ଛାତ୍ରାବାସ ୩ ଓ ୪ରେ ଚଢ଼ଉ ହେବ, ୧୦ ବର୍ଷରେ ୪ ଥର ଚଢ଼ଉ

ଛାତ୍ରାବାସ ଉପରେ ପୁଲିସ ଚଢ଼ଉ ପ୍ରଥମ ନୁ‌ହେଁ, ମୁହାଁମୁହିଁ ହୋଇଛନ୍ତି ପୁଲିସ-ଅଣଛାତ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ପୁଲିସ ଚଢ଼ଉ ଏଥର ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏକାଧିକ ଥର କୁଳପତିଙ୍କ ନିର୍ଦେଶକ୍ରମେ ପୁଲିସ ହଷ୍ଟେଲଗୁଡ଼ିକ ଉପରେ ଚଢ଼ଉ କରିଛି। ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେଇଛି। ଏମିତି ହୋଇଛି ଯେ କ୍ୟାମ୍ପସ ଭିତରେ ପୁଲିସ-ଅଣଛାତ୍ର ହାତାହାତି ହୋଇଛନ୍ତି। ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଛାତ୍ର ଓ ଅଣଛାତ୍ରଙ୍କୁ ଗିରଫ କରାଯିବାର ନଜରି ରହିଛି। ଗତ ୧୦ ବର୍ଷର ତଥ୍ୟକୁ ଦେଖିଲେ ଛାତ୍ରାବାସଗୁଡ଼ିକ ଉପରେ ପୁଲିସ ୪ ଥର ଚଢ଼ଉ କରିଛନ୍ତି। ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥଙ୍କ ସମୟରେ ୨୦୦୯-୧୦ ଶିକ୍ଷାବର୍ଷରେ ଲଗାତାର ଦୁଇ ଥର ଚଢ଼ଉ କରାଯାଇ ଅଣଛାତ୍ରଙ୍କୁ କ୍ୟାମ୍ପସ ବାହାର ବାଟ ଦେଖାଇ ଦିଆଯାଇଥିଲା। କେତେଜଣ ଛାତ୍ରନେତାଙ୍କ ଇସାରାରେ ଛାତ୍ର ଓ ଅଣଛାତ୍ରମାନେ ମିଳିତ ଭାବେ ପ୍ରଫେସର ରଥଙ୍କ ବାସଭବନ ଉପରକୁ ଆକ୍ରମଣ କରିଥିଲେ। ଦୁଇ ଦୁଇ ଥର ଆକ୍ରମଣ କରିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପୁଲିସର ସହାୟତା ଲୋଡ଼ିଥିଲେ। ପୁଲିସ ମଧ୍ୟ ତତ୍‌କ୍ଷଣାତ୍‌ ପଦକ୍ଷେପ ନେବା ସହ ଛାତ୍ରାବାସଗୁଡ଼ିକୁ ତନଖି କରିଥିଲା। ଚଢ଼ଉ ହେବା ଦ୍ବାରା କିଛି ଅଣଛାତ୍ର ଛତ୍ରଭଙ୍ଗ ଦେଇଥିଲେ। ଆଉ କେତେଜଣଙ୍କୁ ତଡ଼ି ବାହାର କରାଯାଇଥିଲା। ବର୍ଷେ ପର୍ଯ୍ୟନ୍ତ ହଷ୍ଟେଲଗୁଡ଼ିକ ସମ୍ମୁ‌ଖରେ ପୁଲିସ କ୍ୟାମ୍ପ ପଡ଼ିଥିଲା। ଫଳରେ ଛାତ୍ରାବାସକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଯାଇପାରିଥିଲା।

ପରବର୍ତୀ ସମୟରେ ୨୦୧୧-୧୪ ମଧ୍ୟରେ ପ୍ରଫେସର ପ୍ରଶାନ୍ତ କୁମାର ସାହୁ କୁଳପତି ଥିବା ସମୟରେ ଛାତ୍ର ସଂସଦ ନିର୍ବାଚନ ବେଳେ ବାରମ୍ବାର ଗଣ୍ଡଗୋଳ ହୋଇଥିଲା। କ୍ୟାମ୍ପସ ଭିତରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗାଡ଼ି ପୋଡ଼ା ହୋଇଥିଲା। ଛାତ୍ର, ଅଣଛାତ୍ରଙ୍କ ଗୋଷ୍ଠୀ ସଂଘର୍ଷରେ ଅନେକ ଛାତ୍ର ବି ଆହତ ହୋଇଥିଲେ। ସେତେବେଳେ ୬ ନମ୍ବରରେ ଅଣଛାତ୍ରଙ୍କ ଆଡ଼ାସ୍ଥଳୀ ଥିଲା। ସେଠାରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। କ୍ୟାମ୍ପସରେ ଅଶାନ୍ତି ବଢ଼ୁଥିଲା। ତେଣୁ କୁଳପତିଙ୍କ ନିର୍ଦେଶକ୍ରମେ ସେତେବେଳେ ବି ପୁଲିସ ଚଢ଼ଉ କରିଥିଲା। ତଥାପି ସବୁ ଅଣଛାତ୍ରଙ୍କୁ କ୍ୟାମ୍ପସରୁ ବାହାର କରିପାରି ନଥିଲା। ପ୍ରଫେସର ‌ଅଶୋକ ଦାସଙ୍କ କୁଳପତି ସମୟରେ ୨୦୧୬ ଛାତ୍ର ସଂସଦ ନିର୍ବାଚନ ବେଳେ କ୍ୟାମ୍ପସରେ ଗଣ୍ଡଗୋଳ ହୋଇଥିଲା। ପୁଲିସକୁ ଚ୍ୟାଲେଞ୍ଜ ଦେଇ ଅଣଛାତ୍ରମାନେ ଛାତ୍ରୀନିବାସ ଉପରେ ଘନ ଘନ ବୋମା ମାଡ଼ କରିଥିଲେ। ଅଣଛାତ୍ରଙ୍କୁ ପୁଲିସ ଧରିବା ପାଇଁ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଧରିପାରି ନଥିଲା। ଛାତ୍ରୀନିବାସ ଉପରକୁ ବୋମା ମାଡ଼ ହୋଇଥିଲା। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାଧ୍ୟ ହୋଇ ନିର୍ବାଚନ ବାତିଲ୍‌ କରିଥିଲେ। ରାତି ସାରା ପୁଲିସ-ଅଣଛାତ୍ର ମୁହାଁମୁହିଁ ହୋଇଥିଲେ। ତଥାପି ଅଣଛାତ୍ରଙ୍କୁ କ୍ୟାମ୍ପସରୁ ବାହାର କରିବାରେ ସକ୍ଷମ ହୋଇପାରି ନଥିଲେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ଏପରିକି ବର୍ତମାନର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସମୟରେ ୨୦୧୭ ଛାତ୍ର ସଂସଦ ନିର୍ବାଚନ ବେଳେ ଛାତ୍ର, ଅଣଛାତ୍ର ସହ ପୁଲିସର ମୁହାଁମୁହିଁ ହୋଇଥିଲା। କ୍ୟାମ୍ପସ୍‌ରେ ଶାନ୍ତି ଫେରାଇ ଆଣିବାକୁ କୁଳପତିଙ୍କୁ ଅନଶନ ଦେବାକୁ ପଡ଼ିଥିଲା। ଗତ ୧୦ ବର୍ଷ ମଧ୍ୟରେ ବାରମ୍ବାର ଅଣଛାତ୍ର-ପୁଲିସ ମୁହାଁମୁହିଁ ହୋଇଥିଲେ ମଧ୍ୟ କିଛି ବି ସୁଫଳ ମିଳିନି। କର୍ତୃପକ୍ଷ ସବୁବେଳେ ହାତ ଟେକି ଦେଉଥିବା ବେଳେ ପୁଲିସ ଅଧିକାରୀମାନେ ମଧ୍ୟ ରାଜନୈତିକ ଚାପରେ ହାତବାନ୍ଧି ବସୁଛନ୍ତି। ଯେଉଁଥିପାଇଁ କ୍ୟାମ୍ପସରେ ଅଣଛାତ୍ରଙ୍କ ଦବଦବା ଜାରି ରହୁଛି।

ଛାତ୍ରାବାସ ୩ ଓ ୪ରେ ଚଢ଼ଉ ହେବ
ହଷ୍ଟେଲରେ ଅଣଛାତ୍ର ରହିବା ନେଇ ସବୁଆଡ଼ୁ ସମାଲୋଚନାର ଶିକାର ହେବା ପରେ ଶେଷରେ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ବାକି ରହିଥିବା ହଷ୍ଟେଲଗୁଡ଼ିକ ଉପରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ବବିଦ୍ୟାଳୟ ରେସିଡେଣ୍ଟ କମିଟି ବୈଠକ ବସିଥିଲା। ଏଥିରେ ସମସ୍ତ ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ୱାଡେନ୍‌, ପିଜି କାଉସିଲ୍‌ ଅଧ୍ୟକ୍ଷ ସାମିଲ ହୋଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ମାନସମନ୍ଥନ ହୋଇଥିଲା। ଜଣେ ଅଧୀକ୍ଷକଙ୍କଠାରୁ ମିଳିଥିବା ସୂଚନା ମୁତାବକ ଖୁବ୍‌ଶୀଘ୍ର ଛାତ୍ରାବାସ ୩ ଓ ୪ରୁ ଅଣଛାତ୍ରଙ୍କୁ କାଢ଼ିବାକୁ ପୁଲିସ ସହାୟତା ନିଆଯିବ। ଏନେଇ ଚିଠି ପଠାଯିବ। ଉକ୍ତ ଦୁଇ ହଷ୍ଟେଲରେ ୨୨ ଜଣ ଅଣଛାତ୍ର ରହୁଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ କାଢ଼ିବା ପାଇଁ ହଠାତ୍‌ ଚଢ଼ଉ କରିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର