ବୁବୁ ଘରେ ଚଢ଼ଉ: ମିଳିଲାନି ମାରଣାସ୍ତ୍ର

ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ଘରେ ଖାନତଲାସି, ବୁବୁ ପରେ କାହା ପାଳି?

ଭୁବନେଶ୍ବର : ରବିବାର କେବିଏନ୍ ଗ୍ୟାଙ୍ଗ୍‌ର ଡେଲ୍‌ଟା ଓ ପାଇକନଗରସ୍ଥିତ ଖଟି ଘରେ ଚଢ଼ଉ କରିଥିଲା ପୁଲିସ। ସୋମବାର ପୋଖରୀପୁଟରେ ସରକାରୀ ଜାଗାରେ ଥିବା ଚେଙ୍ଗ ଘରେ ଓ ମଙ୍ଗଳବାର ନୂଆପଲ୍ଲୀ ବ୍ରିଟ୍ କଲୋନିରେ ସଂଜୟ ଘରେ ପୁଲିସ ଚଢ଼ଉ କରିଥିଲା। ଆଜି ଗ୍ୟାଙ୍ଗ୍‌ ମୁଖିଆ ପୁଲିସ ପୁଅ ବୁବୁ ଘରର ପାଳି ପଡ଼ିଥିଲା। ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡାରେ ବୁବୁ ରହୁଥିବା ଭଡ଼ା ଘରେ ସକାଳ ପ୍ରାୟ ୧୦ଟା ବେଳେ ପୁଲିସ ଚଢ଼ଉ ହୋଇଥିଲା। ପ୍ରାୟ ୨ଘଣ୍ଟା କାଳ ଘରର ସବୁ କୋଠରୀରେ ପୁଲିସ ଖାନତଲାସି କରିଥିଲା। କିନ୍ତୁ ଗୋଟିଏ ବି ମାରଣାସ୍ତ୍ର ମିଳିନଥିଲା। ପୂର୍ବରୁ ସହଯୋଗୀମାନଙ୍କ ଘରେ ଚଢ଼ଉ ହୋଇଥିବା ଖବର ପାଇ ବୁବୁ ଓ ତା’ ପରିବାର ଲୋକେ ବନ୍ଧୁକ ସମେତ ଅନ୍ୟ ସବୁ ମାରଣାସ୍ତ୍ର କେଉଁଠି ଲୁଚେଇ ଦେଇଥିବା ପୁଲିସ ସନ୍ଦେହ କରିଛି।

ପୁଲିସ ଚଢ଼ଉ ବେଳେ ବୁବୁର ମା’ ଓ ସାନ ଭାଇ ଘରେ ନିଜର କୌଣସି ମାରଣାସ୍ତ୍ର ନଥିବା କହିଥିଲେ। ବୁବୁ ସଉକ ପାଇଁ କାହାଠୁ ମାଗି ଆଣି ଖଣ୍ଡା ବୁଲାଇଥିବ ବୋଲି ସେମାନେ ସଫେଇ ଦେଇଥିଲେ। ବୁବୁ ବହୁତ ଭଲ ପିଲା, ସେ କାହାକୁ ହଣାକଟା କରିନଥିବ ବୋଲି ତା’ ମା’ ଅଭିଯୋଗକୁ ବାଏଁବାଏଁ ଉଡ଼ାଇ ଦେଇଥିଲେ। ଗତ ମାସରେ ସିଆର୍‌ପି ଛକରେ ଲକ୍ଷ୍ମୀପୂଜାରେ ଗଣ୍ଡଗୋଳ ସମୟରେ ପ୍ରତିପକ୍ଷର ପିଲା ତା’କୁ ଆକ୍ରମଣ କରିବାରୁ ତା’ ମୁଣ୍ଡ ଫାଟିଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ବୁବୁକୁ କେହି ଫସାଇବାକୁ ଏଭଳି ଭିଡିଓ ଭାଇରାଲ କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଏହା ପଛରେ ବୁବୁର ବିପକ୍ଷ ଗୋଷ୍ଠୀର ହାତ ଅଛି ବୋଲି ମା’ ଓ ସାନ ଭାଇ କହିଥିଲେ। ତେବେ ପୁଲିସ ଆଜି ବୁବୁ ଘରୁ ଖାଲି ହାତରେ ଫେରିଥିଲେ ବି ତା’ ପିଛା ଛଡ଼ାଯିବନି ବୋଲି ସୂଚନା ଦେଇଛି। ଯେଉଁଠି ଲୁଚିଥିଲେ ବି ପୁଲିସ ହାତରୁ ତା’ର ନିସ୍ତାର ନାହିଁ ବୋଲି କୁହାଯାଇଛି।

ସାମ୍ନାକୁ ଆସୁଛି ନୂଆ ନୂଆ ଛାତିଥରା ଦୃଶ୍ୟ
ଗିରଫ ହୋଇଥିବା ୯ ଅଭିଯୁକ୍ତଙ୍କ ପାଖରୁ ପୁଲିସ ଏକାଧିକ ପେନ୍‌ଡ୍ରାଇଭ୍ ଜବତ କରିଛି। ରାଜଧାନୀଠୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ରାସ୍ତାରେ ବୁଲି ବୁଲି ବନ୍ଧୁକ ଓ ଖଣ୍ଡା ଧରି କରିଥିବା ଛାତିଥରା ଦୃଶ୍ୟ ସବୁକୁ ପ୍ରମାଣ ଭାବେ ବ୍ୟବହାର କରିବା ପାଇଁ ପୁଲିସ ପେନ୍‌ଡ୍ରାଇଭ୍‌ରୁ ବାହାର କରିଛି। ଏହି ଭିଡିଓରେ ସେମାନେ କେତେବେଳେ ରାସ୍ତାରେ କାର୍ ଥୋଇ ମ‌ାତାଲ ଭଳି ମାରଣାସ୍ତ୍ର ବୁଲାଉଛନ୍ତି ତ’ ଆଉ କେଉଁଠି ଡନ୍ ଭଳି ଉପରକୁ ବ୍ଲାଙ୍କ୍ ଫାୟାର୍‌ କରି ମନୋରଂଜନ କରୁଛନ୍ତି। ତେବେ ଏସବୁ ଭିତରେ ଆଜି କାର୍ ଓ ବାଇକ୍‌ରେ ଷ୍ଟଣ୍ଟ କରୁଥିବା ଦୃଶ୍ୟ ମଧ୍ୟ ସାମ୍‌ନାକୁ ଆସିଛି। ଏହାକୁ ଏକାଠି କରି କୋର୍ଟରେ ଦାଖଲ କରିବାକୁ ପୁଲିସ ବନ୍ଦୋବସ୍ତ କରୁଛି।

ଟାଉନ୍ ଟାଇଗର୍ ନାଁ’ରେ ହ୍ବାଟ୍ସଆପ୍ ଗ୍ରୁପ୍
ଭୁବନେଶ୍ବରରେ ଆତଙ୍କ ଖେଳାଇଥିବା କେବିଏନ୍ ଗ୍ରୁପ୍‌ର ଆଉ ଏକ ମୁଖା ସାମ୍ନାକୁ ଆସିଛି। ଏହି ରକ୍ତମୁଖା ଗୋଷ୍ଠୀ ହ୍ବାଟ୍ସଆପ୍‌ରେ ଟାଉନ୍ ଟାଇଗର୍ ନାଁ’ରେ ଏକ ଗ୍ରୁପ୍ ଖୋଲିଥିଲେ। ଏହି ଗ୍ରୁପ୍‌ରେ ପ୍ରାୟ ୩୦ରୁ ଅଧିକ ସଦସ୍ୟ ଥିବା ପୁଲିସ ଜାଣିବାକୁ ପାଇଛି। କେଉଁଦିନ କେଉଁଠି ଖଟି କରିବେ, କୋଉଠି ଗଣ୍ଡଗୋଳ ହେବ, ଗ୍ୟାଙ୍ଗ୍ ସଦସ୍ୟଙ୍କର ଯଦି କେଉଁଠି ହାତାହାତି ହେଉଥିଲା, ଏହି ଗ୍ରୁପ୍‌ରେ ସୂଚନା ଦେଇ ସମସ୍ତେ ମିଳିମିଶି ଅନ୍ୟମାନଙ୍କୁ ଆକ୍ରମଣ କରୁଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗୋଷ୍ଠୀର ଅପରାଧର କାରନାମା ପଦାକୁ ଆସିବା ପରେ ଅନେକ ଗ୍ରୁପ୍‌ ଛାଡ଼ି ପଳାଇଥିବା ଜଣାପଡ଼ିଛି। ତେବେ ଗ୍ରୁପ୍‌ରୁ ଡିଲିଟ୍ ହୋଇଥିବା ସମସ୍ତ ସଦସ୍ୟଙ୍କ ତଥ୍ୟ ବାହାର କରି ସେମାନଙ୍କ ଆପରାଧିକ ଇତିହାସ ଆଧାରରେ ଗିରଫ କରିବାକୁ ପୁଲିସ ଯୋଜନା କରୁଛି।

୪ଜଣଙ୍କୁ ରିମାଣ୍ଡରେ ଆଣିବ ପୁଲିସ
ସୂଚନା ମୁତାବକ, ବର୍ତମାନ ନୂଆପଲ୍ଲୀ ଥାନା ପୁଲିସ କେବିଏନ୍ ଗ୍ୟାଙ୍ଗ୍‌ର ୨୯ଜଣଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଚେଙ୍ଗ, ସନିଆ, କାହ୍ନା ଓ ସୁମନକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି। ୩ଦିନିଆ ରିମାଣ୍ଡରେ ଆଣିବାକୁ ଆସନ୍ତାକାଲି ନୂଆପଲ୍ଲୀ ଥାନା ପୁଲିସ ଆବେଦନ କରିବ ବୋଲି ଜଣାପଡ଼ିଛି।

ଆତ୍ମସମର୍ପଣ କରିବାକୁ କହିଲେ ମା’
ବୁବୁ ଘରେ ଆଜି ପୁଲିସ ଚଢ଼ଉ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ବୁବୁଙ୍କ ମା’ଙ୍କର ପ୍ରତିକ୍ରିୟା ନେଇଥିଲେ। ଯେଉଁଥିରେ ସେ କହୁଥିଲେ, ବୁବୁ ପୁଲିସ ପାଖରେ ଆତ୍ମସମର୍ପଣ କରୁ। ସେ କରିଥିବା ଭୁଲ୍ କାମ ପାଇଁ ତା’କୁ ପୂର୍ବରୁ ବାପା ଓ ପରିବାର ଲୋକେ ତାଗିଦ୍ କରିଛନ୍ତି। ଅଥଚ ସେ କାହା କଥା ଶୁଣୁନଥିବାରୁ ଆଜି ଆମେ ହଇରାଣ ହେଲୁ ବୋଲି ସାନ ଭାଇ କହିଥିଲେ।

ସମ୍ବନ୍ଧିତ ଖବର