ଲକ୍‌ଡାଉନ୍ ପାଇଁ ପୁଲିସ ପ୍ରସ୍ତୁତି… ଘରେ ପହଞ୍ଚି ଏତଲା ଆଣିବ ପୁଲିସ୍‌

ହ୍ବାଟସ୍‌-ଆପ୍‌, ଇମେଲ୍‌ରେ ଯିବ ଏତଲାର ନକଲ, ଅସୁବିଧାରେ ପଡ଼ିଲେ ନେଇପାରିବେ ସହାୟତା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଲକଡାଉନ୍‌ରେ ଲୋକ ଯେମିତି ଅତି ଜରୁରି କାମ ନ ଥିଲେ ଘରୁ ବାହାରିବେନି, ତା’ ଉପରେ କମିସନରେଟ ପୁଲିସ୍‌ ଧ୍ୟାନ ଦେଇଛି। ଯଦି କୌଣସି ବ୍ୟକ୍ତି ଚୋରି, ଲୁଟ୍, ଡକାୟତି ଭଳି ଧର୍ତ୍ତବ୍ୟ ଅପରାଧର ଶିକାର ହେଲେ, ଥାନାକୁ ନ ଆସି ମଧ୍ୟ ଘରୁ ଏତଲା ଦେଇପାରିବେ। କେବଳ ଫୋନ୍ ମାଧ୍ୟମରେ ଖବର ଦେଲେ ପୁଲିସ ଘରକୁ ଯାଇ ଲିଖିତ ଅଭିଯୋଗ ଆଣିବ। ମାମଲା ରୁଜୁ କରି ତଦନ୍ତ କରିବ ବୋଲି ଆଜି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଶ୍ରୀ ଦାଶଙ୍କ କହିବା ଅନୁସାରେ, ଲୋକ ଯେମିତି ଥାନାକୁ କମ୍ ଆସିବେ, ତା’ ଉପରେ ଗୁରୁତ୍ବ ଦିଆଯାଇଛି। ଯେଉଁ ବ୍ୟକ୍ତି ଅପରାଧର ଶିକାର ହେଉଛନ୍ତି ଓ ଅଭିଯୋଗ କରିବା ଯୋଗ୍ୟ ବୋଲି ଚିନ୍ତା କରୁଛନ୍ତି, ସେମାନେ ଡାଏଲ୍-୧୦୦, ସ୍ଥାନୀୟ ଥାନା ଲ୍ୟାଣ୍ଡଲାଇନ୍ ଫୋନ୍ ନମ୍ବର କିମ୍ବା ଆଇଆଇସିଙ୍କ ସିୟୁଜି ନମ୍ବରକୁ ଫୋନ୍ କରି ସୂଚନା ଦେଇପାରିବେ। କ’ଣ ଅପରାଧ ଘଟିଛି, କେମିତି ଘଟିଛି, ଅପରାଧୀମାନେ ଦେଖିବାକୁ କେମିତି; ଏ ସମ୍ପର୍କରେ ପ୍ରାଥମିକ ସୂଚନା ହାସଲ କରିବା ପରେ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବେ। ଏତଲା ସଂଗ୍ରହ କରିବା ପରେ ଘଟଣାସ୍ଥଳରେ ତଦନ୍ତ କରିବେ। ହ୍ବାଟସ-ଆପ୍ କିମ୍ବା ଇ-ମେଲ୍ ଯୋଗେ ଅଭିଯୋଗକାରୀଙ୍କୁ ଏତଲାର ନକଲ ତୁରନ୍ତ ଦେଇ ଦିଆଯିବ। ମାମଲାର ତଦନ୍ତ ଜାରି ରହିବା ସହ ଯେପରି କୌଣସି ବାଧା ସୃଷ୍ଟି ନ ହେବ, ତାହା ଉପରେ ଦୃଷ୍ଟି ଦିଆଯିବ।

ଥାନା ଓ ଆଇଆଇସିଙ୍କ ସିୟୁଜି ନମ୍ବର, ଲକଡାଉନ୍‌ରେ ପୁଲିସ ସହାୟତା ପାଇଁ ଜାରି ନମ୍ବର

ମେଡିକାଲ, ପାଣି, ବିଦ୍ୟୁତ୍‌, ପେଟ୍ରୋଲ ପମ୍ପ, ଗ୍ରୋସରି, କନଷ୍ଟ୍ରକସନ୍, ଶିଳ୍ପ, ଗଣମାଧ୍ୟମ ଆଦି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ଦୋକାନୀମାନେ ଚେକିଂ-ପଏଣ୍ଟରେ ଟ୍ରେଡ୍ ଲାଇସେନ୍ସକୁ ଦେଖାଇ ପାରିବେ। ଲକଡାଉନ୍‌ରେ ପୁଲିସକୁ ସହଯୋଗ କରିବା ପାଇଁ ସାଙ୍ଗରେ ଆବଶ୍ୟକ କାଗଜପତ୍ର ନେବାକୁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ଯଦି କେଉଁ ଚେକ୍‌ପୋଷ୍ଟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହାଲେ ସେମାନେ ସେହି ଛକରୁ ଡାଏଲ୍ ୧୦୦କୁ କଲ୍ କରି ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ। ସେଠାରେ ଥିବା ଅଧିକାରୀ ଏହାକୁ ଯାଞ୍ଚ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ଫୋନ୍‌କୁ ଏସ୍‌ଏମ୍‌ଏସ୍‌ ପ୍ରଦାନ କରିବେ। ତାହାକୁ ଦେଖାଇ ସମ୍ପୃକ୍ତ ବ୍ୟକ୍ତି ଆଗକୁ ଯାଇ ପାରିବେ।

ଅପରପକ୍ଷେ ଲକଡାଉନ୍‌ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରାଜଧାନୀର ମୋଟ ୫୩ଟି ସ୍ଥାନରେ ଚେକ୍‌ପୋଷ୍ଟ କରାଯାଇଛି। ଉଭୟ ପୁଲିସ୍‌ ଓ ଟ୍ରାଫିକ୍‌ର ପ୍ରାୟ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ଦୁଇ ଶହ ଅଫିସର୍‌ ନିୟୋଜିତ ହେବେ। ସମସ୍ତ ଥାନା ଅଞ୍ଚଳରେ ୩୫ଟି ପିସିଆର ଭ୍ୟାନ୍‌ ପଇଁତରା ମାରିବ। ବଜାର ଭିଡ଼କୁ ନିୟନ୍ତ୍ରଣ ଓ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ୨୨ଟି ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ଗାଡ଼ି ରହିବ। ପୂରା ରାଜଧାନୀର ୬ଟି ପୁଲିସ୍‌ ଜୋନ୍‌ରେ ବରିଷ୍ଠ ଅଧିକାରୀମାନେ ନିୟମିତ ବ୍ୟବଧାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ବୋଲି ଡିସିପି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଲକଡାଉନ୍‌କୁ ଶୃଙ୍ଖଳିତ କରିବା ଲାଗି ସେ ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର