୟରୁ ଦୁଇଟି ବାରରେ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ହୋଇଥିବା ଧରାପଡ଼ିଛି।

କରୋନା ଗାଇଡଲାଇନ୍‌କୁ ପାଳନ କରି ରାଜଧାନୀରେ ବାର୍‌, ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିବାକୁ ନିୟମ ରହିଛି। କିନ୍ତୁ କିଛି ବାର୍‌ରେ କରୋନା ନିୟମ ଉଲ୍ଲଂଘନ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଫଳରେ ପୁଲିସ୍‌ ପକ୍ଷରୁ ଆଜି ରାତିରେ ନିୟମ ଉଲ୍ଲଂଘନ କରୁଥିବା ବାର୍‌ଗୁଡ଼ିକ ଉପରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା।

ସୂଚନା ଅନୁସାରେ ଚଢ଼ାଉ ସମୟରେ କିଛି ବ୍ୟକ୍ତି ବେଆଇନ୍‌ ଭାବେ ବାର୍‌ରେ ମଦ୍ୟପାନ କରୁଥିଲେ। ଏଭଳି କାର୍ଯ୍ୟ କରୁଥିବା ୫୦ରୁ ଅଧିକ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏ ନେଇ ଅବକାରୀ ବିଭାଗକୁ ଚିଠି ଲେଖାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର