ପୁଲିସକୁ ମିଳିଲା ତ୍ରିନାଥଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଦୁର୍ଘଟଣା ନୁହେଁ; ପିଟିପିଟି ହତ୍ୟା

ସନ୍ଦେହ ଘେରରେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ
ଏ ଯାଏ ହତ୍ୟା ମାମଲା ରୁଜୁ ନ କରି ଚୁପ୍ ବସିଛି ପୁଲିସ

ଭୁବନେଶ୍ବର : ‘କୃପା ଫାଉଣ୍ଡେସନ୍’ ନିଶା ନିବାରଣ କେନ୍ଦ୍ରରେ ଥିବା ତ୍ରିନାଥ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି। କୌଣସି ଦୁର୍ଘଟଣା ନୁହେଁ; ବରଂ ତ୍ରିନାଥଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କର ମୁଣ୍ଡ, ଛାତି ସମେତ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି। କିନ୍ତୁ ଏଯାଏ ପୁଲିସ ହତ୍ୟା ମାମଲା ରୁଜୁ କରି ନାହିଁ କି ତଦନ୍ତ ଆଗକୁ ବଢ଼ାଇ ନାହିଁ। ଯାହା ଫଳରେ ଅଭିଯୁକ୍ତ ଫେରାର ହୋଇ ଯିବାର ସମ୍ଭାବନା ମଧ୍ୟ ରହିଛି। ଏହି ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତାହା ମଧ୍ୟ ଜଣାପଡ଼ି ନାହିଁ। ତେବେ ଏହି ହତ୍ୟା ପଛରେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ହାତ ରହିଥିବା ପୂର୍ବରୁ ପରିବାର ଲୋକ ଅଭିଯୋଗ କରୁଥିବା ବେଳେ ଏବେ ସନ୍ଦେହ ବଢ଼ିଛି।

ଅଭିଯୋଗ ଅନୁସାରେ, ଜଗତସିଂହପୁର ଅଲଣାହାଟ ଜୋତ ଅଞ୍ଚଳର ତ୍ରିନାଥ ନିଶା ସେବନ କରୁଥିବାରୁ ତାଙ୍କ ପରିବାର ଲୋକ ୨୦୧୯ ଜୁଲାଇ ୨୨ ତାରିଖରେ ତାଙ୍କୁ ପାଣ୍ଡରାର କୃପା ଫାଉଣ୍ଡେସନ୍ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଖର୍ଚ୍ଚ ବାବଦକୁ ମାସିକ ୫ ହଜାର ୫ ଶହ ଟଙ୍କା ପୈଠ କରୁଥିଲେ। କିନ୍ତୁ ଗତ ୫ ତାରିଖ ରାତିରେ ହଠାତ୍ ତାଙ୍କ ବାପା ବାବାଜୀ ସେଠୀଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଜଣେ କେହି କଲ୍ କରି ପୁଅ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହିଥିଲେ। ପରିବାର ଲୋକ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ପୁଅ ତ୍ରିନାଥଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ବାବାଜୀ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଅଭିଯୋଗକୁ ସେତେଟା ଗୁରୁତ୍ବ ଦେଇ ନ ଥିଲା। ଏପରିକି ତ୍ରିନାଥ ଛାତ ଉପରୁ ଡେଇଁ ଫେରାର ହେଉଥିବାବେଳେ ଏହି ଘଟଣା ଘଟିଥିଲା ବୋଲି ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ପୁଲିସ ମଧ୍ୟ ଗଣମାଧ୍ୟମକୁ ସେହି ସୂଚନା ଦେଇଥିଲା।

କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଛାତରୁ ଡେଇଁବା ଭଳି ତ୍ରିନାଥଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ନ ଥିବା ଜଣାପଡ଼ିଥିଲା। ଏବେ ତାଙ୍କ ହତ୍ୟା ପଛର କାରଣ କଣ ଓ ରହସ୍ୟ କେବେ ଖୋଲିବ ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ତର୍ଜମା କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର