କୋଚିଂ ‌ସେଣ୍ଟରରେ ଚଢ଼ଉ, ଶିକ୍ଷକଙ୍କୁ ଉଠାଇ ନେଲା ପୁଲିସ

ବାଲିଅନ୍ତା: କରୋନା ମହାବିପତ୍ତି ବେଳେ ସରକାର ସ୍କୁଲ କଲେଜ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌କୁ ଖାତିର ନକରି ଶିକ୍ଷକ କୋଚିଂ ସେଣ୍ଟର ଚଲାଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଅଣଦେଖା କରି ଦୈନିକ ୩ ବ୍ୟାଚ୍‌ କୋଚିଂ ଚାଲିଥିଲା। କିନ୍ତୁ ଆଜି ଅତର୍କିତ ପୁଲିସ ଚଢ଼ଉ ହେଲା। ପୁଲିସ ଶିକ୍ଷକଙ୍କୁ ଥାନାକୁ ଉଠାଇନେବା ବେଳେ ଛାତ୍ରଛାତ୍ରୀମାନେ ଭୟରେ ବହିବସ୍ତାନି ଧରି ଦୌଡ଼ିଥିଲେ। ଘଟଣାଟି ବେଣ୍ଟପୁର ପଞ୍ଚାୟତ ଦିୱାନପାଟଣା ଗାଁରେ ଘଟିଛି। ତେବେ ପୁଲିସ ଶିକ୍ଷକଙ୍କଠାରୁ ଜରିମାନା ଆଦାୟ କରି ଛାଡ଼ି ଦେଇଛି। ସୂଚନାନୁସାରେ, ଲକ୍‌ଡାଉନ୍‌ ଆରମ୍ଭରୁ ଶିକ୍ଷକଜଣକ କୋଚିଂ ସେଣ୍ଟର ଚଳାଇ ଆସୁଥିଲେ। ୩ଟି ବ୍ୟାଚ୍‌ରେ ୧୨୦ଜଣ ପିଲା ପଢ଼ୁଥିଲେ। ପ୍ରଥମରୁ ଲୋକେ ଏହାକୁ ବିରୋଧ କରୁଥିଲେ ମଧ୍ୟ ଶିକ୍ଷକ କାହା କଥାକୁ କର୍ଣ୍ଣପାତ କରିନଥିଲେ। ଏବେ ବାଲିଅନ୍ତା ବ୍ଲକରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲୋକେ ଆଉ ସମ୍ଭାଳି ନଥିଲେ। ତେଣୁ କିଛି ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେଣୁ ଆଜି ପୁଲିସ ଚଢ଼ଉ କରିଥିଲା। ଏହି ଘଟଣା ପରେ ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର