ଅପରାଧୀଙ୍କୁ ଧରିବା ଲାଗି ପୁଲିସ୍ ବସ୍ତିମୁହାଁ; ୮ଟି ବସ୍ତିରେ ଚଢ଼ଉ, ୧୦ ସନ୍ଦିଗ୍ଧଙ୍କୁ ଉଠାଇନେଲା

୧୫ ସନ୍ଦିଗ୍ଧ ଗାଡ଼ି ଜବତ, ମାଲିକାନା ଯାଞ୍ଚ କରୁଛି ପୁଲିସ
୧୦ ଅଫିସର୍‌ଙ୍କ ସମେତ ୫୦ ପୁଲିସ କର୍ମଚାରୀ ସାମିଲ

ଭୁବନେଶ୍ବର : ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଏବେ ବସ୍ତିମୁହାଁ ହୋଇଛି। ଗୁରୁବାର ରାତିରେ କମିସନରେଟ୍‌ ପୁଲିସ୍‌ର ୧୦ ଅଫିସର୍‌ଙ୍କ ସମେତ ୫୦ ପୁଲିସ୍‌ କର୍ମଚାରୀଙ୍କୁ ନେଇ ଗଠିତ ୬ଟି ଟିମ୍‌ ରାଜଧାନୀର ବିଭିନ୍ନ ବସ୍ତିରେ ଚଢ଼ଉ କରି ମୋଟ ୧୦ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଛି। ସଂଦିଗ୍ଧମାନଙ୍କୁ ରାଜଧାନୀର ଦୁଇଟି ଥାନାରେ ପଚରାଉଚରା କରାଯାଉଛି। ସେହିପରି ପୁଲିସ୍ ୧୫ଟି ଗାଡ଼ି ଗାଡ଼ି ଥାନାକୁ ଆଣି ଏହାର ମାଲିକାନା ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ରାଜଧାନୀର ବିଭିନ୍ନ ବସ୍ତି ଅପରାଧୀଙ୍କ ସେଫ୍-ଜୋନ୍ ପାଲଟିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ବିଭିନ୍ନ ସ୍ଥାନରେ ଲୁଟ୍, ରାହାଜାନି, ଛିନତାଇ, ଚୋରି, ସିନ୍ଧିଚୋରି ଭଳି ଅପରାଧ ଘଟାଇବା ପରେ ଅପରାଧୀମାନେ ବସ୍ତିରେ ଲୁଚିବାକୁ ନିରାପଦ ମଣିଥା’ନ୍ତି। ଖାଲି ସେତିକି ନୁହେଁ, ବସ୍ତିରୁ ମଧ୍ୟ ଅନେକ ବଡ଼ ବଡ଼ ଅପରାଧର ବ୍ଲୁ-ପ୍ରିଣ୍ଟ ତିଆରି ହେବାର ନଜିର ରହିଛି। ତେଣୁ ଅପରାଧୀମାନଙ୍କୁ ଅତର୍କିତ ଭାବେ ମାଡ଼ି ବସିବା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଏଭଳି ଏକ ଅପରେସନ୍‌ ଆରମ୍ଭ ହୋଇଛି। ଗତରାତିରେ ପୁଲିସ୍‌ର ୬ଟି ଟିମ୍ ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ପ୍ରାୟ ୮ଟି ବସ୍ତିରେ ଏକାସାଙ୍ଗରେ ଚଢ଼ଉ କରିଥିଲା।

ଲକ୍ଷ୍ମୀସାଗର ଥାନା ଅଞ୍ଚଳର ହଳଦୀପଡ଼ିଆ, ବୁଦ୍ଧନଗର, ଗୌତମନଗର, ବନଫୁଲ ବସ୍ତିରେ ଚଢ଼ଉ କରିଥିଲା ପୁଲିସ। ସେହିପରି ବଡ଼ଗଡ଼ ଥାନା ଅଧୀନରେ ମହିଷାଖାଲ, ଅଧେଇଖାଲ, ଗଧିଆଖାଲ ଆଦି ଅଞ୍ଚଳରେ ଚଢ଼ଉ ହୋଇଥିଲା। ଏହି ଚଢ଼ଉରେ ଟିମ୍-୬୦ ଏବଂ ଚୋରି, ଲୁଟ୍ ଭଳି ଅପରାଧକୁ ରୋକିବା ଲାଗି ତିଆରି ହୋଇଥିବା ପ୍ରପର୍ଟି ଅଫେନ୍ସ ପ୍ରିଭେନସନ୍ ଆଣ୍ଡ ଡିଟେକସନ୍(ପିଓପିଡି)ର ଟିମ୍ ସାମିଲ ହୋଇଥିଲେ। ବସ୍ତିର ଦୁଇପଟ ରାସ୍ତାକୁ ପ୍ରଥମେ ସିଲ୍‌ କରିବା ପରେ ପୁଲିସ୍‌ ଚଢ଼ଉ କରିଥିଲା, ଯେମିତି କେହି ଖସି ଯାଇପାରିବେ ନାହିଁ। ଯେଉଁମାନେ ପୁରୁଣା ଓ ପେସାଦାର ଅପରାଧୀ, ସେମାନଙ୍କ ଘରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ପ୍ରାୟ ୧୦ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିଥିଲା। ସେମାନଙ୍କୁ ପଚରାଉଚରା କରାଯାଇଛି। ଆଗକୁ ଅନ୍ୟ ବସ୍ତିରେ ମଧ୍ୟ ଏଭଳି ଅପରେସନ୍ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର