ରାତି ୧୦ ପରେ ବାଣ ଫୁଟା ମନା

ଦିନକ ପରେ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର : ଦିନକ ପରେ ଆଲୋକର ପର୍ବ। ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ସାରା ସହରରେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ଭୁବନେଶ୍ୱରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନରେ ଜଣେ ଏସିପି ଦାୟିତ୍ୱରେ ରହିବେ। ସହରର ପ୍ରତି ସମ୍ବେଦନଶୀଳ ଛକରେ ପୁଲିସ ବ୍ଲକିଂ ହେବ। ୧୫୦ ଜଣ ଅଫିସର ଓ ୬ଶହରୁ ଅଧିକ କର୍ମଚାରୀ ଏହି ସୁରକ୍ଷା ଦାୟିତ୍ୱରେ ରହିବେ। ବିଶେଷକରି ମଦ୍ୟପାନ କରି ଗାଡି ଚଳାଉଥିବା ଏବଂ ରାତି ୧୦ଟା ପରେ ବାଣଫୁଟା ଉପରେ ରୋକ ଲଗା ଯାଇଛି। ଏହା ଛଡ଼ା ବେଆଇନ୍‌ ବାଣ ବିକ୍ରି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଡିସିପି ଶ୍ରୀ ଭୋଇଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲିଠାରୁ ବେଆଇନ ବାଣ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଯେଉଁମାନେ ବିନାନୁମତି ବା ଜନଗହଳିପୂର୍ଣ ଅଞ୍ଚଳରେ ବାଣ ବିକ୍ରି କରୁଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିକ୍ରି ବାଣ ଜବତ କରାଯିବା ସହିତ ଜରିମାନା ଆଦାୟ କରାଯିବ। ଏବେ ସୁଦ୍ଧା ରାଜଧାନୀରେ ୧୦୦ ଜଣ ଲାଇସେନ୍ସଧାରୀଙ୍କୁ ବାଣ ବିକ୍ରି କରିବାକୁ ଅନୁମତି ମିଳିଛି। କେତେକ ଜାଗାରେ ବିବାଦ ଥିବାରୁ ବାଣ ବିକ୍ରି କରିବାକୁ ଅନୁମତି ମିଳିନାହିଁ।

ଦୀପାବଳି ପାଇଁ ସଂଧ୍ୟାରୁ କମିସନରେଟ୍‌ ପୁଲିସ କଡ଼ା ସୁରକ୍ଷା ଅବଲମ୍ବନ କରିବ। ରାଜଧାନୀର ମୁଖ୍ୟ ରାସ୍ତାରେ କେହି ବାଣ ଫୁଟାଇ ପାରିବେ ନାହିଁ। ରାତି ୧୦ଟା ପରେ ରାଜଧାନୀର କୌଣସି ସ୍ଥାନରେ ବାଣ ଫୁଟି ପାରିବ ନାହିଁ। ଯଦି କୌଣସି ଅଞ୍ଚଳରେ ବାଣ ଫୁଟୁଥିବ ସ୍ଥାନୀୟ ଲୋକ ଚାହିଁଲେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ୧୨୫ ଡେସିବିଲରୁ ଅଧିକ ଶବ୍ଦର ବାଣ କେହି ଫୁଟାଇ ପାରିବେ ନାହିଁ। ଏପରିି ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି ହୋଇଛି।

ସମଗ୍ର ରାଜଧାନୀକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ଜୋନ୍‌କୁ ଜଣେ ଏସିପି ସମ୍ଭାଳିବେ। ଏସିପି ଓ ତାଙ୍କ ଟିମ୍‌ ନିଜ ଜୋନ୍‌ରେ ଦୀପାବଳି ରାତିରେ ପାଟ୍ରୋଲିଂ କରିବେ। ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ହେଲେ ଗିରଫ କରାଯିବ ବୋଲି ଡିସିପି ଶ୍ରୀ ଭୋଇ କହିଛନ୍ତି।

ସମ୍ବନ୍ଧିତ ଖବର