ବାଣୀବିହାର ୭ ନମ୍ବର ହଷ୍ଟେଲରେ ଜୁଆ ଆଡ଼ା ଘଟଣା : ବାକି ହଷ୍ଟେଲରେ ଚଢ଼ଉ କେବେ?

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ ୭ ନମ୍ବର ହଷ୍ଟେଲରୁ ଜୁଆ ଆଡ଼ା ଠାବ ପରେ କର୍ତୃପକ୍ଷଙ୍କ ନିଦ ହଜିଯାଇଛି। ଅଢ଼େଇ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ହଷ୍ଟେଲରୁ ମଦ ବୋତଲ, ସିଗାରେଟ୍‌, ଚରସ, ଜୁଆ ଖେଳିବା ସାମଗ୍ରୀ ମିଳିବା ପରେ ବାକି ହଷ୍ଟେଲଗୁଡ଼ିକ ଅବସ୍ଥା କିଭଳି ରହିଛି ତାହାର ତନାଘନା କରିଛନ୍ତି ବିଶ୍ବବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକ। ବାକି ୬ଟି ଯାକ ଛାତ୍ରାବାସର କେୟାର ଟେକରଙ୍କ ସହ ସେ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଏଥିସହ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ବି ନୋଟିସ ଜାରି କରିଛନ୍ତି। କେଉଁ ହଷ୍ଟେଲରେ କେତେ ଅଣଛାତ୍ର ରହୁଛନ୍ତି? କେତେ ଅଣଛାତ୍ର କେବଳ ଦିନରେ ଆସି ରହୁଛନ୍ତି? କେଉଁଠି ମଦ ଆସର କିମ୍ବା ଜୁଆ ଖେଳ ଚାଲୁଛି? ଏସବୁର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।

ସବୁଠାରୁ ବଡ଼ କଥା ହେଲା ଯେ ଗତକାଲି ୭ ନମ୍ବର ହଷ୍ଟେଲରୁ ତଡ଼ା ଖାଇଥିବା ଅଣଛାତ୍ରମାନେ ଏବେ ବିଭିନ୍ନ ହଷ୍ଟେଲରେ ଆତ୍ମଗୋପନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ‌ସେମାନଙ୍କୁ ବାହାର କରାଯିବା ପରେ ଆଉ କେଉଁ ଆଡ଼େ ଯାଇପାରି ନଥିଲେ। ବାଧ୍ୟ ହୋଇ ଏକ ନମ୍ବର, ଦୁଇ ନମ୍ବର, ତିନି ନମ୍ବର ଓ ଚାରି ନମ୍ବର ହଷ୍ଟେଲରେ ଥିବା ବନ୍ଧୁମାନଙ୍କ ସହ ରାତି କାଟିଥିଲେ। ସେପଟେ ବିରି ମାଡ଼ ଦେଖି କୋଳଥ ଚେପା ଭଳି ଦୀର୍ଘଦିନ ଧରି ଏକ ନମ୍ବର ଓ ଦୁଇ ନମ୍ବର ହଷ୍ଟେଲରେ ଆଡ଼ା ଜମାଇଥିବା ଅଣଛାତ୍ରମାନେ ରୁମ୍‌ ଛାଡ଼ି ପଳାଇଛନ୍ତି। ଉକ୍ତ ଦୁଇ ହଷ୍ଟେଲର ୩୦ରୁ ଅଧିକ ସିଟ୍‌ କବ୍‌ଜା କରିଥିବା ଦୁଇ ଜଣ ପୂର୍ବତନ ସଭାପତିଙ୍କ ଦବଦବା ଏବେ ବି ଜାରି ରହିଛି। ଯେଉଁମାନେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସେମାନଙ୍କ ଭୟରେ ପଦକ୍ଷେପ ନେଇପାରୁ ନଥିବା କ୍ୟାମ୍ପସରେ ଚର୍ଚ୍ଚା ହେଉଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଆଉ ଏକ ପରିବାପଣିଆ ଏବେ ପଦାକୁ ଆସିଛି। ଯେଉଁ ଅଣଛାତ୍ରମାନେ ରହୁଥିଲେ ସେମାନଙ୍କ ପଛରେ ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ସହିଦନଗର ଥାନା ଭଙ୍ଗାରୁଜା ଘଟଣାର ମୁଖ୍ୟ କାର୍ପଟଦାର ପ୍ରକାଶ ତ୍ରିପାଠୀଙ୍କ ହାତ ରହିଥିଲା। ଯେଉଁଥିପାଇଁ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଥିଲେ। ଏପରିକି ସହିଦନଗର ଗଣ୍ଡଗୋଳ ଘଟଣା ପରେ ପ୍ରକାଶ ଏହି ହଷ୍ଟେଲରେ ରହୁଥିବା ନେଇ ତଥ୍ୟ ଆଜି ପଦାକୁ ଆସିଛି। ଅଣଛାତ୍ରମାନେ ତାଙ୍କୁ ଚାରିପାଖରୁ ସୁରକ୍ଷା ଦେଉଥିଲେ। ପୁଲିସର ପ୍ରତିଟି ଖବର ସଙ୍ଗେ ସଙ୍ଗେ ତା’ ପାଖରେ ପହଞ୍ଚିଯାଉଥିଲା।

ବିଶ୍ବବିଦ୍ୟାଳୟ କୁଳସଚିବ ଶ୍ରୀ ନାୟକ ଆଜି ସମସ୍ତ ଛାତ୍ରାବାସ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଅଣଛତ୍ରଙ୍କୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯିବ। ଯଦି ସେମାନେ ନ ଯାଆନ୍ତି ତେବେ ପୁନର୍ବାର ୭ ନମ୍ବର ହଷ୍ଟେଲ ଭଳି ପୁଲିସ ସହାୟତାରେ ଚଢ଼ଉ କରାଯିବ। ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ଯତ୍ନବାନ ହେବାକୁ ଏହି ଅଧିକ୍ଷକମାନଙ୍କୁ ତାଗିଦ କରାଯାଇଛି। ଅଣଛାତ୍ର ବା କୌଣସି ଅନଧିକୃତ ବ୍ୟକ୍ତି ହଷ୍ଟେଲ ଭିତ‌ରେ ଅନାଧିକାର ପ୍ରବେଶ କଲେ ସଙ୍ଗେ ସଙ୍ଗେ ଖବର ଦେବାକୁ କେୟାର ଟେକରମାନଙ୍କୁ କୁହାଯାଇଛି। ଯଦି ପରେ ହଷ୍ଟେଲ ଭିତରେ ଅଣଛାତ୍ର ପ୍ରବେଶ କରିଥିବା ପ୍ରମାଣ ମିଳେ ତେବେ ସମ୍ପୃକ୍ତ କେୟାର ଟେକରଙ୍କ ଉପରେ କାର୍ଯ୍ୟାନୁ‌ଷ୍ଠାନ ହେବ।

ଚଢ଼ଉ ପଛରେ କିଏ?

ଅଣଛାତ୍ରଙ୍କୁ ତଡ଼ିବା ଲାଗି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ତେବେ କେବଳ ଏହି ଗୋଟିଏ ହଷ୍ଟେଲ କାହିଁକି? ଆଉ ୪ଟି ହଷ୍ଟେଲରେ ଅଣଛାତ୍ର ରହୁଥିଲେ ମଧ୍ୟ ଚଢ଼ଉ ହେଲାନି କାହିଁକି? ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ କୁଳପତି ନ ଥିବା ବେଳେ ପୁଲିସ କେଉଁଭଳି ଭାବେ ଏତେ ବଡ଼ ସାହସ ଜୁଟେଇଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଚର୍ଚ୍ଚା ହେଉଛି ଯେ ଏହି ଚଢ଼ଉ ପଛରେ ବିଶ୍ବବିଦ୍ୟାଳୟର ଜଣେ ପୂର୍ବତନ ସଭାପତି ତଥା ଛାତ୍ରନେତାଙ୍କ ହାତ ରହିଛି। ସହିଦନଗର ଥାନାରେ ଭଙ୍ଗାରୁଜା ଘଟଣାରେ ପ୍ରକାଶ ତ୍ରିପାଠୀ ଓ ତାଙ୍କର କିଛି ସହଯୋଗୀ ଗିରଫ ହେବା ପରେ ଉକ୍ତ ଛାତ୍ରନେତାଙ୍କ ଦ୍ବାରା ପରିଚାଳିତ ଗୋଷ୍ଠୀ କ୍ୟାମ୍ପସରେ ସକ୍ରିୟ ହୋଇଉଠିଛି। ତାଙ୍କ ଇସାରାରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ପୁଲିସ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ଏପରିକି ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହ ଉକ୍ତ ଛାତ୍ରନେତାଙ୍କୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବା, ଖାଇବା, ପିଇବା ଆଦି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

ମିଳିଲା ଇଞ୍ଜେକ୍ସନ ସିରିଞ୍ଜ, କ‌େଣ୍ଡାମ

୭ ନମ୍ବର ହଷ୍ଟେଲରୁ ପୁଣି ଆପତ୍ତିଜନକ ସାମଗ୍ରୀ ମିଳିଛି। ହଷ୍ଟେଲ ନିକଟରୁ ଇଞ୍ଜେକ୍ସନ ସିରିଞ୍ଜ ଓ କ‌େଣ୍ଡାମ ଠାବ ହୋଇଛି। ସୁରକ୍ଷା କର୍ମୀଙ୍କ କବଜାରେ ଥିବା ଏହି ହଷ୍ଟେଲର ବିଭିନ୍ନ ସ୍ଥାନରେ କଣ୍ଡମ ଖୋଳ ପଡ଼ିଥିବାରୁ ଏଠାକୁ ଯୁବତୀ ଆସୁଥିବା ନେଇ ଚର୍ଚ୍ଚାକୁ ଆଧିକ ଖୋରାକ ଯୋଗାଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏହି ହଷ୍ଟେଲ ରହିଥିଲେ ମଧ୍ୟ ନିଶାଦ୍ରବ୍ୟ କାରବାର, ଯୁବତୀଙ୍କୁ ଛାତ୍ରବାସଙ୍କୁ ଅଣାଯିବା ଘଟଣାକୁ ନେଇ ନାନା ସନ୍ଦେହ ସୃଷ୍ଟି କରୁଛି। ଏପରିକି ଏହା ପରିସରରେ ରହୁଥିବା ଅଣଛାତ୍ରମାନେ ମାରାତ୍ମକ ଡ୍ରଗ୍‌ସ ବେପାରରେ ବି ସମ୍ପୃକ୍ତ ରହିଥିବା ନେଇ ଚର୍ଚ୍ଚା ଚାଲିଛି।

ବାଣୀବିହାରରେ ଅଣଛାତ୍ର ପ୍ରବେଶ କଟକଣା ସମ୍ପୂର୍ଣ୍ଣ ଭାବେ କର୍ତ୍ତୃପକ୍ଷଙ୍କ ଦାୟିତ୍ବ। ଯଦି ସେମାନେ ଆମର ସହଯୋଗ ଚାହୁଁଛନ୍ତି ତେବେ କମିସନରେଟ୍‌ ପୁଲିସ ପ୍ରସ୍ତୁତ ରହିଛି। ୭ ନମ୍ବର ହ‌ଷ୍ଟେଲ ଭଳି ଅନ୍ୟ ସମସ୍ତ ହଷ୍ଟେଲର ଅଣଛାତ୍ରମାନଙ୍କୁ ତଡ଼ି ଦିଆଯିବ। କିନ୍ତୁ ପରିସରରେ ଶହ ଶହ ସଂଖ୍ୟାରେ ପୁଲିସ ପଶି ଅଣଛାତ୍ରଙ୍କୁ ହଟାଇବା ଏକ ଭିନ୍ନ ବାତାବରଣ ସୃ‌ଷ୍ଟି କରୁଛି। କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେଇ ବ୍ୟବସ୍ଥା କରିବା ଜରୁରୀ। ନଚେତ ପୁଲିସ ପ୍ରସ୍ତୁତ ରହିଛି। – ସତ୍ୟଜିତ ମହାନ୍ତି, ପୁଲିସ କମିସନର

କେୟାର ଟେକର ଓ ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ଅଣଛାତ୍ର ବା ଅନାଧିକୃତ ବ୍ୟକ୍ତିକୁ ପରିସରରେ ରହିବା ସୁଯୋଗ ଦିଆଯିବ ନାହିଁ। ଆଗକୁ ଏହା ଉପରେ କଟକଣା କଡ଼ାକଡ଼ି ହେବ। ଅଣଛାତ୍ର ରହିବା ଉପରେ ବିଶ୍ବବିଦ୍ୟାଳୟ ସୁରକ୍ଷା କର୍ମୀ ନଜର ରଖିବେ। ଏଥିହିତ କେୟାର ଟେକର ଓ ସୁପରିନ୍‌ଟେଣ୍ଡେଣ୍ଟମାନେ ମଧ୍ୟ ସଜାଗ ରହିବାକୁ କୁହାଯାଇଛି।
ଦୟାନିଧି ନାୟକ, କୁଳସଚିବ

ସମ୍ବନ୍ଧିତ ଖବର