ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ପୁଲିସର ଚଢ଼ଉ: ଏଇ ଘରୁ ହେଉଥିଲା ଅପରାଧର ନୀଳ ନକ୍ସା

ଭୁବନେଶ୍ବର: କେଉଁଦିନ, କେଉଁଠି କଙ୍ଗାରୁ କୋର୍ଟ ବସିବ; କାହାକୁ ଦଣ୍ଡ ଦିଆଯିବ; କାହାକୁ ଅମାନବୀୟ ଅତ୍ୟାଚାର ଦିଆଯିବ କି ହତ୍ୟା କରାଯିବ; ଏସବୁ ଜଘନ୍ୟ ଅପରାଧର ନୀଳ ନକ୍ସା ତିଆରି ହେଉଥିଲା ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ସହିଦନଗରସ୍ଥିତ ବାସଭବନରୁ। ଏ ସମ୍ପର୍କରେ ଖୋର୍ଦ୍ଧା ପୁଲିସ ହାତରେ ତଥ୍ୟ ପ୍ରମାଣ ଲାଗିବା ପରେ ଆଜି ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଆଜି ମାନସଙ୍କ ଏହି ଘରେ ଚଢ଼ଉ କରି ପ୍ରାୟ ଦୁଇ ଘଣ୍ଟା କାଳ ଖୋଳତାଡ଼ କରିଛି। ଏହି ଚଢ଼ଉ ସମୟରେ ଯେଉଁ ସବୁ ସାମଗ୍ରୀ ପୁଲିସ ହାତରେ ଲାଗିଛି ତାହା ଦେଖି ପୁଲିସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇ ଯାଇଛନ୍ତି।

ବିପୁଳ ପରିମାଣର ସିଡି, ବହି, ଲିଫଲେଟ୍, ପୋଷ୍ଟର, ବ୍ୟାନର ଜବତ
ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ହାର୍ଡ ଡିସ୍କ, ବ୍ୟାଙ୍କ ଆକାଉଣ୍ଟ ବି ମିଳିଲା
ରିମାଣ୍ଡରେ ଆସିବେ ବାପ-ପୁଅ; ଡାଏରୀ, ରେଜିଷ୍ଟର ଖୋଲିବ ଗୁମର

ଆଜି ଖୋର୍ଦ୍ଧା ପୁଲିସର ଦୁଇଟି ଟିମରେ ୧୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ମାନସ ଦାସଙ୍କ ସହିଦନଗର ଘରେ ଅଚାନକ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୨୩ଟି ସିଡି, ଫଟୋ, ବ୍ୟାନର, କମ୍ପ୍ୟୁଟର ହାର୍ଡଡିସ୍କ, ବିପୁଳ ପରିମାଣର ଫାଇଲ୍, ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଏହା ସହ ରାଜନେତାଙ୍କ ସହ କିଛି ଫଟୋ, ସଭା ସମିତି ଫଟୋ, ଏକ ଡାଏରୀ, ରେଜିଷ୍ଟର ମଧ୍ୟ ଜବତ ହୋଇଛି। ମ‌ାନସଙ୍କ ଘରୁ ଯେଉଁ କାଗଜପତ୍ର ମିଳିଛି, ସେ ସଂପର୍କରେ ଅଧିକ ତଥ୍ୟ ପ୍ରମାଣ ହାସଲ କରିବା ଲାଗି ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କୁ ରିମାଣ୍ଡରେ ଆଣି ପୁଲିସ ଅଧିକ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ପୁଲିସର କହିବା ଅନୁସାରେ, ଜବତ ସିଡିରେ ମାନସଙ୍କର ବିଭିନ୍ନ ସଭା ସମିତିର ଭିଡିଓ ରହିଛି। ସେଥିରେ ଯୋଗ ଦେଇଥିବା ଅତିଥି, ଭାଷଣ ଏ ସବୁ ମଧ୍ୟ ସେଥିରେ ରହିଛି। ସେହିପରି ସଂଗଠନର ବ୍ୟାନର, ପୋଷ୍ଟର, ମାନସଙ୍କ ସମ୍ପର୍କରେ ହିନ୍ଦୀରେ ଲେଖା ଯାଇଥିବା ପୁସ୍ତିକା ଜବତ କରାଯାଇଛି। ତାଙ୍କ ଘରୁ ଯେଉଁସବୁ ଫାଇଲ ମିଳିଛି; ତାହାକୁ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରାଯିବ। ବିଶେଷ କରି ସଂଗଠନର ସଭା ସମିତି କେମିତି ଚାଲୁଥିଲା, ଏହା ପଞ୍ଜୀକୃତ ହୋଇଥିଲା କି ନାହିଁ, ସଂଗଠନ ଚାଲିବା ଓ ସଭା ସମିତି ପାଇଁ କେଉଁଠୁ ଅର୍ଥ ଆସୁଥିଲା, କିଏ ଆର୍ଥିକ ସହାୟତା ଯୋଗାଉଥିଲା ସେ ସମ୍ପର୍କରେ ଖୋଳତାଡ଼ ହେବ। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାଏରୀ, ରେଜିଷ୍ଟରରେ ସଂଗଠନର ସଦସ୍ୟଙ୍କ ତାଲିକା ରହୁଥିଲା। କେଉଁଠି, କେଉଁଦିନ ବୈଠକ ହେବ ତାହା ମଧ୍ୟ ଉଲ୍ଲେଖ କରାଯାଉଥିଲା। ଯେଉଁମାନେ ସଂଗଠନକୁ ଅମାନ୍ୟ କରୁଥିଲେ ସେମାନଙ୍କର କେଉଁଠି କଙ୍ଗାରୁ କୋର୍ଟ ବସୁଥିଲା ଏବଂ କିଭଳି ନିର୍ଯାତନା ଦେଇ ସମାଧାନ ହେଉଥିଲା ତାହା ମଧ୍ୟ ଉଲ୍ଲେଖ ରହୁଥିଲା। ଏ ସମ୍ପର୍କରେ ଯାଞ୍ଚ କରାଯିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ବେଗୁନିଆରେ ବାପା, ପୁଅଙ୍କୁ ନୃଶଂସ ଭାବେ ମାଡ଼ ମରାଯିବା ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ବିବାଦ ଘେରକୁ ଚାଲି ଆସିଥିଲେ ମାନସ। ଗତ ଅଗଷ୍ଟ ୧ ତାରିଖରେ ଘଟିଥିବା ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଖୋର୍ଦ୍ଧା ପୁଲିସ ଗତ ୩ ତାରିଖରେ ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଥିଲା। ସଂଗଠନ ସମ୍ପର୍କରେ ଅଧିକ ଅଭିଯୋଗ ଆସୁଥିବାରୁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର