ଭୁବନେଶ୍ବର: ପ୍ରେମଜନିତ ଆତ୍ମହତ୍ୟା ମାମଲା ଏବେ ବଢ଼ିଚାଲିଛି। ଶିକ୍ଷିତ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏପରି ଆତ୍ମହତ୍ୟା ପ୍ରବଣତା ଏବେ ଚିନ୍ତାର ବିଷୟ ହୋଇଛି। ଭୁବନେଶ୍ବରରେ ଗତ କିଛି ମାସ ମଧ୍ୟରେ ଏମିତି କିଛି ଘଟଣା ବେଶ୍ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। କିନ୍ତୁ ଆତ୍ମହତ୍ୟା ମାମଲାର ତଦନ୍ତରେ ପୁଲିସର କାର୍ଯ୍ୟଧାରାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପ୍ରେମଜନିତ ମାମଲାରେ ଜଣେ ଯୁବତୀ ଆତ୍ମହତ୍ୟା କଲା ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ତୁରନ୍ତ ତଦନ୍ତର ପରିସରକୁ ଆଣି ପୁଲିସ ଜେରା କରୁଛି। ଆଇପିସି ଦଫା ୩୦୬ରେ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ମାମଲା ରୁଜୁକରି ଖୋଜି ଖୋଜି ପ୍ରେମିକକୁ ବାନ୍ଧୁଛି।
ପୁଲିସର ଏହି ତ୍ବରିତ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। କିନ୍ତୁ ପ୍ରେମ ସମ୍ପର୍କକୁ ନେଇ କେହି ଯୁବକ ଆତ୍ମହତ୍ୟା କଲା ବେଳେ ପୁଲିସ୍ ତାହାକୁ ଗୁରୁତ୍ବର ସହ ନେଉନି। ଏପରିକି କିଛି ମାମଲାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ବାନ୍ଧବୀଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହଜନକ ଥିଲେ ବି ପୁଲିସର ନିରବ ରହୁଛି। ପୁଲିସ୍ ସଂପୃକ୍ତ ଯୁବତୀଙ୍କୁ ଗିରଫ କରିବା ଦୂରର କଥା, ଜେରା ମଧ୍ୟ କରୁ ନାହିଁ। କିଛି ଚର୍ଚ୍ଚିତ ଆତ୍ମହତ୍ୟା ଘଟଣାରେ ପୁଲିସ୍ର ଏପରି ଆଭିମୁଖ୍ୟକୁ ନେଇ ସଂପୃକ୍ତ ଯୁବକମାନଙ୍କ ପରିବାର ଲୋକ ଘୋର ଆପତ୍ତି ଉଠାଇଛନ୍ତି। କିନ୍ତୁ ପୁଲିସ ତତ୍ପରତା ପ୍ରକାଶ କରୁନି ଓ ସବୁ ଦିନ ପାଇଁ ମାମଲା ଫାଇଲ୍ ତଳେ ଚାପି ହୋଇଯାଉଛି।
ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଲେ, ତଥାପି...
ଇନ୍ଫୋସିଟି ଥାନା ନନ୍ଦନବିହାରର ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପଛରେ ପ୍ରେମିକା ଓ ତାଙ୍କ ମାଆ ସମ୍ପୃକ୍ତି କଥା ପଦାକୁ ଆସିଥିଲା। ଉଭୟ ପରସ୍ପରକୁ ଭଲପାଉଥିଲେ। ବିବାହ ପାଇଁ ଉଭୟ ପରିବାର ମଧ୍ୟ କଥାବାର୍ତ୍ତା ହୋଇଥିଲେ। ହେଲେ ଯୁବତୀ ଜଣଙ୍କ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ବୁଲିବାକୁ ସୌମ୍ୟ ବାରଣ କରିଥିଲେ। ଯାହାକୁ ନେଇ ଆରମ୍ଭ ହୋଇଥିଲା ତୁ ତୁ ମେ ମେ। ଆଉ ଏହା ପରେ ଯୁବତୀ ସୌମ୍ୟଙ୍କୁ ଅକଥନୀୟ ମାନସିକ ନିର୍ଯାତନା ଦେଇଚାଲିଥିଲେ। ମାନସିକ ଚାପ ସାଙ୍ଗକୁ ଯୁବତୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ଜାନୁଆରୀ ୩୦ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଏକ ହାତଲେଖା ଚିଠି ଛାଡିଯାଇଥିଲେ। ଯେଉଁଥିରେ ତାଙ୍କ ଆତ୍ମହତ୍ୟା ପାଇଁ ପ୍ରେମିକା ଦାୟୀ ବୋଲି ଲେଖିଥିଲେ। ଏମିତିକ କେତେକ ଭିଡିଓ, କଲ୍ ରେକର୍ଡିଂ ଏବଂ ହ୍ବାଟସ୍ଆପ୍ ମେସେଜ୍ରେ ଆତ୍ମହତ୍ୟା ପଛର କରୁଣକାହାଣୀ ଜଳଜଳ କରିବାରି ହେଉଥିଲା। ନ୍ୟାୟ ଦାବିରେ ସୌମ୍ୟଙ୍କ ଭଉଣୀ, ମା’ ଡିସିପିଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ। ହେଲେ ପୁଲିସ ଆଇପିସି ୩୦୬ରେ ମାମଲା ରୁଜୁ କଲା ନାହିଁ କି ପ୍ରେମିକାକୁ ବାନ୍ଧିଲା ନାହିଁ।
ପ୍ରତାରଣାରୁ ଜୀବନ ହାରିଲେ, କିନ୍ତୁ...
ପ୍ରତାରଣା ଯୋଗୁଁ ଗତ ଜାନୁଆରି ୧୪ ତାରିଖରେ ଭରତପୁର ଥାନା ଅଞ୍ଚଳରେ ରହୁଥିବା ସୌମ୍ୟରଂଜନ ଜେନା ଆତ୍ମହତ୍ୟା କରିଥିଲେ। ଉଭୟ ସୌମ୍ୟ ଓ ତାଙ୍କ ପ୍ରେମିକା ପରସ୍ପର ବିବାହ ପାଇଁ କଥା ବଢ଼ିଥିଲା। ଦୁଇ ପରିବାରଙ୍କ ସହମତି କ୍ରମେ ନିର୍ବନ୍ଧ ବି ସରିଥିଲା। ଏହି ସମୟରେ ଯୁବତୀ ତାଙ୍କୁ ଏକ ଫ୍ଲାଟ କିଣିବା ପାଇଁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫାଟ। ସୌମ୍ୟରଂଜନ ଯୁବତୀଙ୍କୁ ଯେତେ ବୁଝାଇଥିଲେ ବି ସେ ବୁଝିନଥିଲେ। ଆଉ ତାଙ୍କୁ ନିର୍ଯାତନା ଦେଇଚାଲିଥିଲେ। ଶେଷରେ ଜାନୁଆରି ୧୪ ତାରିଖରେ ସେ ଆତ୍ମହତ୍ୟା ପାଇଁ ଶେଷ ନିଷ୍ପତ୍ତି ନେଇଥିଲେ। ତାଙ୍କର କଲ୍ ରେକର୍ଡିଂ ଏବଂ ହ୍ବାଟ୍ଆପ୍ ମେସେଜ୍ ଆତ୍ମହତ୍ୟା ପଛର ଗୁମର ଖୋଲିଥିଲା। ନ୍ୟାୟ ପାଇଁ ପରିବାର ଲୋକ ପ୍ରଥମେ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ନ୍ୟାୟ ନପାଇବାରୁ ପରେ ଡିସିପି ଅଫିସ୍ରେ ଧାରଣା ଦେଇଥିଲେ। ଏପର୍ଯ୍ୟନ୍ତ ଘଟଣାରେ ଯୁବତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।
ଆତ୍ମହତ୍ୟା ପଛରେ ପ୍ରେମିକା, ଚିଠି ମିଳିଲା ହେଲେ...
ଗତ ମେ ୧୯ ତାରିଖରେ ଶିଖରଚଣ୍ଡୀ ମୁଣ୍ଡିଆରେ ଘଟିଥିବା ବାଲିପଡ଼ା ଗାଁର ଯୁବ ଇଂଜିନିୟର ଅବିନାଶ ପ୍ରଧାନଙ୍କୁ ପୋଡ଼ି ମାରିଦିଆଗଲା। ହେଲେ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଲା। ଆଉ ଅପମୃତ୍ୟୁ ମାମଲା ରୁଜୁ କଲା। ହେଲେ ତାଙ୍କ ବ୍ୟାଗରୁ ଯେଉଁ ଦୁଇଟି ଚିଠି ମିଳିଥିଲା। ଦୁଇଟି ଚିଠିରେ ଲେଖା ଥିଲା ଯେ ତମେ ବ୍ୟସ୍ତ ହୁଅନି। ମୁଁ ୨୧-୨୨ ତାରିଖ ଆଡ଼କୁ ବାହାରକୁ ପଳେଇବି। ମୋତେ ମିସ୍ କରିବା ଦରକାର ନାହିଁ। ନା କେବେ ମୁଁ ତୁମ ରାସ୍ତାରେ ଆସବି ନା ତୁମେ ମୋ ରାସ୍ତାରେ ଆସିବ। କେବେ ତୁମର କଣ୍ଟା ହେବି ନାହିଁ। ମୁଁ ଯେଉଁଠି ରହିଲେ ବି ତୁମକୁ ସବୁବେଳେ ସହଯୋଗ କରିବି। ଯାହାକି ଦୁଇଟି ଛୋଟ ଛୋଟ କାଗଜରେ ଲେଖାଯାଇଛି। ଚିଠିରେ ନାମ ଉଲ୍ଲେଖ ନଥିଲେ ବି ଲେଖାରୁ ସ୍ପଷ୍ଟଭାବେ ଜଣାପଡ଼ିଛି ଯେ, ଜଣେ ଯୁବତୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଗତ ଏପ୍ରିଲ୍ ୪ ତାରିଖରେ ଲେଖା ହୋଇଥିବା ଏହି ଚିଠି ଅବିନାଶଙ୍କ ପ୍ରେମ ସମ୍ପର୍କକୁ ଖୋଲିବା ସହ ଘଟଣା ରହସ୍ୟ ଘେରକୁ ଆସଥିଲା। ତେବେ ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ଓ ଇନ୍ଫୋସିଟି ଥାନା ପୁଲିସ ବାଇକରେ ଝୁଲୁଥିବା ଏକ ବ୍ୟାଗ ଭିତରୁ ଏହି ଦୁଇଟି ଚିଠିକୁ ଜବତ କରିଥିଲେ। ନା ଯୁବତୀଙ୍କୁ ଜେରା କରାଗଲା ନା ଘଟଣାର ରହସ୍ୟ ଖୋଲିଲା। ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି।